କୋଲକାତା, ୧୩।୫: ପଶ୍ଚିମବଙ୍ଗରେ କ୍ଷମତା ପରିବର୍ତ୍ତନ ପରେ ଏବେ ଆକ୍ସନ ମୋଡ୍ରେ ଶୁଭେନ୍ଦୁ ଅଧିକାରୀଙ୍କ ସରକାର । ରାଜ୍ୟରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଏବଂ ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଲାଉଡସ୍ପିକର ବ୍ୟବହାରକୁ ନେଇ ସରକାର ନୂଆ ଗାଇଡଲାଇନ ଜାରି କରିବା ସହ ପୋଲିସ ବିଭାଗକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, କୌଣସି ବି ଧାର୍ମିକ ସ୍ଥଳ, ପୂଜାପାର୍ବଣ କିମ୍ବା ସାର୍ବଜନୀନ କାର୍ଯ୍ୟକ୍ରମରେ ହାଇକୋର୍ଟଙ୍କ ଦ୍ୱାରା ନିର୍ଦ୍ଧାରିତ ମାନକର ଉଲ୍ଲଂଘନକୁ ବରଦାସ୍ତ କରାଯିବ ନାହିଁ । ସରକାର ସ୍ପଷ୍ଟ କରିଛନ୍ତି ଯେ, ଏହି ନିୟମ ମନ୍ଦିର, ମସଜିଦ୍ କିମ୍ବା ଅନ୍ୟ କୌଣସି ଧାର୍ମିକ ଅନୁଷ୍ଠାନ ପାଇଁ ସମାନ ଭାବେ ଲାଗୁ ହେବ । କୌଣସି ନିର୍ଦ୍ଦିଷ୍ଟ ଧର୍ମ ପାଇଁ କୋହଳ ମନୋଭାବ ପୋଷଣ କରାଯିବ ନାହିଁ । ପ୍ରତିଟି ଅଞ୍ଚଳରେ ଲାଉଡସ୍ପିକରର ଶବ୍ଦ ଉପରେ ନଜର ରଖିବାକୁ ପୋଲିସକୁ କୁହାଯାଇଛି । ଯଦି ନିର୍ଦ୍ଧାରିତ 'ଡେସିବେଲ୍'ରୁ ଅଧିକ ଶବ୍ଦରେ ମାଇକ୍ ବାଜେ, ତେବେ ପ୍ରଶାସନ ତୁରନ୍ତ ଲାଉଡସ୍ପିକର ଜବତ କରିବା ସହ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।

ଅବୈଧ ଟୋଲ୍ ଆଦାୟ ଉପରେ ସର୍ଜିକାଲ ଷ୍ଟ୍ରାଇକ:

ଲାଉଡସ୍ପିକର ବ୍ୟତୀତ ରାଜ୍ୟରେ ଚାଲିଥିବା ବେଆଇନ ଟୋଲ୍ ଆଦାୟ ବା 'ଚାନ୍ଦା ଆଦାୟ' ଉପରେ ମଧ୍ୟ ରୋକ୍ ଲଗାଇଛନ୍ତି ସରକାର । ପଶ୍ଚିମବଙ୍ଗର ବିଭିନ୍ନ ଜିଲ୍ଲାରେ ଗାଡ଼ି ମୋଟର ଯାତାୟାତ ସମୟରେ ଜବରଦସ୍ତି ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗକୁ ସରକାର ଗମ୍ଭୀରତାର ସହ ନେଇଛନ୍ତି । ଯେଉଁ ଟୋଲ୍ ଗେଟ୍, ଡ୍ରପ୍ ଗେଟ୍ କିମ୍ବା ବ୍ୟାରିକେଡ୍କୁ ରାଜ୍ୟ ସରକାର କିମ୍ବା ସକ୍ଷମ କର୍ତ୍ତୃପକ୍ଷ ଅନୁମୋଦନ ଦେଇନାହାନ୍ତି, ସେଗୁଡ଼ିକୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମ୍ପୃକ୍ତ ଜିଲ୍ଲାର ଜିଲ୍ଲା ମାଜିଷ୍ଟ୍ରେଟମାନଙ୍କୁ ସେମାନଙ୍କ ଅଞ୍ଚଳରେ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିବାକୁ କୁହାଯାଇଛି । ଏହି ବେଆଇନ ଟୋଲ୍ ଗେଟ୍ ଗୁଡ଼ିକ ଯେପରି ପୁନର୍ବାର ସ୍ଥାପିତ ନ ହୁଏ, ସେଥିପାଇଁ ନିରନ୍ତର ପାଟ୍ରୋଲିଂ କରିବାକୁ ନିର୍ଦ୍ଦେଶ ରହିଛି ।

ସାଧାରଣ ଜନତାଙ୍କୁ ମିଳିବ ଆଶ୍ୱସ୍ତି:

ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ସାଧାରଣ ଜନତା ବିଶେଷ କରି ରୋଗୀ, ଛାତ୍ରଛାତ୍ରୀ ଏବଂ ବୃଦ୍ଧବୃଦ୍ଧାମାନେ ଶବ୍ଦ ପ୍ରଦୂଷଣରୁ ମୁକ୍ତି ପାଇବେ ବୋଲି ଆଶା କରାଯାଉଛି । ଅନ୍ୟପଟେ, ବେଆଇନ ଟୋଲ୍ ବନ୍ଦ ହେବା ଫଳରେ ପରିବହନ କ୍ଷେତ୍ରରେ ସ୍ୱଚ୍ଛତା ଆସିବା ସହ ବ୍ୟବସାୟୀ ଏବଂ ଟ୍ରକ୍ ଚାଳକମାନେ ଆଶ୍ୱସ୍ତି ପାଇବେ । ରାଜ୍ୟରେ ଆଇନର ଶାସନ ପ୍ରତିଷ୍ଠା କରିବା ଏବଂ ଦୁର୍ନୀତିମୁକ୍ତ ପ୍ରଶାସନ ଦେବା ଦିଗରେ ଶୁଭେନ୍ଦୁ ସରକାରଙ୍କ ଏହା ଏକ ବଡ଼ ପଦକ୍ଷେପ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି ।

ଆହୁରି ପଢ଼ନ୍ତୁ... Prateek Yadav Net Worth: ରାଜନୀତିରୁ ଦୂରରେ, ବ୍ୟବସାୟରେ ବାଦଶାହ; କୋଟି କୋଟିର ସାମ୍ରାଜ୍ୟ ଛିଡ଼ା କରିଥିଲେ ପ୍ରତୀକ