ବ୍ରହ୍ମପୁର/ପାରଳାଖେମୁଣ୍ଡି, ୨୩/୧୨: ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସୀମାରେ ବୁଲୁଛି ମହାବଳ ବାଘ । ପ୍ରତିଦିନ ଜଙ୍ଗଲ ବଦଳାଉଛି । କିଛି ଦିନ ପୂର୍ବେ ପାରଳାଖେମୁଣ୍ଡି  ବନଖଣ୍ଡ ଅନ୍ଧାରୀଝୋଳା ଜଙ୍ଗଲରେ ଦେଖା ଦେଇଥିଲା ।  ଏହାପରଠୁ ମହାବଳର ଗତିବିଧି ନଜର ଆସି ନଥିଲା । ଗତକାଲି ଆନ୍ଧ୍ରର ରାଟିଣୀରେ ମହାବଳ ବୁଲୁଥିବା  ଶୁଣିବାକୁ ମିଳିଥିଲା । ମାତ୍ର ପାଦ ଚିହ୍ନ ମିଳିନଥିବା  ପାଥ୍‌ପାଟନମ ରେଞ୍ଜର କହିଛନ୍ତି । ଏନେଇ ବାଘର  ଉପସ୍ଥିତି ସ୍ପଷ୍ଟ ହୋଇପାରି ନାହିଁ ବୋଲି ରେଞ୍ଜର ମତ  ରଖିଛନ୍ତି । ଅନ୍ୟପଟେ ମହାବଳ ବର୍ତ୍ତମାନ ଗଞ୍ଜାମ ମୁହାଁ  ହୋଇଥିବା ଅନ୍ୟ ଏକ ବିଶେଷ ସୂତ୍ରରୁ ଖବର ମିଳିଛି । ଦୀର୍ଘ ମାସ ଗଞ୍ଜାମର ବିଭିନ୍ନ ଜଙ୍ଗଲରେ ବୁଲିବା ପରେ  ମହାବଳ ଗତ ନଭେମ୍ବରରେ ପାରଳାଖେମୁଣ୍ଡି ଜଙ୍ଗଲରେ  ଥିବା ବନ ବିଭାଗ ସ୍ପଷ୍ଟ କରିଥିଲା । ଲଖାରୀ ଅଭୟାରଣ୍ୟ  ସମେତ ବିଭିନ୍ନ ଜଙ୍ଗଲରେ ବୁଲୁଥିଲା।

ଡିସେମ୍ବର ପ୍ରଥମ  ସପ୍ତାହରେ ମହାବଳ ମହେନ୍ଦ୍ର ବନାଞ୍ଚଳର ଗୋଷାଣୀ  ସେକ୍‌ସନର ଜଙ୍ଗଲରେ ବୁଲୁଥିଲା । ସେଠାରେ ଦୁଇଟି  ଗାଈକୁ ଶିକାର କରି ଖାଇଥିଲା । ଏହାପରେ ୧୫ଦିନ  ହେଲା ମହାବଳର କୌଣସି ଖବର ନଥିଲା । ଦୁଇ ଦିନ  ତଳେ ମହାବଳ ଆନ୍ଧ୍ରରୁ ଓଡ଼ିଶା ଜଙ୍ଗଲକୁ ପ୍ରବେଶ କରିଛି ।  ଓଡ଼ିଶାର ପାରଳାଖେମୁଣ୍ଡି ଓ ଆନ୍ଧ୍ରର କାଶିବୁଗ୍‌ଗା ସୀମାରେ  ଥିବା ଗଙ୍ଗବାଡ଼ ଗ୍ରାମରୁ କିଛି ଦୂରରେ ଥିବା ଏକ ଜଳାଶୟ  ନିକଟରେ ମହାବଳର ପାଦ ଚିହ୍ନ ଦେଖା ଦେଇଥିବା ସୂଚନା  ମିଳିଛି । ତେବେ ଏ ନେଇ ବନ ବିଭାଗକୁ ଯୋଗାଯୋଗ  କରିବାରେ କୌଣସି ସ୍ପଷ୍ଟ ତଥ୍ୟ ହସ୍ତଗତ ହୋଇ ନାହିଁ । 

୨୦୨୩ ଜୁନ୍‌ରୁ ବର୍ତ୍ତମାନ ପର୍ଯ୍ୟନ୍ତ, ଗଜପତି ଜିଲ୍ଲା ବନ  ବିଭାଗ ପକ୍ଷରୁ ଠାବ ହୋଇଥିବା ମହାବଳ ନିୟମିତ ଭାବେ  ଗଜପତି ବନଖଣ୍ଡରେ ବୁଲୁଛି । ସ୍ଥାନୀୟ ଲୋକ ବାଘ ଦେଖି  ବନ ବିଭାଗକୁ ସୂଚନା ଦେଉଛନ୍ତି । ଗଜପତି ଓ ଓଡ଼ିଶା  ଆନ୍ଧ୍ର ସୀମା ପାଥ୍‌ପାଟନମ୍‌ ବନାଞ୍ଚଳରେ ଏବେ ବୁଲାବୁଲି  କରୁଥିବା କୁହାଯାଇଛି । ପ୍ରତି ଦିନ ଏହି ମହାବଳ ଗଜପତି  ଜିଲ୍ଲା ଓ ଆନ୍ଧ୍ର ଜଙ୍ଗଲ ମଧ୍ୟରେ ଘୂରି ବୁଲୁଛି । ଦିନ ବେଳା  ଗଜପତି ଜଙ୍ଗଲରେ ବୁଲୁ ଥିବା ବେଳେ ରାତିରେ ଆନ୍ଧ୍ର  ଜଙ୍ଗଲକୁ ଚାଲି ଯାଉଛି । ବାଘର ଗର୍ଜନକୁ ଶୁଣି ତାହାର  ସ୍ଥିତି ସମ୍ପର୍କରେ ସେମାନେ ଜାଣି ପାରୁଛନ୍ତି ବୋଲି ସୀମାବର୍ତ୍ତୀ  ଅନ୍ଧାରୀଝୋଲ ଗାଁ ଲୋକଙ୍କଠାରୁ ଶୁଣିବାକୁ ମିଳିଛି । ଗଜପତି  ବନ ବିଭାଗ କିନ୍ତୁ ଏନେଇ କିଛି ସ୍ପଷ୍ଟ ସୂଚନା ଦେଉ ନାହିଁ । ପାରଳାଖେମୁଣ୍ଡି ବନଖଣ୍ଡ ଏସି ଏଫ୍‌ ଅରୁଣ ସାହୁଙ୍କ  ସହିତ ଏନେଇ ଆଲୋଚନା କରିବାରୁ ସେ କହିଛନ୍ତି  ଯେ, ମହାରାଷ୍ଟ୍ରର ତଡ଼ବା-ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ  ଆସିଥିବା ଏହି ବାଘକୁ ୨୦୨୩ରେ ପ୍ରଥମ ଥର ପାଇଁ  ଠାବ କରାଯାଇଥିଲା । ଗଜପତି ଜିଲ୍ଲା ସୀମା ଅଞ୍ଚଳରେ  ବୁଲୁଥିବା ବେଳେ ଟ୍ରାପ୍‌ କ୍ୟାମେରାରେ ଧରାପଡ଼ିଥିଲା ।