ବ୍ରହ୍ମପୁର, ୦୩/୦୪: ଗୁରୁବାର ମଧ୍ୟରାତ୍ରିରୁ ଆରମ୍ଭ ହେବ ବ୍ରହ୍ମପୁରର ଦ୍ୱିବାର୍ଷିକ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା । ଏହା ଆସନ୍ତା ୨୮ ତାରିଖ ମଧ୍ୟରାତ୍ରରେ ସମାପନ ହେବ।  ଯାତ୍ରାରମ୍ଭ ଦୃଷ୍ଟିରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି ।  ପରମ୍ପରା ଅନୁଯାୟୀ ମା’ ଠାକୁରାଣୀ ବାପ ଘର ବୁଲିବାକୁ  ଆସନ୍ତି । ଯାତ୍ରା ଅବଧି କାଳରେ ଠାକୁରାଣୀ ଅଞ୍ଚଳର ବିଭିନ୍ନ ସାହିକୁ ପ୍ରତି ସନ୍ଧ୍ୟାରେ ପରିକ୍ରମା କରିଥାନ୍ତି । ଏଥିସହ  କଳାକୁଞ୍ଜ ଓ ରଥ ମଧ୍ୟ ଅଞ୍ଚଳବାସୀଙ୍କ ତରଫରୁ ନିର୍ମାଣ  କରି ପ୍ରଦର୍ଶିତ ହୋଇଥାଏ । ଯାତ୍ରା ଦୃଷ୍ଟିରୁ ଦେବୀଙ୍କ ବାପ  ଘର ଦେଶୀବେହେରା ସାହି ସମେତ ସମଗ୍ର ବଡ଼ବଜାର  ଏବେ ଚଳଚଞ୍ଚଳ । ଅସ୍ଥାୟୀ ମଣ୍ଡପ ନିର୍ମାଣ ସରିଛି । 

ପ୍ରଶାସନ ତରଫରୁ ଯାତ୍ରା ହେଉଥିବା ଅଞ୍ଚଳରେ ପାନୀୟ  ଜଳ ବ୍ୟବସ୍ଥା, ରାସ୍ତା ମରାମତି ମଧ୍ୟ କରାଯାଇଛି । ମା’ଙ୍କୁ  ସ୍ୱାଗତ ପାଇଁ ସ୍ଥାନୀୟ ବ୍ୟବସାୟୀ ସଂଘ, ଅଞ୍ଚଳବାସୀ  ତତ୍ପର ହୋଇ ରହିଛନ୍ତି । ଗୁରୁବାର ରାତି ସାଢ଼େ ୧୧ଟା  ପରେ ଦେବୀଙ୍କୁ ସ୍ଥାୟୀ ମନ୍ଦିରରୁ ଅସ୍ଥାୟୀ ପୀଠକୁ ଆଣିବା  ପାଇଁ ଦେଶୀବେହେରା ସାହିରୁ ପଟୁଆର ବାହାରିବ । ସ୍ଥାୟୀ  ପୀଠରେ ପୂଜାର୍ଚ୍ଚନା ହୋଇ ଆଜ୍ଞାମାଳ ମିଳିବା ପରେ ରାତି  ୨ଟାରୁ ଭୋର୍‌ ୪ଟା ମଧ୍ୟରେ ସ୍ଥାୟୀ ପୀଠରୁ ବାହାରି ବାପ  ଘର ଅସ୍ଥାୟୀ ପୀଠକୁ ମା’ ସାଆନ୍ତାଣୀ ଆସିବେ ।