ନୂଆଦିଲ୍ଲୀ,୦୪/୦୪; ଆଇପିଏଲରେ ଏବେ ୧୦ଟି ଦଳ ସିଜନରେ ମୋଟ୍ ୭୪ଟି ମ୍ୟାଚ ଖେଳୁଛନ୍ତି । ମ୍ୟାଚ ସଂଖ୍ୟା କମ୍ ଥିବାରୁ ପ୍ରତ୍ୟେକ ଦଳ ପରସ୍ପରକୁ ୨ ଥର ଲେଖାଏଁ ଭେଟି ପାରୁ ନାହାନ୍ତି । କିନ୍ତୁ ଆଗକୁ ଲିଗର କଳେବର ବୃଦ୍ଧି କରିବା ନେଇ ବିସିସିଆଇ ଯୋଜନା କରୁଛି । ଏ କଥା କହିଛନ୍ତି ଆଇପିଏଲ ଅଧ୍ୟକ୍ଷ ଅରୁଣ ସିଂ ଧୂମାଲ ।

ସେ କହିଛନ୍ତି, ‘୨୦୨୭ ସଂସ୍କରଣ ପରେ ଯଦି ଆମକୁ ସୁଯୋଗ ମିଳିଲା ତେବେ ଆଇପିଏଲରେ କଳେବର ବଢ଼ିବ । ସିଜନରେ ମ୍ୟାଚ ସଂଖ୍ୟା ୭୪ରୁ ୯୪ କରାଯିବ । ଦୁଇଟି ନୂଆ ଦଳ (ଗୁଜରାଟ ଟାଇଟନ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ) ସାମିଲ ହେବା ପରେ ପ୍ରତ୍ୟେକ ଦଳ ପରସ୍ପରକୁ ୨ ଥର ଭେଟିବାର ସୁଯୋଗ ପାଉ ନାହାନ୍ତି । କିନ୍ତୁ ୨୦୨୭ ପର୍ଯ୍ୟନ୍ତ ଦ୍ୱିପାକ୍ଷିକ ସିରିଜର ସୂଚୀ ଚୂଡ଼ାନ୍ତ ହୋଇ ସାରିଥିବାରୁ ଏବେ ଆମ ହାତରେ କିଛି ନାହିଁ । ଏହି ଚକ୍ର ଶେଷ ହେବା ପରେ ହିଁ ଆମେ ଆଇସିସି ସହ ଆଲୋଚନା କରିବୁ । କିନ୍ତୁ ପ୍ରତ୍ୟେକ ଦେଶ ନିଜ ନିଜ ଦେଶରେ ଘରୋଇ ଲିଗ ଆୟୋଜନ ଉପରେ ଗୁରୁତ୍ୱ ଦେଉଛନ୍ତି । କାରଣ ଏହା ବୋର୍ଡର ଆର୍ଥିକ ସ୍ଥିତିକୁ ଦୃଢ଼ କରିବାରେ ସହାୟକ ହେଉଛି । ତେବେ ଆଇପିଏଲ କେବଳ ଭାରତୀୟ ଖେଳାଳିଙ୍କ ଭାଲ୍ୟୁ ବୃଦ୍ଧିରେ ସହାୟକ ହେଉନି ବରଂ ବିଶ୍ୱ କ୍ରିକେଟର ଭାଲ୍ୟୁ ବଢ଼ାଇଛି । ଯଦି ଆମକୁ ସୁଯୋଗ ମିଳିଲା ତେବେ ଆମେ ଆଇପିଏଲର କଳେବର ବଢ଼ାଇବୁ । ଆଇପିଏଲ ଟିମ୍ ୧୦ରୁ ୧୨କୁ ବଢାଇବାର ପ୍ଲାନ୍ ବର୍ତ୍ତମାନ ପାଇଁ ସ୍ଥଗିତ ଅଛି । ’

ଏହା ବି ପଢନ୍ତୁ...ଚେନ୍ନାଇ ଘରେ ପ୍ରିୟାଂଶ ଝଡ଼, ଦ୍ରୁତତମ ଅର୍ଦ୍ଧଶତକ ହାସଲ ରେକର୍ଡ ଭାଙ୍ଗିଲା ପଞ୍ଜାବ କିଙ୍ଗସ୍   

୨୦୦୮ରେ ୮ଟି ଦଳକୁ ନେଇ ଆଇପିଏଲ  ଆରମ୍ଭ ହୋଇଥିଲା । ପରେ ୨ଟି ନୂଆ ଟିମ୍ ସାମିଲ କରାଯାଇଥିଲା । କିନ୍ତୁ କିଛି ସମୟ ପରେ ସେମାନେ ବି ଓହରିଗଲେ । ୨୦୨୨ରେ ଆଉ ଦୁଇଟି ଦଳ ଯୋଡା ହୋଇ ୧୦ଟି ଦଳକୁ ବିସ୍ତାର କରାଯାଇଥିଲା । ଏହା ସତ୍ତ୍ୱେ ମୋଟ୍ ମ୍ୟାଚ୍‌ ସଂଖ୍ୟା ୭୪ ରହିଛି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଶେଷ ଥର ମିଡିଆ ଅଧିକାର  ବିକ୍ରି କରିଥିଲା । ପ୍ରଥମ ଦୁଇ ବର୍ଷରେ ୭୪ଟି ମ୍ୟାଚ ପାଇଁ ଯୋଜନା ହୋଇଥିଲା । ଏହାକୁ ୯୪କୁ ବୃଦ୍ଧି କରାଯାଇଥିଲା । ଏହି ଯୋଜନା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ । ଏହା ପ୍ରାୟ ନିଶ୍ଚିନ୍ତ ୨୦୨୭ ସିଜିନରେ ବି ସମାନ ରହିବ ।