ରାଜସ୍ଥାନ, ୨୨।୨: ରାଜସ୍ଥାନର ବାଡ଼ମେର ଜିଲ୍ଲା ବାୟତୁ ଅଞ୍ଚଳରେ ବୁଧବାର ସକାଳୁ ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା ଘଟିଛି । ଏକ ଦ୍ରୁତଗାମୀ ଟ୍ରକ୍ ପଛରୁ ଧକ୍କା ଦେବା ଫଳରେ ୩୬ ଜଣ ଶିଶୁଙ୍କୁ ନେଇ ଯାଉଥିବା ସ୍କୁଲ୍ ବସଟି ଅନିୟନ୍ତ୍ରିତ ହୋଇ ରାସ୍ତାକଡ଼କୁ ଓଲଟି ପଡ଼ିଛି । ଏହି ଦୁର୍ଘଟଣାରେ ପ୍ରାୟ ୧୦ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ସରସ୍ୱତୀ ବିଦ୍ୟା ମନ୍ଦିରର ଏକ ସ୍କୁଲ ବସ୍ ପ୍ରତିଦିନ ପରି ବୁଧବାର ସକାଳେ ପିଲାମାନଙ୍କୁ ଘରୁ ନେଇ ସ୍କୁଲ ଅଭିମୁଖେ ଯାଉଥିଲା । ଏହି ସମୟରେ ବାୟତୁ ଅଞ୍ଚଳରେ ଏକ ଦ୍ରୁତଗାମୀ ଟ୍ରକ୍ ବସଟିକୁ ପଛପଟୁ ଏତେ ଜୋରଦାର ଧକ୍କା ଦେଇଥିଲା ଯେ ଚାଳକ ନିଜର ସନ୍ତୁଳନ ହରାଇଥିଲେ ଏବଂ ବସଟି ରାସ୍ତା ତଳକୁ ଓଲଟି ପଡ଼ିଥିଲା । ବସ୍ ଭିତରେ ଥିବା କୋମଳମତି ଶିଶୁଙ୍କ ଆର୍ତ୍ତନାଦରେ ସ୍ଥାନୀୟ ଅଞ୍ଚଳ ସ୍ତବ୍ଧ ହୋଇଯାଇଥିଲା । ବସ୍ର କାଚ ଭାଙ୍ଗିଯାଇଥିବାରୁ ଅନେକ ପିଲା କ୍ଷତବିକ୍ଷତ ହୋଇଛନ୍ତି ।
ଦେବଦୂତ ସାଜିଲେ ଗ୍ରାମବାସୀ: ତୁରନ୍ତ ଆରମ୍ଭ ହେଲା ଉଦ୍ଧାର କାର୍ଯ୍ୟ
ଦୁର୍ଘଟଣା ପରେ ସ୍ଥାନୀୟ ଗ୍ରାମବାସୀ ଏବଂ ଆଖପାଖ କ୍ଷେତରେ କାମ କରୁଥିବା ଲୋକମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ପିଲାମାନଙ୍କ କାନ୍ଦ ଶୁଣି ଗ୍ରାମବାସୀମାନେ ବସର ଝରକା ଏବଂ କବାଟ ତାଡ଼ି ପିଲାମାନଙ୍କୁ ସୁରକ୍ଷିତ ଭାବେ ବାହାରକୁ ବାହାର କରିଥିଲେ । ପୁଲିସ ଏବଂ ଆମ୍ବୁଲାନ୍ସ ପହଞ୍ଚିବା ପୂର୍ବରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଥିଲା । ଚିକିତ୍ସା ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ଦୁର୍ଘଟଣାରେ ଆହତ ୧୦ ଜଣଙ୍କ ମଧ୍ୟରୁ ୫ ଜଣ ଶିଶୁଙ୍କୁ ଗଭୀର ଆଘାତ ଲାଗିଛି । ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ଖବର ପାଇବା ପରେ ଅଭିଭାବକମାନେ ଡାକ୍ତରଖାନାରେ ପହଞ୍ଚିଛନ୍ତି । ସେଠାରେ ପିଲାମାନଙ୍କ ଯନ୍ତ୍ରଣା ଦେଖି ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନି ।
ବାୟତୁ ଥାନା ଅଧିକାରୀ ମନୋହର ବିଷ୍ଣୋଇ କହିଛନ୍ତି ଯେ, ପୁଲିସ ଘଟଣାସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ଯାନକୁ ଜବତ କରିଛି । ଧକ୍କା ଦେଇଥିବା ଟ୍ରକ୍ ଚାଳକ ଫେରାର ଅଛି, ଯାହାକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ତଦନ୍ତ ଜାରି ରଖିଛି । ଅନ୍ୟପଟେ, ସ୍ଥାନୀୟ ଗ୍ରାମବାସୀମାନେ ପ୍ରଶାସନ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାୟୀ, ବାୟତୁ ଅଞ୍ଚଳରେ ଭାରୀ ଯାନବାହନଗୁଡ଼ିକର ବେଗ ଉପରେ କୌଣସି ନିୟନ୍ତ୍ରଣ ନାହିଁ । ଶିକ୍ଷାନୁଷ୍ଠାନ ସମୟରେ ଭାରୀ ଯାନ ଚଳାଚଳ ଉପରେ କଟକଣା ଲଗାଇବାକୁ ଗ୍ରାମବାସୀ ଦାବି କରିଛନ୍ତି, ଯେପରି ଭବିଷ୍ୟତରେ ଏଭଳି ଦୁର୍ଘଟଣାକୁ ରୋକାଯାଇପାରିବ ।