ନୂଆଦିଲ୍ଲୀ, ୨୭।୪: ଭାରତୀୟ ଅର୍ଥନୀତି ପାଇଁ ଆଜି ଏକ ସ୍ମରଣୀୟ ଦିନ । ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଔପଚାରିକ ଭାବେ ଫ୍ରି ଟ୍ରେଡ୍ ଏଗ୍ରିମେଣ୍ଟ ସ୍ୱାକ୍ଷରିତ ହେବାକୁ ଯାଉଛି । କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଏବଂ ନ୍ୟୁଜିଲ୍ୟାଣ୍ଡର ବାଣିଜ୍ୟ ମନ୍ତ୍ରୀ ଟଡ୍ ମ୍ୟାକଲେଙ୍କ ଉପସ୍ଥିତିରେ ଏହି ଡିଲ୍ ସମ୍ପନ୍ନ ହେବ । ମାତ୍ର ୯ ମାସର ରେକର୍ଡ ସମୟ ମଧ୍ୟରେ ଏହି ଆଲୋଚନା ଶେଷ ହୋଇଥିବାରୁ ଏହାକୁ ଭାରତର ସବୁଠାରୁ ଦ୍ରୁତତମ ବ୍ୟାପାର ଚୁକ୍ତି ବୋଲି କୁହାଯାଉଛି ।
ଭାରତକୁ ମିଳିବ 'ଜିରୋ ଡ୍ୟୁଟି'ର ଫାଇଦା:
ଏହି ଚୁକ୍ତି ଲାଗୁ ହେବା କ୍ଷଣି ଭାରତର ପ୍ରାୟ ୮,୨୮୪ଟି ସାମଗ୍ରୀ ନ୍ୟୁଜିଲ୍ୟାଣ୍ଡ ବଜାରରେ କୌଣସି ଟିକସ ନଦେଇ ପ୍ରବେଶ କରିପାରିବ । ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ଭାରତୀୟ ସାମଗ୍ରୀ ଉପରେ ହାରାହାରି ୨.୨ ପ୍ରତିଶତ ଶୁଳ୍କ ଲଗାଉଥିଲା, ଯାହା କିଛି କ୍ଷେତ୍ରରେ ୧୦ ପ୍ରତିଶତ ପର୍ଯ୍ୟନ୍ତ ରହୁଥିଲା । ଏହି ଟିକସ ହଟିବା ଫଳରେ ଭାରତୀୟ ରପ୍ତାନିକାରୀମାନେ ବଡ଼ ଲାଭ ପାଇବେ ।
କେଉଁ ସେକ୍ଟରକୁ କି ଲାଭ ମିଳିବ ?
ଚମଡ଼ା ଏବଂ ଜୋତା ଶିଳ୍ପ: ଆଗ୍ରାର ଚମଡ଼ା ଶିଳ୍ପ ପାଇଁ ଏହା ବରଦାନ ସଦୃଶ ହେବ । ଜୋତା ଉପରୁ ୫% ଶୁଳ୍କ ହଟି ଶୂନ ହୋଇଯିବ ।
ଟେକ୍ସଟାଇଲ୍ ଏବଂ ହସ୍ତତନ୍ତ: କପଡ଼ା, ଫାଇବର ଏବଂ ଘର ସଜା ସାମଗ୍ରୀ ଉପରୁ ସମସ୍ତ ଟିକସ ହଟାଇ ଦିଆଯାଇଛି ।
ଫାର୍ମାସ୍ୟୁଟିକାଲ୍ସ: ଭାରତୀୟ ଔଷଧ କମ୍ପାନୀଗୁଡ଼ିକୁ ଏବେ ନ୍ୟୁଜିଲ୍ୟାଣ୍ଡରେ ସହଜରେ ମଞ୍ଜୁରୀ ମିଳିବ, କାରଣ ସେଠାକାର ସରକାର ଏବେ ଆନ୍ତର୍ଜାତୀୟ ନିରୀକ୍ଷଣ ରିପୋର୍ଟକୁ ଗ୍ରହଣ କରିବେ ।
କୃଷି ଏବଂ ଖାଦ୍ୟ: ମସଲା, କଫି, ଚା’, ଶସ୍ୟ, ଫଳ ଏବଂ ପନିପରିବା ରପ୍ତାନି ମଧ୍ୟ ଶୁଳ୍କମୁକ୍ତ ହେବ ।
