କଟକ,୧୯/୧୦: ଭରତପୁର ଥାନାରେ ସେନା  ଅଧିକାରୀଙ୍କୁ ଦୁର୍ବ୍ୟବହାର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା  ମାମଲାରେ ଆଗୁଆ ଜାମିନ୍‌ ଆବେଦନ କରି ହାଇକୋର୍ଟଙ୍କ  ଦ୍ୱାରସ୍ଥ ହୋଇଥିବା ୪ ଥାନା କର୍ମଚାରୀ ସବ୍‌-ଇନ୍ସପେକ୍ଟର  ବୈଶାଳିନୀ ପଣ୍ଡା, ସାଗରିକା ରଥ, ସଲିଳାମୟୀ ସାହୁ  ଏବଂ କନଷ୍ଟେବଳ ବଳରାମ ହାଁସଦା ଆଜି ହାଇକୋର୍ଟରେ  ନିରାଶ ହୋଇଛନ୍ତି । ଚାରି ଆବେଦନକାରୀଙ୍କୁ ହାଇକୋର୍ଟ  ଆଜି ଅନ୍ତରୀଣ ସୁରକ୍ଷା ଦେବାକୁ ମନା କରି ଦେଇଛନ୍ତି ।  ଅପରପକ୍ଷରେ ଏହି ମାମଲାରେ ରାଜ୍ୟ ସରକାରଙ୍କୁ ସିଡି  ଦାଖଲ ଲାଗି ନିର୍ଦ୍ଦେଶ ଦିଆଯାଇଛି । ମାମଲାର ଶୁଣାଣି ଆସନ୍ତା  ସପ୍ତାହକୁ ଧାର୍ଯ୍ୟ ହୋଇଛି । ହାଇକୋର୍ଟର ଅବକାଶକାଳୀନ  ବିଚାରପତି ଜଷ୍ଟିସ୍‌ ସଙ୍ଗମ କୁମାର ସାହୁ ଆଜି ଏହି  ମାମଲାର ଶୁଣାଣି କରି ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି ।  

ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀ ବିଳମ୍ବିତ ରାତିରେ  ଭରତପୁର ଥାନାରେ ଏତଲା ଦେବାକୁ ଯାଇଥିଲାବେଳେ  ପୁଲିସ୍‌ ସେମାନଙ୍କ ଏତଲା ରଖିବା ପରିବର୍ତ୍ତେ ନିର୍ଯାତନା  ଦେଇଥିଲା ବୋଲି ଅଭିଯୋଗ ହୋଇଥିଲା । ଏପରିକି  ମେଜରଙ୍କ ବାନ୍ଧବୀଙ୍କୁ ଗିରଫ କରି ଜେଲ୍‌ ପଠାଇ ଦେଇଥିଲା ।  ଏହି ଘଟଣା ସମଗ୍ର ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲା ।  ପୁଲିସ୍‌ର ଏଭଳି କାର୍ଯ୍ୟ ପାଇଁ ରାଜ୍ୟ ସରକାରଙ୍କୁ ମଧ୍ୟ ବିଭିନ୍ନ  ଆଡ଼ୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା । 

ଏହି  ଘଟଣାରେ ରାଜ୍ୟ ସରକାର କ୍ରାଇମ୍‌ବ୍ରାଞ୍ଚ୍‌କୁ ତଦନ୍ତ ନିର୍ଦ୍ଦେଶ  ଦେଇଥିଲାବେଳେ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌  ଚିତ୍ତରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ବିଚାର ବିଭାଗୀୟ ତଦନ୍ତ  କମିସନ ବସାଇଛନ୍ତି । କ୍ରାଇମ୍‌ବ୍ରାଞ୍ଚ୍‌ ଭରତପୁର ଥାନାର  ତତ୍କାଳନୀ ଆଇଆଇସି ଦୀନକୃଷ୍ଣ ମିଶ୍ର ଏବଂ ଉପରୋକ୍ତ ଚାରି  ପୁଲିସ୍‌ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ  ଆରମ୍ଭ କରିଛି । ଏହି ଘଟଣାରେ ସମ୍ଭାବ୍ୟ ଗିରଫଦାରୀକୁ  ଏଡ଼ାଇବା ଲାଗି ଏହି କର୍ମଚାରୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ  ହୋଇଥିଲେ । ଆଜି ଅବକାଶକାଳୀନ ଅଦାଲତରେ ପୂର୍ବତନ  ଆଇଆଇସିଙ୍କୁ ଛାଡ଼ି ଅନ୍ୟ ଚାରି କର୍ମଚାରୀଙ୍କ ଆଗୁଆ ଜାମିନ୍‌  ମାମଲା ଶୁଣାଣି ପାଇଁ ଉଠିଥିଲା । ଆବେଦନକାରୀଙ୍କ ପକ୍ଷରୁ  ଆଇନଜୀବୀ ମାନସ ଚାନ୍ଦ ମାମଲା ପରିଚାଳନା କରୁଛନ୍ତି ।