ଫିଫା ବିଶ୍ବକପ୍ ୨୦୨୨: ହାରିବା ପରେ ବେଲଜିୟମ୍ରେ ଦଙ୍ଗା ଭଳି ସ୍ଥିତି, ଭଙ୍ଗାରୁଜା ସହ ଗାଡ଼ି ପୋଡିଲେ ପ୍ରଶଂସକ

କତରରେ ଜାରି ଫିଫା ଓ୍ବାର୍ଲ୍ଡକପ୍ ୨୦୨୨ରେ ଲଗାତାର ବହୁ ପରିବର୍ତ୍ତନ ଦେଖିବାକୁ ମିଳିଛି। ରବିବାର ଫିପା ରାଙ୍କିଙ୍ଗରେ ନମ୍ବର-୨ ଟିମ୍ ବେଲଜିୟମ୍କୁ ମୋରକ୍କୋ ହାତରୁ ୦-୨ ରେ ହାରିବାକୁ ପଡିଥିଲା। ଏହା ଏକ ବଡ ପରିବର୍ତ୍ତନରୁ ଗୋଟିଏ ବୋଲି ମନେକରାଯାଏ, ଏହାର ପ୍ରଭାବ ପଡିଆରୁ ନେଇ ସଡକ ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା। ଏହି ପରାଜୟ ପରେ ବେଲଜିୟମରେ ପ୍ରଶଂସକମାନେ ରାଗରେ ନିୟନ୍ତ୍ରଣ ହରାଇ ବସିଥିଲେ ଓ ଅଲଗା ଅଲଗା ସହରରେ ଦଙ୍ଗା ଭଳି ସ୍ଥିତି ସୃଷ୍ଟି ହୋଇଥିଲା।
ସମାଚାର ଏଜେନ୍ସି ରଏଟର୍ସ ଅନୁସାରେ, ଓ୍ବାର୍ଲ୍ଡକପ୍ ମ୍ୟାଚ୍ରେ ମିଳିଥିବା ପରାଜୟ ପରେ ବେଲଜିୟମ୍ର ରାଜଧାନୀ ବ୍ରସେଲ୍ସରେ ପ୍ରଶଂସକମାନେ ରାସ୍ତା ଉପରକୁ ଆସିଯାଇଥିଲେ ଓ ଟିମ୍ ବିରୋଧରେ ନାରାବାଜି କରିଥିଲେ। ଏଠାରେ ବହୁ ସଂଖ୍ୟାରେ ଲୋକମାନେ ଗାଡି ଓ ବାଇକରେ ବାହାରି ବିରୋଧ ପ୍ରଦର୍ଶନ କରିଥିଲେ। ଦେଖୁ ଦେଖୁ ବିରୋଧ ହିଂସାରେ ପରିଣିତ ହୋଇଥିଲା। ବହୁ ସ୍ଥାନରେ ମୋରକ୍କୋ ଓ ବେଲଜିୟମର ପ୍ରଶଂସକ ମୁହାଁମୁହିଁ ହୋଇଥିଲେ ଓ ଦୁଇଟି ଗ୍ରୁପ୍ରେ ସଂଘର୍ଷ ହୋଇଥିଲା। ସଂଘର୍ଷ ଏତେ ଅଧିକ ବଢିଯାଇଥିଲା ଯେ, ସାର୍ବଜନୀକ ବାହନ ମଧ୍ୟ କ୍ଷତିଗସ୍ତ ହୋଇଥିଲା।