ଏହି ଚୁକ୍ତି ଫଳରେ ନ୍ୟୁଜିଲ୍ୟାଣ୍ଡରୁ ରପ୍ତାନି ହେଉଥିବା ଉଲ୍, ମଦ, କାଠ, କୋଇଲା, ଆଭୋକାଡୋ ଏବଂ ବ୍ଲୁବେରୀ ଭଳି ଫଳ ଭାରତରେ ସହଜରେ ଉପଲବ୍ଧ ହେବ । ଏହାଛଡ଼ା କିୱି ଏବଂ ସେଓ ରପ୍ତାନି ପାଇଁ ମଧ୍ୟ ଉଭୟ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି ପାଇବ । କେବଳ ବ୍ୟାପାର ନୁହେଁ, ରୋଜଗାର ଏବଂ ନିବେଶ କ୍ଷେତ୍ରରେ ମଧ୍ୟ ବଡ଼ ଘୋଷଣା ହୋଇଛି । ଭାରତୀୟ ପେସାଦାରଙ୍କ ପାଇଁ ନ୍ୟୁଜିଲ୍ୟାଣ୍ଡ ପ୍ରତିବର୍ଷ ୧,୬୬୭ଟି ଅସ୍ଥାୟୀ ନିଯୁକ୍ତି ଭିସା ଜାରି କରିବ । ଆଗାମୀ ୧୫ ବର୍ଷ ମଧ୍ୟରେ ନ୍ୟୁଜିଲ୍ୟାଣ୍ଡ ଭାରତରେ ପ୍ରାୟ ୨୦ ଅରବ ଡଲାର ପ୍ରାୟ ୧.୬ ଲକ୍ଷ କୋଟି ଟଙ୍କାର ସିଧାସଳଖ ବିଦେଶୀ ନିବେଶ କରିବ । ଏହି ପୁଞ୍ଜି ପ୍ରଧାନତଃ ଅକ୍ଷୟ ଶକ୍ତି, ଭିତ୍ତିଭୂମି ଏବଂ କୃଷି ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବିନିଯୋଗ ହେବ ।
ବାଣିଜ୍ୟକୁ ଦ୍ୱିଗୁଣିତ କରିବା ଚୁକ୍ତିର ଲକ୍ଷ୍ୟ:
ବର୍ତ୍ତମାନ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ପ୍ରାୟ ୧.୩ ଅରବ ଡଲାର ରହିଛି । ଏହି FTA ଲାଗୁ ହେବାର ୫ ବର୍ଷ ମଧ୍ୟରେ ଏହାକୁ ୫ ଅରବ ଡଲାରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । ୨୦୨୬ ଶେଷ ସୁଦ୍ଧା ଉଭୟ ଦେଶରେ ଘରୋଇ ମଞ୍ଜୁରୀ ମିଳିବା ପରେ ଏହା ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହେବ । ଏହି ଚୁକ୍ତି କେବଳ ଦୁଇ ଦେଶର ବାଣିଜ୍ୟିକ ସମ୍ପର୍କକୁ ମଜବୁତ କରିବ ନାହିଁ, ବରଂ 'ମେକ୍ ଇନ୍ ଇଣ୍ଡିଆ' ସାମଗ୍ରୀକୁ ବିଶ୍ୱସ୍ତରରେ ଏକ ନୂଆ ପରିଚୟ ଦେବାରେ ସହାୟକ ହେବ ।
ଆହୁରି ପଢ଼ନ୍ତୁ... ଯୁଦ୍ଧ ରୋକିବାକୁ ଇରାନର ବଡ଼ ଚାଲ୍ ! ସର୍ତ୍ତ: 'ଆଗ ହୋର୍ମୁଜ ଖୋଲ, ପରମାଣୁ କଥା ପରେ'