ବିବିସି ଡକ୍ୟୁମେଣ୍ଟାରୀ ବିବାଦକୁ ନେଇ ବିଜେପିକୁ ସମର୍ଥନ କଲେ କଂଗ୍ରେସ ନେତା ଏକେ ଆଣ୍ଟୋନିଙ୍କ ପୁଅ, କହିଲେ ଏହା ବିପଜ୍ଜନକ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୁଜୁରାଟ ଦଙ୍ଗା ଉପରେ ନିର୍ମିତ ବିବିସି ଡକ୍ୟୁମେଣ୍ଟାରୀକୁ ନେଇ ଅନେକ ଆଲୋଚନା ହେଉଛି । ଏହି ମାମଲାରେ ବିଜେପିକୁ କଂଗ୍ରେସ ନେତା ଏ.କେ ଆଣ୍ଟୋନିଙ୍କ ପୁଅ ଅନିଲ କେ ଆଣ୍ଟୋନି ସମର୍ଥନ ଜଣାଇଛନ୍ତି । ଅନିଲ ଆଣ୍ଟୋନି କହିଛନ୍ତି ଯେ, ଭାରତୀୟ ଅନୁଷ୍ଠାନ ତୁଳନାରେ ବ୍ରିଟିଶ ପ୍ରସାରଣକାରୀଙ୍କ ବିଚାରକୁ ଗୁରୁତ୍ୱ ଦେଲେ ଦେଶର ସାର୍ବଭୌମତ୍ୱ ପ୍ରଭାବିତ ହେବ ।
ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏ.କେ ଆଣ୍ଟୋନିଙ୍କ ପୁଅ ଅନିଲ ଆଣ୍ଟୋନି ନିକଟରେ କଂଗ୍ରେସର କେରଳ ୟୁନିଟର ଡିଜିଟାଲ ଯୋଗାଯୋଗ ଦାୟିତ୍ବ ତୁଲାଇଥିଲେ । ତାଙ୍କର ମନ୍ତବ୍ୟ ଏପରି ଏକ ସମୟରେ ଆସିଛି, ଯେତେବେଳେ କି ରାଜ୍ୟ କଂଗ୍ରେସର ବିଭିନ୍ନ ଶାଖା ଘୋଷଣା କରିଛନ୍ତି ଯେ ସେମାନେ ୨୦୦୨ ଗୁଜୁରାଟ ଦଙ୍ଗା ଉପରେ ବିବାଦୀୟ ଡକ୍ୟୁମେଣ୍ଟାରୀକୁ ସ୍କ୍ରିନ କରିବେ । ଆଉ ଏହି ଦଙ୍ଗା ସମୟରେ ନରେନ୍ଦ୍ର ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ ।

ଟ୍ୱିଟରରେ ଅନିଲ ଆଣ୍ଟୋନି କହିଛନ୍ତି ଯେ, ବିଜେପି ସହ ସମସ୍ତ ମତଭେଦ ସତ୍ତ୍ବେ ବିବିସି ଏବଂ ବ୍ରିଟେନର ପୂର୍ବତନ ବୈଦେଶିକ ମନ୍ତ୍ରୀ ଜ୍ୟାକ୍ ଷ୍ଟ୍ରୋଙ୍କ ବିଚାରକୁ ଭାରତୀୟ ଅନୁଷ୍ଠାନର ବିଚାର ଠାରୁ ଅଧିକ ଗୁରୁତ୍ୱ ଦେବା ଏକ ବିପଜ୍ଜନକ । ଏହା ଦେଶର ସାର୍ବଭୌମତ୍ୱ ଉପରେ ପ୍ରଭାବ ପକାଇବ । ଅନୀଲ ଆଣ୍ଟୋନି ଟ୍ୱିଟରେ ମଧ୍ୟ କହିଛନ୍ତି, “ବିବିସି ଏକ ସରକାରୀ ପ୍ରାୟୋଜିତ ଚ୍ୟାନେଲ ଏବଂ ଭାରତ ପ୍ରତି ପକ୍ଷପାତିତା କରିବାର ଇତିହାସ ଅଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଜ୍ୟାକ୍ ଷ୍ଟ୍ରୋ ‘ଇରାକ ଯୁଦ୍ଧ ଯୋଜନା କରିଥିଲେ । ୨୦୦୩ ରେ, ଆମେରିକା ନେତୃତ୍ୱରେ ଇରାକ ଉପରେ ଆକ୍ରମଣ କରିଥିଲା ।