ଚୀନ୍ରେ ୬୭ ହଜାର ଜାଲ୍ ବେକରି ଜବତ । କାଗଜପତ୍ରରେ ଥିଲା ୪୦୦ ଆଉଟଲେଟ୍, କିନ୍ତୁ ସତରେ ନଥିଲା ଗୋଟିଏ ବି ଦୋକାନ; ଚୀ ବଡ଼ ବଡ଼ ଫୁଡ୍ ଆପ୍‌କୁ ମାଡ଼ ହେଲା ମୋଟା ଅଙ୍କର ଜରିମାନା । ଚୀନ୍ରେ ଜଣେ ଗ୍ରାହକଙ୍କ ପକ୍ଷରୁ ଜନ୍ମଦିନ କେକ୍ ଖରାପ ପଡ଼ିବା ନେଇ ଅଭିଯୋଗ ଆସିବା ପରେ ଦେଶର ପ୍ରମୁଖ ଫୁଡ୍ ଡେଲିଭରି ପ୍ଲାଟଫର୍ମଗୁଡ଼ିକ ଉପରେ ମୋଟ୍ ଉପରେ ପ୍ରାୟ ୫୦୦୦ କୋଟିର ଜରିମାନା ବିଧାନ କରାଯାଇଛି । ମାମଲାଟି କ’ଣ ଆସନ୍ତୁ ଜାଣିବା । ବେଜିଂର ବାସିନ୍ଦା ଲିଉ ନାମକ ଜଣେ ବ୍ୟକ୍ତି ନିକଟରେ ଏକ ଅନଲାଇନ୍ ଡେଲିଭରି ପ୍ଲାଟଫର୍ମ ମାଧ୍ୟମରେ ଏକ କେକ୍ ଅର୍ଡର କରିଥିଲେ । ତେବେ କେକ୍‌ଟି ଖରାପ ପଡ଼ିଥିଲା । ଏହାପରେ ସେ ସ୍ଥାନୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ପ୍ରଥମେ ଅଧିକାରୀମାନେ ଏହାକୁ ଏକ ଛୋଟିଆ ଘଟଣା ବୋଲି ମନେ କରିଥିଲେ । କିନ୍ତୁ ପରେ ସେମାନେ କେକ୍କୁ ଏକ ନକଲି ବେକରି ଚେନ୍ରୁ ଅର୍ଡର କରାଯାଇଥିବା ଜାଣିବାକୁ ପାଇଥିଲେ ।

ସେହି ବେକରି ପକ୍ଷରୁ ୪୦୦ଟି ଆଉଟଲେଟ୍ ଥିବା କଥା ଦାବି କରାଯାଇଥିଲା । ପ୍ରକୃତରେ କିନ୍ତୁ, କୌଣସି ସ୍ଥାନରେ ତାର ଆଉଟଲେଟ୍ ନଥିଲା । ବେକରିଟି ମଧ୍ୟ ଜାଲ୍ ଲାଇସେନ୍ସ ଦ୍ୱାରା ଚାଲୁଥିଲା । ଯାଞ୍ଚ ଆଗକୁ ବଢ଼ିବା ପରେ ସେହିଭଳି ଦେଶରେ ୬୭ ହଜାରରୁ ଅଧିକ ଜାଲ୍ ବେକରି ଥିବା ଜଣାପଡି଼ଲା । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସେମାନେ ନିଜେ ଖାଦ୍ୟ ପ୍ରସ୍ତୁତ କରୁନଥିଲେ । ବରଂ ଅର୍ଡର ନେଇ ତୃତୀୟ ପକ୍ଷ ଉତ୍ପାଦକମାନଙ୍କୁ ଦେଉଥିଲେ । ଏଥିଯୋଗୁ ସେମାନଙ୍କ ପକ୍ଷରୁ ଗ୍ରାହକଙ୍କ ନିକଟରେ ପହଞ୍ଚାଯାଉଥିବା ଖାଦ୍ୟର ମାନ ଏବଂ ନିରାପତ୍ତା ପ୍ରଭାବିତ ହେଉଥିଲା । ଅନ୍ୟପଟେ ପିଡିଡି ହୋଲଡିଂ, ଆଲିବାବା ଗ୍ରୁପ, ଜେଡି ଡଟ୍ କମ୍, ମୈଟୁଆନ ଭଳି ଦେଶର ପ୍ରମୁଖ ଫୁଡ୍ ଡେଲିଭରି ପ୍ଲାଟ୍‌ଫର୍ମ ମଧ୍ୟ ଗ୍ରାହକଙ୍କ ସୁରକ୍ଷା ଲାଗି ଏଭଳି ଜାଲ୍ ବେକରି ସଂପର୍କରେ ଭଲ ଭାବେ ତଦନ୍ତ କରୁନଥିବା ଯାଞ୍ଚରୁ ଜଣାପଡ଼ିଲା । ଏହାପରେ ଅଧିକାରୀମାନେ ଏହି ପ୍ରମୁଖ ଫୁଡ୍ ଡେଲିଭରି ପ୍ଲାଟ୍‌ଫର୍ମଗୁଡ଼ିକ ଉପରେ ମୋଟ ଉପରେ ପ୍ରାୟ ୫୦୦୦ କୋଟିର ଜରିମାନା ଲଗାଇଛନ୍ତି ।

ଆହୁରି ପଢ଼ନ୍ତୁ... ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଐତିହାସିକ ଚୁକ୍ତି: ୮ ହଜାରରୁ ଅଧିକ ସାମଗ୍ରୀ ହେବ 'ଟ୍ୟାକ୍ସ ଫ୍ରି', ଆସିବ ୨୦ ଅରବ ଡଲାରର ନିବେଶ !