କଟକ,୩୦/୦୩: ରାଜ୍ୟରେ ବ୍ୟାଚେଲର୍ ଇନ୍ ଏଜୁକେସନ୍(ବିଏଡ୍) ପାଠ୍ୟକ୍ରମରେ ନାମଲେଖା ପାଇଁ ଆଗ୍ରହ ବଢ଼ୁଥିବା ଦେଖିବାକୁ ମିଳିଛି । ବିଏଡ୍ ପ୍ରବେଶିକା ପରୀକ୍ଷା ପାଇଁ ଗତ ୨୩ ତାରିଖରୁ ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହା ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ୭ ଦିନ ମଧ୍ୟରେ ବିଏଡ୍ରେ ନାମଲେଖା ପାଇଁ ଥିବା ସିଟ୍ ସଂଖ୍ୟାଠାରୁ ବହୁ ଗୁଣା ଅଧିକ ଛାତ୍ରଛାତ୍ରୀ ଆବେଦନ କରିଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଅବିଭକ୍ତ କୋରାପୁଟ ଭାବେ ୪ଟି ଜିଲ୍ଲାରେ ବିଏଡ୍ ପାଠ୍ୟକ୍ରମର ଭିତ୍ତିଭୂମି ବଢ଼ାଇବା ସହ ଇଣ୍ଟ୍ରିଗ୍ରେଟେଡ୍ ବିଏଡ୍(ଆଇଟିଇପି)ପାଠ୍ୟକ୍ରମ ଆରମ୍ଭ କରିବାକୁ ରେଭେନ୍ସା ବିଶ୍ୱବିଦ୍ୟାଳୟର ଜଣେ ଛାତ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଉଚ୍ଚଶିକ୍ଷା ମନ୍ତ୍ରୀ ଏବଂ ସଚିବଙ୍କୁ ଚିଠି ଲେଖିଛନ୍ତି । ଏଥିସହ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ତାଙ୍କ ନିକଟକୁ ଏକ ଚିଠି ଆସିଛି ।
ଷ୍ଟୁଡେଣ୍ଟ୍ ଏକାଡେମିକ୍ ମ୍ୟାନେଜ୍ମେଣ୍ଟ୍ ସିଷ୍ଟମରୁ(ସାମ୍ସ) ମିଳିଥିବା ତଥ୍ୟ ଅନୁଯାୟୀ, ରାଜ୍ୟରେ ବିଏଡ୍ ପାଠ୍ୟକ୍ରମ ପାଇଁ ମୋଟ୍ ୩୧ଟି ଅନୁଷ୍ଠାନ ରହିଛି । ଏହି ଶିକ୍ଷାନୁଷ୍ଠାନରେ ମୋଟ୍ ସିଟ୍ ସଂଖ୍ୟା ରହିଛି ୨ ହଜାର ୮୦୦ । ତେବେ ୨୩ ତାରିଖରୁ ୨୯ ତାରିଖ ରାତି ମଧ୍ୟରେ ବିଏଡ୍ ପାଠ୍ୟକ୍ରମରେ ନାମଲେଖା ପାଇଁ ୨୯ ହଜାର ୩୦୦ରୁ ଅଧିକ ଛାତ୍ରଛାତ୍ରୀ ଅନ୍ଲାଇନ୍ରେ ଆବେଦନ କରିଥିବା ଦେଖିବାକୁ ମିଳିଛି । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ମୋଟ୍ ସିଟ୍ ସଂଖ୍ୟାଠାରୁ ପ୍ରାୟ ୨୦ ପ୍ରତିଶତରୁ ଅଧିକ ଛାତ୍ରଛାତ୍ରୀ ଏଥିପାଇଁ ଆବେଦନ କରିଛନ୍ତି । ଏମାନଙ୍କ ମଧ୍ୟରୁ ୨୭ ହଜାରରୁ ଅଧିକ ଛାତ୍ରଛାତ୍ରୀ ଅନ୍ଲାଇନ୍ ଦେୟ ପଇଠ କରିଛନ୍ତି ।
ମେ’ ୩୧ରେ ବିଏଡ୍ ପାଇଁ ପ୍ରବେଶିକା ପରୀକ୍ଷା ହେବାକୁ ଥିବା ବେଳେ ଜୁନ୍ ୩ରେ ଏମ୍ଏଡ୍ ଏବଂ ବିଏଚ୍ଏଡ୍ର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଅନ୍ୟପଟେ ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଏବଂ କୋରାପୁଟ୍ ଜିଲ୍ଲା ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ବିଏଡ୍ ପାଠ୍ୟକ୍ରମର ଆବଶ୍ୟକ ଶିକ୍ଷାନୁଷ୍ଠାନ ନଥିବା ବେଳେ ବିଏଡ୍ ଭିତ୍ତିଭୂମି ବଢ଼ାଇବା ସହ ଇଣ୍ଟ୍ରିଗ୍ରେଟେଡ୍ ବିଏଡ୍(ଆଇଟିଇପି)ପାଠ୍ୟକ୍ରମ ଆରମ୍ଭ କରିବାକୁ ରେଭେନ୍ସା ବିଶ୍ୱବିଦ୍ୟାଳୟର ପିଏଚ୍ଡି ଛାତ୍ର ରାଜେଶ ବଗର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଉଚ୍ଚଶିକ୍ଷା ମନ୍ତ୍ରୀ ଏବଂ ସଚିବଙ୍କୁ ଅଭିଯୋଗ ପ୍ରକୋଷ୍ଠରେ କିଛି ମାସ ତଳେ ଅବଗତ କରିଥିଲେ । ଏହାର ଉତ୍ତରରେ ଗତ ଫେବ୍ରୁଆରୀ ମାସରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜେଶଙ୍କ ନିକଟକୁ ଆସିଥିବା ଚିଠିରେ ଆବଶ୍ୟକ ପଦକ୍ଷେପ ନେବା ସହ ରାଜ୍ୟର ବହୁମୁଖି ଉଚ୍ଚ ଶିକ୍ଷାନୁଷ୍ଠାନରେ ୪ ବର୍ଷିଆ ଇଣ୍ଟ୍ରିଗ୍ରେଟେଡ୍ ବିଏଡ୍(ଆଇଟିଇପି) ପାଠ୍ୟକ୍ରମ ଖୋଲିବ ବୋଲି କୁହାଯାଇଛି ।