​​​​​​​ଭୁବନେଶ୍ୱର :  ସାଟେଲାଇଟ୍ ସର୍ଭେରୁ  ଜାଲ ଚାଷୀ ଧରାପଡିବା ପ୍ରସଙ୍ଗରେ ଚେତାବନୀ ଦେଇଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ । ଏହି ପ୍ରସଙ୍ଗରେ କଂଗ୍ରେସ ପ୍ରତି ଜିଲ୍ଲାରେ ଆନ୍ଦୋଳନ କରିବ ବୋଲି କହିଛନ୍ତି । ସେ କହିଛନ୍ତି, ସରକାର ସାଟେଲାଇଟ ସର୍ଭେ କରିବାକୁ ଯାଉଛନ୍ତି । ସରକାରଙ୍କ ପାଖରେ କୃଷି ବିଭାଗ ଅଛି । ଜିଲ୍ଲା ସ୍ତରରୁ ନେଇ ବ୍ଳକ ପର୍ଯ୍ୟନ୍ତ କୃଷି ଅଧିକାରୀମାନେ ଅଛନ୍ତି । ଗାଁ ଗାଁରେ ଆରଆଇମାନେ ଅଛନ୍ତି । ସେମାନଙ୍କ ପାଖରେ ରିପୋର୍ଟ ନାହିଁ କି ? ଯଦି ନାହିଁ  ଏହାର ଅର୍ଥ ରାଜ୍ୟରେ ସରକାର ନାହିଁ ।

ଏହାସହ ପିସିସି ସଭାପତି କହିଛନ୍ତି କି, କୃଷି ବିଭାଗ ଓ ରାଜସ୍ୱ ବିଭାଗ କାମ କରୁ ନାହିଁ । ସରକାର ସାଟେଲାଇଟ କଥାକୁ ସତ ମାନୁଛନ୍ତି ।  ମୁଁ ବୁଝି ପାରୁ ନାହିଁ ଅଫିସର କାହିଁକି ଦରମା ନେଉଛନ୍ତି । ଗୋଦାମ ଖାଲି ନାହିଁ, ମିଲରଙ୍କଠାରୁ ଆରମ୍ଭ କରି ସରକାରୀ ଗୋଦାମ ଖାଲି ନାହିଁ । ଏମାନେ ଧାନ କିଣି ପାରୁ ନାହାନ୍ତି ।  ୩୧୦୦ ଟଙ୍କା ଦେଇ ପାରୁ ନାହାନ୍ତି, ତେଣୁ ଚାଷ ହୋଇ ନଥିବା କଥା କହୁଛନ୍ତି । କଂଗ୍ରେସ ଏହାକୁ ନେଇ ଆନ୍ଦୋଳନ କରିବ ।  ଏହାରି ଭିତରେ ବରଗଡରେ ଚାଷୀଙ୍କୁ ନେଇ ବଡ଼ ଆନ୍ଦୋଳନ ହେବ ।  ଆଗକୁ ପ୍ରତ୍ୟେକ ଜିଲ୍ଲାରେ ଚାଷୀ ଆନ୍ଦୋଳନ ହେବ ବୋଲି ପିସିସି ସଭାପତି ଭକ୍ତ କହିଛନ୍ତି ।