ପାପଡାହାଣ୍ଡି, ୮।୭ (ଆପ୍ର) ଅନ୍ତ୍ୟୋଦୟ ଗୃହ ଯୋଜନାର କାର୍ଯ୍ୟଦେଶ ପାଇବାର ତିନି ମାସ ପରେ ମଧ୍ୟ ମିଳିନାହିଁ ପ୍ରଥମ କିସ୍ତି। ହିତାଧିକାରୀ ନିଜ କୁଡ଼ିଆ ଭାଙ୍ଗି ଘର ନିର୍ମାଣ ପାଇ ପ୍ରସୂତି ହୋଇଥିଲେ । ଲଗାଣ ବର୍ଷାରେ ବର୍ତ୍ତମାନ ଜରି ଢାଙ୍କି ମୁଣ୍ଡ ଗୁଞ୍ଜି ହନ୍ତସନ୍ତ ହେଉଛନ୍ତି ପରିବାର ଲୋକେ । ଏନେଇ ମଙ୍ଗଳବାର ପାପଡାହାଣ୍ଡି ବ୍ଲକ କାର୍ଯ୍ୟଳୟ ବୈଠକ ସଭା କକ୍ଷରେ ଏପିଡିକୁ ଘେରିଲେ ଅନ୍ତ୍ୟୋଦୟ ଗୃହ ଯୋଜନା ହିତାଧିକାରୀ । କିନ୍ତୁ ହିତାଧିକାରୀ ସମସ୍ୟାର ସମାଧାନ ହୋଇପାରିନାହିଁ ।
ସୂଚନା ଅନୁଯାୟୀ ୨୦୨୪-୨୫ ଆର୍ଥିକ ବର୍ଷର ଅନ୍ତ୍ୟୋଦୟ ଯୋଜନାରେ ପାପଡାହାଣ୍ଡି ବ୍ଲକରେ ୪୧୬ ଜଣ ହିତାଧିକାରୀକୁ କାର୍ଯ୍ୟାଦେଶ ଦିଆଯାଇଥିଲା । କାର୍ଯ୍ୟଦେଶ ମିଳିବା ମାତ୍ରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୪୦ ହଜାର ଟଙ୍କା ଜମା ହେବା ନିୟମ ରହିଛି । କିନ୍ତୁ ତିନି ମାସ ବିତିଗଲା ପରେ ମଧ୍ୟ ପ୍ରଥମ କିସ୍ତି ମିଳିନାହିଁ । ହିତାଧିକାରୀ କାର୍ଯ୍ୟଦେଶ ପାଇବା ମାତ୍ରେ ନିଜ ଘର କୁଡ଼ିଆ ଭାଙ୍ଗି ନିଜ ବ୍ୟବସ୍ଥା ଅନୁଯାୟୀ ଭାଙ୍ଗିଥିବା କୁଡ଼ିଆ ନିକଟରେ ପଲିଥିନ ଢାଙ୍କି ରହିଛନ୍ତି । ଏଥି ସହ ଦୋକାନ ଓ ଟ୍ରାକ୍ଟର ମାଲିକ ଠାରୁ ଧାରକରଜ କରି ବାଲି, ଇଟା, ସିମେଣ୍ଟ ଆଣି ନିଜ ଘର କାର୍ଯ୍ୟ ଆରମ୍ଭ କରିଥିଲେ। ଲଗାଣ ବର୍ଷାରେ ଜରି ତଳେ ରହି ହନ୍ତସନ୍ତ ହେଉଛନ୍ତି ପରିବାର । ବର୍ତ୍ତମାନ ଧାରକରଜ ଦେଇଥିବା ଦୋକାନ ମାଲିକ, ଟ୍ରାକ୍ଟର ମାଲିକ ହିତାଧିକାରୀକୁ ଟଙ୍କା ଦେବା ପାଇ ବାଧ୍ୟ କରୁଛନ୍ତି । ଏନେଇ ବ୍ଲକ କାର୍ଯ୍ୟଳୟ ବାରମ୍ବାର ନିଜ ଗୁହାରି ଜଣେଇଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ବୋଲି ହିତାଧିକାରୀ କହିଛନ୍ତି ।
