ଭୁବନେଶ୍ଵର, ୦୯/୦୭ : ଆଜି ଭାରତ ବନ୍ଦ। ସର୍ବଭାରତୀୟ ଧର୍ମଘଟ ଡାକରା ଦେଇଛି ଶ୍ରମିକ ସଂଗଠନ ଓ ବାମପନ୍ଥୀ ଦଳ। ଚକଅଖ ସବୁ ବନ୍ଦ ରହିବ। ବଜାରଘାଟରେ ତାଲା ଝୁଲିବ । ସାମିଲ ହେବେ ବ୍ୟାଙ୍କ ଓ ବୀମା କର୍ମଚାରୀ । ବ୍ୟାପକ ଭାବେ ପ୍ରଭାବିତ ହେବ ଜୀବନଯାତ୍ରା । କଲବଲ ହେବେ ସାଧାରଣ ଜନତା । ୧୭ ଦଫା ଦାବି ନେଇ ୫ ବାମପନ୍ଥୀ ଦଳ ଓ ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ (ସିଟିୟୁ) ଓ ସ୍ୱାଧୀନ ସର୍ବଭାରତୀୟ ଫେଡେରେସନକୁ ନେଇ ଗଠିତ ଟ୍ରେଡ୍ ୟୁନିୟନର ମିଳିତ ମଞ୍ଚ ଧର୍ମଘଟର ମଙ୍ଗ ସମ୍ଭାଳିବେ । ବ୍ୟାଙ୍କିଙ୍ଗ୍, ବୀମା, ପୋଷ୍ଟାଲ ସେବା ସମେତ ବିଭିନ୍ନ କ୍ଷେତ୍ରରେ ୨୫ କୋଟି କର୍ମଚାରୀ ରାସ୍ତାକୁ ଓହ୍ଲାଇବେ । ଓଡ଼ିଶାରେ ଧର୍ମଘଟକୁ ସଫଳ ପାଇଁ ବି ଆହ୍ୱାନ ଦିଆଯାଇଛି।
ଟ୍ରେଡ୍ ୟୁନିୟନଗୁଡିକର ଅଭିଯୋଗ ରହିଛି କି, କେନ୍ଦ୍ର ସରକାର ଦେଶରେ ଶ୍ରମିକମାନଙ୍କ ଅଧିକାରୀଙ୍କୁ ଗୌଣ କରି କର୍ପୋରେଟର ହାଉସ୍ ଓ ପୁଞ୍ଜିପତିମାନଙ୍କୁ ବିଶେଷ ଲାଭ ଦେଉଛନ୍ତି । ବିଶେଷ କରି କେନ୍ଦ୍ର ସରକାର ଆଣିଥିବା ୪ଟି ଶ୍ରମିକ ବିରୋଧୀ ଶ୍ରମ କୋଡକୁ ବାତିଲ କରିବାକୁ ସଂଗଠନ ଦାବି କରିଛି । କେବଳ ଶ୍ରମିକ ଓ କର୍ମଚାରୀ ନୁହଁନ୍ତି ଏହି ଷ୍ଟ୍ରାଇକରେ କୃଷକ ମଧ୍ୟ ସାମିଲ ହେବେ । ଦେଶରେ ୨୫ କୋଟି କର୍ମଚାରୀ ଏହି ଆନ୍ଦୋଳନକୁ ସମର୍ଥନ କରି ରାସ୍ତାକୁ ଓହ୍ଲାଇବେ ।
ମଙ୍ଗଳବାର ସନ୍ଧ୍ୟାରେ ମାଷ୍ଟରକ୍ୟାଣ୍ଟିନ୍ ଛକରେ ଏନେଇ ମଶାଲ ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ଶ୍ରମିକ ନେତାମାନେ ଅଭିଯୋଗ କରିଥିଲେ ଯେ ଦେଶରେ ବେକାରୀଙ୍କ ସଂଖ୍ୟା ବଢ଼ିଚାଲିଛି । ଅତ୍ୟାବଶ୍ୟକୀୟ ସାମଗ୍ରୀ ଦରଦାମ ଏବେ ଆକାଶଛୁଆଁ ହେବାରେ ଲାଗିଛି । କିନ୍ତୁ ଶ୍ରମିକଙ୍କ ମଜୁରିର ପରିମାଣ କମିବାରେ ଲାଗିଛି । ଶ୍ରମିକମାନେ ମୌଳିକ ଗଣତାନ୍ତ୍ରିକ ଅଧିକାରରୁ ବଞ୍ଚିତ ହେଉଛନ୍ତି । ଏହି ଧର୍ମଘଟକୁ ବିଜେଡି ନୀତିଗତ ସମର୍ଥନ ଜଣାଇଛି । ବିଜେଡି ମୁଖପାତ୍ର ଲେଲିନ ମହାନ୍ତି କହିଛନ୍ତି, ବିଜୁ ଶ୍ରମିକ ସାମୁଖ୍ୟ ଏହି ଧର୍ମଘଟ ଡାକରାକୁ ସମର୍ଥନ ଜଣାଉଛି । ସାରା ଦେଶରେ ଶ୍ରମିକ ଶୋଷଣ ନୀତିକୁ ଘୋର୍ ବିରୋଧ କରୁଛୁ । ଟ୍ରେଡ୍ ୟୁନିୟନ ଓ ବାମପନ୍ଥୀ ଦଳଗୁଡ଼ିକ ସହ କଂଗ୍ରେସ ଏହି ହରତାଳରେ ସାମିଲ ହେବ ବୋଲି ସୂଚନା ଦେଇଛି । ସୁରକ୍ଷା ଦୃଷ୍ଟିରୁ କମିଶନରେଟ ପୁଲିସ ପକ୍ଷରୁ ୧୦ ପ୍ଲାଟୁନ ପୁଲିସ ଫୋର୍ସ ବ୍ୟବସ୍ଥା କରାଯାଇଛି ।
ଆଜିର ଷ୍ଚ୍ରାଇକରେ ଅନେକ ସେକ୍ଟର ପ୍ରଭାବିତ ହେବା ଆଶଙ୍କା କରାଯାଉଛି । ଯେପରିକି ବ୍ୟାଙ୍କିଙ୍ଗ୍, ଫାଇନାନ୍ସ ସେକ୍ଟର, ଡାକ ବିଭାଗ, କୋଲ ମାଇନ୍ସ ଓ ଫ୍ୟାକ୍ଟ୍ରି ଓ ପରିବହନ ଆଦି ଉପରେ ପ୍ରଭାବ ପଡିବ । ଏ ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ ସ୍କୁଲ, କଲେଜ, ସରକାରୀ ଅଫିସ୍ ବସ୍, ରେଳ ସେବା, ବିମାନ ସେବା, ବଜାର ମେଡିକାଲ ପରି ଜରୁରୀ ସେବା ଖୋଲା ରହିପାରେ । ଏହା ପୂର୍ବରୁ ଶ୍ରମିକ ସଂଗଠନ ୨୦୨୦ ନଭେମ୍ବର ୨୬ରେ, ୨୦୨୨, ୨୮-୨୯ ମାର୍ଚ୍ଚ ଏବଂ ଗତବର୍ଷ ଫେବୃଆରୀ ୧୬ରେ ଏହିପରି ଦେଶବ୍ୟାପୀ ଧର୍ମଘଟ କରିଥିଲେ ।