ପୁରୀ,୦୯/୦୩: ବହୁଥର ମଟନ ଖାଇଛୁ । ଏବେ ମଟନ୍‌ ନାଁ ଶୁଣିଲେ ବିତୃଷ୍ଣା ଆସୁଛି । ମଟନ୍‌  ଉପରୁ ଏବେ ବିଶ୍ୱାସ ତୁଟିଯାଇଛି । ପୂର୍ବରୁ ଆମେ ବି ଗୋରୁ ମାଂସ ଖାଇନୁ ତ! ଗୋରୁ ମାଂସ କିଏ ଛେଳି ମାଂସ କିଏ ଆମେ ସାଧାରଣ ଲୋକ ଜାଣିବା କେମିତି? । ଏବେ ମଟନ୍‌ରେ ଆଗ୍ରହ ରଖିଥିବା ଲୋକଙ୍କ ମନରେ ଏହି ଚିନ୍ତା । ଜିଲ୍ଲା ତଥା ସହରକୁ ଗୋମାଂସ ଚାଲାଣ ନେଇ ଯୁବକଙ୍କ ବୟାନ୍‌ର ଭିଡିଓ  ଭାଇରାଲ୍‌ ହେବା ପରେ ଲୋକଙ୍କ ମନରେ ଏଭଳି  ଆତଙ୍କ  । ସାକ୍ଷୀଗୋପାଳ କଲେଜ୍‌ ଛକ ସ୍ଥିତ ଜୟା  ହୋଟେଲ୍‌ ସହ ପୁରୀ ସହରର ବଡ଼ ମଟନ୍‌ ବ୍ୟବସାୟୀ  କୁମ୍ଭାରପଡ଼ାର ବାବୁ ମିଆଁ ଦୋକାନରେ ବି ତାଲା  ଝୁଲିଛି । ଏଠାକୁ ଗୋମାଂସ ଚାଲାଣ ହେଉଥିବା  ସୂଚନା ଥିବା ଉକ୍ତ ଭିଡିଓ ଭାଇରାଲ୍‌ ହେବା ପରେ  ଉଭୟ ସ୍ଥାନରେ ପୁଲିସ ଓ ଖାଦ୍ୟ ନିରାପତ୍ତା ଅଧିକାରୀ  ଚଢ଼ଉ କରି ସିଲ୍‌ କରିଛନ୍ତି । ବାବୁ ମିଆଁକୁ ପୁଲିସ  ଉଠାଇ ନେଇ ପଚରା ଉଚରା କରିବା ସହ ତା’  ଦୋକାନ ସିଲ୍‌ କରିବା ପରେ ଛାଡ଼ି ଦିଆଯାଇଥିବା  ସିଟି ଡିଏସ୍‌ପି ପ୍ରଶାନ୍ତ କୁମାର ସାହୁ କହିଛନ୍ତି । 

ଭିଡିଓ ଭାଇରାଲ୍‌ ହେବା ପରେ ମଟନ୍‌ରେ  ଗୋମାଂସ ମିଶାଯାଉଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି ।  ମଟନ୍‌ ନାଁ ଶୁଣିଲେ ଲୋକେ ଏବେ ଭୟ କରୁଛନ୍ତି ।  ତେଣୁ ଜିଲ୍ଲା ତଥା ସହରର ବିଭିନ୍ନ ସ୍ଥାନରେ ନିୟମିତ  ଭାବେ ହେଉଥିବା ମଟନ କାରବାର ପ୍ରଭାବିତ  ହୋଇଛି । ୨ ଦିନ ଧରି ଅନେକ ସ୍ଥାନରେ ମଟନ୍‌ ବିକ୍ରି  ବନ୍ଦ ହୋଇଛି । ଏପରିକି ବିଭିନ୍ନ ସ୍ଥାନରେ ଘିଅଅନ୍ନ  ମଟନ ନାମରେ ଖୋଲିଥିବା ଭୋଜନାଳୟରେ ମଧ୍ୟ ତାଲା ଝୁଲୁଛି । ସହରରେ ୪୯ଟି ନାମୀଦାମୀ ଘରୋଇ  ହୋଟେଲ୍‌ ଓ ୧୫ଟି ବଡ଼ ଭୋଜନାଳୟ ରହିଛି ।  