ଏପିଡି ଦେବସ୍ମିତା କର ପାପଡାହାଣ୍ଡି ବ୍ଲକ କାର୍ଯ୍ୟାଳୟ ଗସ୍ତରେ ଆସିଥିଲେ । ଏହା ଜାଣି ଅନ୍ତ୍ୟୋଦୟ ହିତାଧିକାରୀ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଏପିଡି ଦେବସ୍ମିତା କର, ବିଡ଼ିଓ କପିଳଦେବ ସାହୁ, ବିପିସି ଶଶିକାନ୍ତ ଦାସଙ୍କୁ କମଳା ମାଝୀ,ସଂଗୀତା ଯାନୀଦୁତିକା କନ୍ଦ,ରୁକୁଣି ଭତରା,ସୋନାଦି ଭତରା ଘେରିଥିଲେ। ଏପିଡି କହିଥିଲେ ବର୍ତ୍ତମାନ ରାଜ୍ୟସ୍ତରରୁ ଆବାସ ପାଇ ଟଙ୍କା ଆସୁଛି । ଆମ ହାତରେ କିଛି ନାହିଁ, ଅଳ୍ପ ଦିନ ମଧ୍ୟରେ ଆପଣ ମାନେ ନିଜ ନିଜ କିସ୍ତି ପାଇଯିବେ କହିଥିଲେ। ପୂର୍ବରୁ ଆଧାର କାର୍ଡ ଅନୁଯାୟୀ ଟଙ୍କା ଆସୁଥିଲା ବର୍ତ୍ତମାନ ଆକାଉଣ୍ଟ ପେ ଅନୁଯାୟୀ ଟଙ୍କା ମିଳିବ ବୋଲି ସୂଚନା ମିଳିଥିଲା । ହିତାଧିକାରୀ ସମସ୍ୟାର ସମଧାନର ବାଟ ନପାଇ ଚିନ୍ତା ରେ ପଡିଛନ୍ତି । ସେ ଘର ବାବଦରେ ଧାର କରଜ କେମିତି ସୁଝିବେ. ବର୍ତ୍ତମାନ ଲଗାଣ ବର୍ଷାରେ ପଲିଥିନ ଢାଙ୍କି ରହୁଛନ୍ତି ବୋଲି କହିଛନ୍ତି । ବର୍ତ୍ତମାନ ଘରର କାନ୍ଥ ପର୍ଯ୍ୟନ୍ତ ଘର ନିର୍ମାଣ ହୋଇଯାଇଛି । ଟଙ୍କା ନଥିବାରୁ ସେ ଘର କାମ କରିପାରୁନାହାନ୍ତି । ବର୍ତ୍ତମାନ ଲଗାଣ ବର୍ଷାରେ କାନ୍ଥ ଭୁଶୁଡି ଯିବା ସମ୍ଭାବନା ରହିଛି । ଏପରିକି ପ୍ରଥମ କିସ୍ତି ପାଇଥିବା ୨୯୬ ଜଣ ମଧ୍ୟ ଘର ନିର୍ମାଣ କରି ଦ୍ୱିତୀୟ କିସ୍ତିକୁ ଅନାଇ ରହିଛନ୍ତି ।
ସରକାରଙ୍କ ନିୟମ ଅନୁଯାୟୀ କାର୍ଯ୍ୟଦେଶ ସହ ୪୦ ହଜାର ଟଙ୍କା, ଛାତ ସ୍ତରରେ ୬୫ ହଜାର ଟଙ୍କା,ଗୃହ ନିର୍ମାଣ କାର୍ଯ୍ୟ ଶେଷ ପରେ ୧୫ ହଜାର ଟଙ୍କା ପାଇବା ନିୟମ ରହିଛି ।ସୀମିତ ସମୟରେ ଘର କାମ ସମ୍ପୂର୍ଣ୍ଣ କରିବା ପରେ ଅତିରିକ୍ତ ଭାବେ ୧୦ ହଜାର ଟଙ୍କା ପାଇବା ନିୟମ ରହିଛି ।