ବେତନଟୀ, ୨୧/୧୦: ହାତୀଝୁରି ଗ୍ରାମରେ ବେତନଟୀ ଅବକାରୀ ଥାନା ପକ୍ଷରୁ ଚଢ଼ାଉ। ମାଟି ତଳେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ନକଲି ବିଷାକ୍ତ ବିଦେଶୀ ମଦ ଜବତ କଲା ଅବକାରୀ ଟିମ୍। ଚଢ଼ାଉ ବେଳେ ମୟୂରଭଞ୍ଜ ଜିଲ୍ଲା ମୋବାଇଲ ଟିମ୍ ସାମିଲ୍ ହୋଇଥିଲେ। ନକଲି ମଦ କାରବାର ଅଭିଯୋଗରେ ବୈଶିଙ୍ଗାରେ ହୋଟେଲ କରି ଚଳାଇଥିଲା ବ୍ୟବସାୟ ବାପୁନି ଓରଫ ଧନଞ୍ଜୟ ସିଂକୁ ଗିରଫ କରାଯାଇଛି। ଜିଲ୍ଲା ଅବକାରୀ ଅଧୀକ୍ଷକ ପ୍ରଶାନ୍ତ କୁମାର କହଁରଙ୍କ ନିର୍ଦ୍ଦେଶ କ୍ରମେ ରେଡ୍ କରାଯାଇଥିଲା ।

liquor​​​​​​​

ସୂଚନା ଅନୁଯାୟୀ, ମଙ୍ଗଳବାର ହାତୀଝୁରି ଗ୍ରାମରେ ଅବକାରୀ ଟିମ୍ ପକ୍ଷରୁ ଚଢ଼ାଉ କରାଯାଇଥିଲା। ନକଲି ବିଦେଶୀ ମଦ କାରବାର ଅଭିଯୋଗ ହାତୀଝୁରି ଗ୍ରାମର ପଦ୍ମଲୋଚନ ସିଂର ପୁଅ ବାପୁନି ଓରଫ ଧନଞ୍ଜୟ ସିଂ ଗିରଫ କରାଯାଇଛି। ଅଭିଯୁକ୍ତ ଧନଞ୍ଜୟ ସିଂର ବୈଶିଙ୍ଗା ବଜାରରେ ଏକ ହୋଟେଲ ରହିଛି। ଧନଞ୍ଜୟ ସେଠାରେ ନକଲି ବିଦେଶୀ ମଦ କାରବାର କରିଆସୁଥିବା ନେଇ ଅବକାରୀ ବିଭାଗକୁ ବିଶ୍ୱସ୍ତସୂତ୍ରରୁ ଖବର ମିଳିଥିଲା । ଏହାପରେ ବେତନଟୀ ଅବକାରୀ ଥାନା ଅଧିକାରୀ ପ୍ରଦୀପ କୁମାର ବେହେରା ମୋବାଇଲ ଟିମ୍ ସହାୟତାରେ ଧନଞ୍ଜୟ ସିଂର ହାତୀଝୁରି ସ୍ଥିତ ଘରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ବାଡ଼ି ପଛରେ ମାଟିତଳେ ଲୁଚାଇ ରଖିଥିବା ବିପୁଳ ପରିମାଣର ନକଲି ବିଦେଶୀମଦ ଜବତ କରିଥିଲେ।  ଅବକାରୀ ବିଭାଗ ସେଠାରୁ ଭାରତ ବାହାରେ ବିକ୍ରୟ ପାଇଁ ଉଦିଷ୍ଟ ୫୪ଟି ବୋତଲରେ ଭର୍ତ୍ତି ୪୦ଲିଟରରୁ ଉର୍ଦ୍ଧ୍ୱ ନକଲି ବିଷାକ୍ତ ବିଦେଶୀମଦ ଜବତ କରିଛନ୍ତି । ଏଥିସହିିତ ବିଭିନ୍ନ କମ୍ପାନୀର ଦୁଇଶହ ପାଖାପାଖି ଖାଲି ମଦ ବୋତଲ ଜବତ କରିଛନ୍ତି । ତେବେ ନଡପୁର ଉପକଣ୍ଠ କଇଁଫୁଲିଆ ଗ୍ରାମର ଯଦୁ ନାମକ ଯୁବକ ଏହି ନକଲି ବିଷାକ୍ତ ବିଦେଶୀ ମଦ ଯୋଗାଉଥିଲେ । ଏନେଇ ଗିରଫ ଅଭିଯୁକ୍ତ ଧନଞ୍ଜୟ ଅବକାରୀ ବିଭାଗ ଆଗରେ ବୟାନ ଦେଇଛି ।  ଏକ ମାମଲା ରୁଜୁକରି ଅବକାରୀ ବିଭାଗ ତଦନ୍ତ ଜାରି ରଖିରଛି।  ଏହି ନକଲି ବିଷାକ୍ତ ମଦ କାରବାରରେ ସମ୍ପୃକ୍ତ ରାକେଟର ପର୍ଦ୍ଦାଫାଶ କରିବାକୁ ତଦନ୍ତକୁ ବ୍ୟାପକ କରିଛି ବିଭାଗ।