ମୁମ୍ବାଇ,୨୧/୦୪: ଗତ ମାର୍ଚ୍ଚରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଚାମ୍ପିଅନ୍ ହେବା ପରେ ଭାରତ ଖୁବଶୀଘ୍ର କିଛି ଭିନ୍ନ ଯୋଜନା କରିବାକୁ ଯାଉଛି । ଆଗାମୀ ଦିନ ପାଇଁ ଏକ ସଙ୍ଗେ ୨ଟି ଟୁର୍ଣ୍ଣାମେଣ୍ଟ ଖେଳିପାରିବା ଭଳି ଏକାଧିକ ଟି-ଟ୍ୱେଣ୍ଟି ଦଳ ପ୍ରସ୍ତୁତ ରଖିବାକୁ ବିସିସିଆଇ ନିଷ୍ପତ୍ତି ନେଇଛି । ସିନିୟର ଦଳରେ ସ୍ଥାନ ହାସଲ କରିପାରିବା ଭଳି ବହୁ ଖେଳାଳି ପ୍ରତିଦ୍ୱନ୍ଦ୍ୱତା କରୁଥିବାରୁ ବିସିସିଆଇର କାମ ହାଲକା ହୋଇ ଯାଇଛି ।
ଅସଲରେ କହିବାକୁ ଗଲେ ଚଳିତ ବର୍ଷ ଭାରତର ବ୍ୟସ୍ତପୂର୍ଣ୍ଣ କ୍ରିକେଟ୍ ସିଜନ ରହିଛି । ଆଗକୁ ଏଭଳି ସମୟ ଆସୁଛି, ଯେତେବେଳେ ଭାରତ ଏକାଧିକ ଟି-ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟ ଖେଳିବ । ସେହି ସମୟ ପାଇଁ ବିସିସିଆଇ ଏବେଠୁ ୩୦ରୁ ୩୫ଜଣ ଖେଳାଳିଙ୍କୁ ନେଇ ଏକ ବିଶାଳ ଦଳ ପ୍ରସ୍ତୁତ କରିବ । ସେପ୍ଟେମ୍ବର ମାସରେ ୱେଷ୍ଟ ଇଣ୍ଡିଜ ଦଳ ଭାରତ ଗସ୍ତରେ ଆସି ୩ଟି ଟି-ଟ୍ୱେଣ୍ଟି ଓ ୫ଟି ଦିନିକିଆ ଖେଳିବ । ଏହି ସମୟ ମଧ୍ୟରେ ଜାପାନରେ ଏସୀୟ କ୍ରୀଡ଼ା ଆୟୋଜିତ ହେବ ।
ସେପ୍ଟେମ୍ବର ମାସ ୧୯ ତାରିଖରୁ ଏସୀୟ କ୍ରୀଡ଼ା ଆରମ୍ଭ ହୋଇ ଅକ୍ଟୋବର ମାସ ୪ ତାରିଖରେ ଶେଷ ହେବ । ଭାରତ ମଧ୍ୟ ଟି-ଟ୍ୱେଣ୍ଟି ଦଳ ପଠାଇବ । ସେପ୍ଟେମ୍ବର ୨୫ରୁ ଅକ୍ଟୋବର ୩ ତାରିଖ ମଧ୍ୟରେ କ୍ରିକେଟ୍ ଅନୁଷ୍ଠିତ ହେବ । ଟି-ଟ୍ୱେଣ୍ଟି ଦଳ ଜାପାନରେ ଏସୀୟ କ୍ରୀଡ଼ା ଖେଳୁଥିବା ସମୟରେ ଦିନିକିଆ ଦଳ ଘରୋଇ ଗ୍ରାଉଣ୍ଡ୍ରେ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଦିନିକିଆ ସିରିଜ ଖେଳିବ । ତେବେ ବିସିସିଆଇ ଉଭୟ ଏସୀୟ କ୍ରୀଡ଼ା ଓ ୱେଷ୍ଟ ଇଣ୍ଡିଜ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ପାଇଁ ୨ଟି ଭିନ୍ନ ଦଳ ପ୍ରସ୍ତୁତ କରିବାକୁ ଚାହୁଁଛି । ଏହା ବ୍ୟତୀତ ସ୍ୱତନ୍ତ୍ର ଦିନିକିଆ ଦଳ ମଧ୍ୟ ରହିବ ।
ଅଧିକ ପଢ଼ନ୍ତୁ :- IPL 2026: ଆଜି ଉପଲ୍ ହାଇଦ୍ରାବାଦ - ଦିଲ୍ଲୀ ମୁକାବିଲା, ସଂଘର୍ଷପୂର୍ଣ୍ଣ ହେବ ଲଢ଼େଇ
ଆଇପିଏଲ୍ ଯୋଗୁଁ ବହୁ ଯୁବ ତଥା ଉଦୀୟମାନ ଖେଳାଳି ସିନିୟର ଦଳ ପାଇଁ ପ୍ରସ୍ତୁତ ହୋଇପାରୁଛନ୍ତି । ବର୍ତ୍ତମାନ ବୈଭବ ସୂର୍ଯ୍ୟବଂଶୀ ସିନିୟର ଦଳରୁ ଖେଳିବା ପାଇଁ ପ୍ରସ୍ତୁତ ଥିବା ବିସିସିଆଇ ଅନୁଭବ କରୁଛି । ହେଲେ ଦଳରେ ପୂର୍ବରୁ ଏକାଧିକ ଓପନର ରହିଛନ୍ତି । ଏହା ବ୍ୟତୀତ ପ୍ରିୟାଂଶ ଆର୍ଯ୍ୟ, ପ୍ରଭସିମରନ ସିଂହ, ଅଙ୍ଗକ୍ରୀଶ ରଘୁବଂଶୀ, ରଜତ ପାତିଦାର, ଦେବଦତ୍ତ ପାଡ଼ିକଲ, ଆୟୂଷ ବାଦୋନିଙ୍କ ଭଳି ଯୁବ ଖେଳାଳି ସିନିୟର ଦଳରେ ସ୍ଥାନ ପାଇବାକୁ ଅପେକ୍ଷା କରିଛନ୍ତି । ଶ୍ରେୟାସ ଆୟର, ରବି ବିଷ୍ଣୋଇ, ପ୍ରସିଦ୍ଧ କ୍ରିଷ୍ଣା, କାର୍ତ୍ତିକ ତ୍ୟାଗୀ, ଧ୍ରୁବ ଜୁରେଲ ପ୍ରମୁଖ ପ୍ରତ୍ୟାବର୍ତ୍ତନ ପାଇଁ ଚୟନକର୍ତ୍ତାଙ୍କୁ ବାଧ୍ୟ କରିସାରିଛନ୍ତି । ଚଳିତ ଆଇପିଏଲରେ ପଞ୍ଜାବର ପ୍ରଦର୍ଶନ ଦେଖିବା ପରେ ବିସିସିଆଇ ଆୟରଙ୍କୁ ଏକ ଦଳର ନେତୃତ୍ୱ ଭାର ପ୍ରଦାନ କରିବାକୁ ଚିନ୍ତା କରୁଥିବା ଜଣା ପଡ଼ିଛି ।