ଫୁଟବଲ୍ ଫ୍ୟାନ୍ ଏଠାରେ ବ୍ରସେଲ୍ସର ହାଇଓ୍ବେରେ ଦଙ୍ଗା କରିଥିଲେ। ସାର୍ବଜନୀକ ଜିନିଷକୁ କ୍ଷତି କରାଯାଇଥିଲା, ବାହାନ ଭଙ୍ଗାରୁଜା ମଧ୍ୟ କରାଯାଇଥିଲା। ସନ୍ଧ୍ୟା ପ୍ରାୟ ୭ଟା ବେଳେ ଆରମ୍ଭ ହୋଇଥିବା ହିଂସାକାଣ୍ଡ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାରି ରହିଥିଲା। ଏହାପରେ ପୋଲିସ ବହୁ ଲୋକଙ୍କୁ ଗିରଫ କରିଥିଲା। ସ୍ଥାନୀୟ ପ୍ରଶାସନ ଦ୍ବାରା ଏହା ଭିତରେ ମେଟ୍ରୋ ଓ ଅନ୍ୟ ସାର୍ବଜନୀକ ବାହାନର ସର୍ଭିସ ଉପରେ କିଛି ସମୟ ପାଇଁ ରୋକ ଲଗାଇ ଦିଆଯାଇଥିଲା। ମେଟ୍ରୋ ଷ୍ଟେସନ୍ର ଗେଟ୍ ବନ୍ଦ କରିଦିଆଯାଇଥିଲା, ଯାହାଫଳରେ ପ୍ରଦର୍ଶନକାରୀ ଏହି ସ୍ଥାନରେ ଯେପରି ଏଣ୍ଟ୍ରି ନେଇପାରିବେନି। ଏବେ ବି ବ୍ରସେଲ୍ସରେ ଅଲଗା ଅଲଗା ସ୍ଥାନରେ କିଛି କଟକଣା ଲଗାଯାଇଛି ଓ ସ୍ଥିତି ସ୍ବାଭାବିକ ହେବାର ଅପେକ୍ଷା କରାଯାଉଛି।
ବ୍ରସେଲ୍ସ ପୋଲିସର ମୁଖପାତ୍ର ଇଲସେ୍ ଭେନ୍ ଡେ କିରୋ କହିଛନ୍ତି, ବହୁ ଦଙ୍ଗାକାରୀ ରାସ୍ତା ଉପରକୁ ଆସି କାର, ଇ-ସ୍କୁଟରରେ ନିଆଁ ଲଗାଇ ଦେଇଥିଲେ ଓ ଗାଡି ଉପରେ ଟେକାପଥର ମାଡ କରିଥିଲେ। ଘଟଣାରେ ଜଣେ ବ୍ୟକ୍ତି ଆହତ ହେବାପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ବ୍ରସେଲ୍ସ ବ୍ୟତୀତ ନେଦରଲାଣ୍ଡରେ ମଧ୍ୟ ହଙ୍ଗାମା ହୋଇଥିଲା, ଏଠାରେ ସ୍ଥାନୀୟ ପୋଲିସର କହିବା ଅନୁସାରେ, ରଟରଡ୍ୟାମ୍ରେ ହିଂସାକାଣ୍ଡ ସୃଷ୍ଟି ହୋଇଥିଲା ଦଙ୍ଗାବିରୋଧୀ ଅଧିକାରୀମାନେ ପ୍ରାୟ ୫୦୦ ଲୋକଙ୍କ ଫୁଟବଲ ସମର୍ଥକ ଗୋଷ୍ଠୀଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ,ଯିଏକି ପୋଲିସ ଉପରେ ଟେକାପଥର ମାଡ କରିଥିଲେ ଓ ଗାଡି ଭଙ୍ଗାରୁଜା କରିଥିଲେ। ନେଦରଲାଣ୍ଡରେ ଘଟିଥିବା ଏହି ହିଂସାକାଣ୍ଡରେ ଦୁଇ ପୋଲିସ ଅଧିକାରୀ ଆହତ ହୋଇଛନ୍ତି। ରବିବାର ସନ୍ଧ୍ୟାରେ ବହୁ ସହରରେ ହିଂସାକାଣ୍ଡ ଘଟିଥିବା ସୂଚନା ମିଳିଥିଲା।