ନୂଆପଡ଼ା,୨।୯(ଆପ୍ର): ଅଭିଯୋଗ ଶୁଣାଣିରେ ନାଳ ନର୍ଦ୍ଦମା ସଫା ହେଉନି ବୋଲି ଲୋକେ ବିଡିଓଙ୍କୁ ଅଭିଯୋଗ କଲେ। ବିଡିଓ ଅଭିଯୋଗ ଶୁଣିବା ପରେ ନିଜେ ନାଳ ନର୍ଦ୍ଦମା ସଫା କରିଥିଲେ। ସିନାପାଲି ବ୍ଲକ ସଦର ମହକୁମା ସିନାପାଲି ପଞ୍ଚାୟତରେ ଗାଁରେ ଏହା ଦେଖିବାକୁ ମିଳିଛି।
ସୋମବାର ଦିନ ସିନାପାଲି ବ୍ଲକ ସଦର ମହକୁମା ସିନାପାଲି ପଞ୍ଚାୟତରେ ଗାଁରେ ପ୍ରଶାସନ କାର୍ଯ୍ୟକ୍ରମ ଥିଲା l ସମସ୍ତ ବ୍ଲକ୍ ସ୍ତରୀୟ ଅଧିକାରୀମାନେ ଲୋକଙ୍କ ଅଭିଯୋଗ ଶୁଣିବାକୁ ଯୋଗ ଦେଇଥିଲେ l ହଠାତ୍ କିଛି ଲୋକ ଅଭିଯୋଗ ଦେବାକୁ ଆସିଥିଲେ l ଅଭିଯୋଗ ଥିଲା, ତାଙ୍କ ଘର ପାଖରେ ଥିବା ନାଳ ସଫା ହେଉ ନାହିଁ l ଅଭିଯୋଗ ଶୁଣାଣୀ ଶିବିରରେ ବସି ଥିବା ସିନାପାଲି ବିଡ଼ିଓ କାର୍ମି ଓରାମ ନିଜ ଅଧିକାରୀଙ୍କ ସହ ଅଭିଯୋଗ ହୋଇ ଥିବା ସ୍ଥାନକୁ ଗଲେ l ନାଳରେ ବହୁତ୍ ମଇଳା ଥିଲା l ନିଜେ ନିଜ ହାତରେ ସଫା କରିଥିଲେ l ଅଭିଯୋଗକାରୀମାନେ ଏ କାର୍ଯ୍ୟ ନ କରିବାକୁ ବିଡ଼ିଓଙ୍କୁ ମନା ବି କଲେ। କିନ୍ତୁ ବିଡ଼ିଓ କାହା କଥା ନ ମାନି ନିଜେ ନର୍ଦ୍ଦମା ସଫା କଲେ l ଲୋକଙ୍କୁ କହି ଥିଲେ, ନିଜେ ବି କିଛି କରନ୍ତୁ l ସବୁ ପ୍ରଶାସନ ଉପରେ ବୋଝ ଦେଲେ ହେବନି l