ଭୁବନେଶ୍ୱର/ଚନ୍ଦକା,୧୪/୧୦: ପୁଲିସକୁ ଧକ୍କା ମାରି ଚନ୍ଦକା ଥାନାରୁ ଜଣେ ବଙ୍ଗୀୟ ଲୁଟେରା ଚମ୍ପଟ ମାରିଛି । ବିଲ ପଙ୍କ କାଦୁଅରେ ପୁଲିସ ବହେ ନାକେଦମ୍ ହୋଇଥିଲେ ମଧ୍ୟ ଲୁଟେରାକୁ ଧରିବାରେ ବିଫଳ ହୋଇଛନ୍ତି । ଏହି ଘଟଣା ରାଜଧାନୀ ଉପକଣ୍ଠରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ।
ପଶ୍ଚିମବଙ୍ଗର ଲୁଟେରା ଜଣଙ୍କ ରାଜଧାନୀ ଓ ଉପକଣ୍ଠରେ ମୋବାଇଲ ଲୁଟ୍ କରି ଆତଙ୍କ ଖେଳାଇଥିଲା । ଲୁଟ୍ ମୋବାଇଲକୁ ସେ ପଶ୍ଚିମବଙ୍ଗ ଚୋର ବଜାରରେ ବିକ୍ରି କରିଦେଉଥିଲା । ଗତ ୧୧ ତାରିଖରେ ଉକ୍ତ ଲୁଟେରାକୁ ଚନ୍ଦକା ଥାନା ପୁଲିସ ଗିରଫ କରିଥିଲା । ତାକୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଥିଲା । ସୋମବାର ଅପରାହ୍ଣ ସାଢ଼େ ୨ଟାବେଳେ ଲୁଟେରା ଜଣଙ୍କ ବାନ୍ତି କରିବ ବୋଲି ଅଭିନୟ କରିଥିଲା । ତେଣୁ ଥାନାର ଡିସିଓ ଜଣେ କନ୍ଷ୍ଟେବଳ ସହ ତାକୁ ବାହାରକୁ ଛାଡ଼ିଥିଲେ । ହେଲେ ଲୁଟେରା ଜଣଙ୍କ ପୁଲିସ କନ୍ଷ୍ଟେବଳଙ୍କୁ ଧକ୍କା ମାରି ଦୌଡ଼ିଥିଲା । କନ୍ଷ୍ଟେବଳଙ୍କ ସମେତ ଥାନାର ଅନ୍ୟ କର୍ମଚାରୀମାନେ ଲୁଟେରାକୁ ଧରିବାକୁ ତା’ ପଛରେ ଦୌଡ଼ିଥିଲେ । ଲୁଟେରା ଜଣଙ୍କ ଧାନ ବିଲରେ ପଶି ଦୌଡ଼ିଥିଲା । ପୁଲିସ ତାକୁ ପଙ୍କ କାଦୁଅରେ ପଶି ଗୋଡ଼ାଇଥିଲେ ମଧ୍ୟ ଆଉ ପାଇ ନଥିଲା । ଶେଷରେ ପୁଲିସ ନିରାଶ ହୋଇ ଫେରିଥିବା ଜଣାପଡ଼ିଛି । ଥାନାରୁ ପୁଲିସକୁ ଧକିଆ ମାରି ଜଣେ ଲୁଟେରା ଚମ୍ପଟ ମାରିବା ଘଟଣା ପୁଲିସର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ଉଠାଇଛି । ଏନେଇ ଚନ୍ଦକା ଥାନା ଅଧିକାରୀଙ୍କୁ ଯୋଗାଯୋଗ କରା ଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇ ନଥିଲେ ।
ସୂଚନା ଥାଉକି, ଏକ ଚୋରି ମାମଲାରେ ତମାଣ୍ଡୋ ଥାନା ପୁଲିସ ଗତ ୮ ତାରିଖରେ ଆଶିଷ ସାମନ୍ତରାୟ ନାମକ ଜଣେ ଚୋରକୁ ଗିରଫ କରିଥିଲା । ହେଲେ ହାତରୁ ହ୍ୟାଣ୍ଡ୍କପ୍ ଖସାଇ ଚୋର ଜଣଙ୍କ ଥାନାରୁ ଚମ୍ପଟ ମାରିଥିଲା । ପ୍ରାୟ ଘଣ୍ଟାଏ ଧରି ପୁଲିସ ଗୋଡ଼ାଗୋଡ଼ି କରି ଆଶିଷକୁ ଗିରଫ କରିବାରେ ସଫଳ ହୋଇଥିଲା ।