ଏପରିକି ସହର ଓ ଏହାର ଆଖପାଖରେ ପ୍ରାୟ ୨୦ଟି  ଛୋଟ ଭୋଜନାଳୟ ମଧ୍ୟ ରହିଛି । ଅଳ୍ପ କିଛି ସ୍ଥାନରେ  ନିରାମିଷ ଭୋଜନ ମିଳୁଥିବାବେଳେ ବହୁସ୍ଥାନରେ ଆମିଷ ଭୋଜନ ମିଳୁଛି । ଏହି ସ୍ଥାନମାନଙ୍କୁ  ବ୍ୟବସାୟୀମାନେ ମଟନ୍‌ ଯୋଗାଇ ଆସୁଥିଲେ । ସେହିପରି ବିବାହ ଭୋଜି ସମୟରେ ବହୁ ମାତ୍ରାରେ  ମଟନ୍‌ ବିକ୍ରି କରୁଥିଲେ ବ୍ୟବସାୟୀ । ତେବେ ଗୋମାଂସ  ଚାଲାଣ ସୂଚନା ନେଇ ଭିଡିଓ ଭାଇରାଲ୍‌ ପରେ ଏବେ  ଏହି ସମସ୍ତ ସ୍ଥାନରେ ମଟନ୍‌ କାରବାର ପ୍ରଭାବିତ  ହୋଇଥିବା ସୂଚନା ମିଳିଛି । ହାତ ଗଣତି କିଛି ସ୍ଥାନରେ  ଲୋକଙ୍କ ଉପସ୍ଥିତିରେ ଛେଳି କଟାଯାଇ ମଟନ୍‌ ବିକ୍ରି  ହୋଇଥିବା ଦେଖିବାକୁ ମିଳିଛି । ପୂର୍ବରୁ କଟାଯାଇଥିବା  ମାଂସକୁ ଲୋକେ କିଣୁନଥିବା ନଜରକୁ ଆସିଛି । 

ଅନ୍ୟପଟେ ଜୟା ହୋଟେଲ୍‌ ଓ ବାବୁ ମିଆଁ  ଦୋକାନରୁ ନମୁନା ସଂଗ୍ରହ କରାଯାଇଛି । ଏହାର  ପରୀକ୍ଷା ରିପୋର୍ଟ ଆସିଲେ ଅଧିକ ତଦନ୍ତ ହେବ  ବୋଲି କହିଛନ୍ତି ଅତିରିକ୍ତ ଏସ୍‌ପି ବିଷ୍ଣୁପ୍ରସାଦ  ପତି । ଗୋମାଂସ ଚାଲାଣ ତଥ୍ୟ ଦେଇଥିବା ଯୁବକ  ସତ୍ୟବାଦୀ ଥାନା ଅଧୀନ ଅହମ୍ମଦପୁରର ମୀର୍‌  ସୟଦ୍‌ ଅଲ୍ଲୀ (୨୫) ଆକ୍ରମଣର ଶିକାର ହୋଇ  ଏବେ ସଙ୍ଗିନ ଅବସ୍ଥାରେ ଭୁବନେଶ୍ୱର ସ୍ଥିତ ଏକ  ଘରୋଇ ହସ୍ପିଟାଲ୍‌ର ଭେଣ୍ଟିଲେଟର୍‌ରେ ଥିବା  କହିଛନ୍ତି ଅତିରିକ୍ତ ଏସ୍‌ପି ଶ୍ରୀ ପତି । ସେ ଏହି  ୨ଟି ଠିକଣା ସହ ଉକ୍ତ ଭିଡିଓରେ ଆଉ କିଛି ନାଁ ନେଇଛି। ତେବେ ସେହି ବ୍ୟକ୍ତି କିଏ ବୋଲି ପୁଲିସ  ପତ୍ତା ପାଉନି । ଏପରିକି ମୀର୍‌କୁ ଆକ୍ରମଣ କରୁଥିବା  ବ୍ୟକ୍ତିମାନେ ମଧ୍ୟ ଚିହ୍ନଟ ହୋଇ ପାରିନାହାନ୍ତି । ତେଣୁ ଏହି ଆକ୍ରମଣକାରୀ କିମ୍ବା ମୀର୍‌ ଏ ସମ୍ପର୍କରେ ଅଧିକ ତଥ୍ୟ ଦେଇପାରିବେ ବୋଲି ଅତିରିକ୍ତ  ଏସ୍‌ପି କହିଛନ୍ତି । ତେଣୁ ମୀର୍‌ ସୁସ୍ଥ ହେବା ପରେ  ଓ ଆକ୍ରମଣକାରୀମାନେ ଧରାପଡ଼ିଲେ ଅଧିକ  ପଚରା ଉଚରା କରାଯାଇ କେଉଁ ଅଞ୍ଚଳକୁ ଓ କାହା  ମାଧ୍ୟମରେ ଗୋମାଂସ ଚାଲାଣ ହେଉଥିଲା ତାହାର  ପ୍ରକୃତ ତଥ୍ୟ ମିଳି ପାରିବ ବୋଲି ସେ କହିଛନ୍ତି ।