ମହାରାଷ୍ଟ୍ର, ୨୦/୦୨: ପର୍ଯ୍ୟଟନ ନଗରୀ ମହାବଳେଶ୍ୱରରେ ସକାଳ ହୁଏ ଷ୍ଟ୍ରବେରୀର ବାସ୍ନାରେ । ଆଉ ପାହାଡ଼ ଶୀର୍ଷ ବଜାରରେ ପର୍ଯ୍ୟଟକଙ୍କ କୋଳାହଳରେ । ନଗରୀର ବ୍ୟସ୍ତବହୁଳ ରାସ୍ତାରେ ପଡ଼ିଥିବା ଅନେକ ଷ୍ଟଲ୍‌ ମଧ୍ୟରେ ଏକ ବ୍ରାଣ୍ଡ ଦେଶରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ‘ସନ୍‌ରାଇଜ୍‌ କ୍ୟାଣ୍ଡେଲ୍ସ’  କେବଳ ଏକ ବ୍ରାଣ୍ଡ ନୁହେଁ, ଆଲୋକ ବର୍ତ୍ତିକା ।  ରଙ୍ଗୀନ୍‌ ମହମବତୀ ବିକ୍ରି କରୁଥିବା ଏହି ଉଦ୍ୟୋଗ କୌଣସି କାରଖାନାରେ କିମ୍ବା ଷ୍ଟାର୍ଟଅପ୍‌ ଭାବେ  ଆରମ୍ଭ ହୋଇନଥିଲା । ଏକ ମାମୂଲି ଠେଲାଗାଡ଼ିରେ ବିକ୍ରି ହେଉଥିବା ଅତି ସାଧାରଣ ଉତ୍ପାଦ ଥିଲା । ସନ୍‌ରାଇଜ୍‌ କ୍ୟାଣ୍ଡେଲ୍ସ ପଛର ମଣିଷ ହେଉଛନ୍ତି ଭାବେଶ ଚନ୍ଦୁଭାଇ ଭାଟିଆ ।

ଭାବେଶ ଚନ୍ଦୁଭାଇ ଭାଟିଆ ଜଣେ ଦୃଷ୍ଟିହୀନ  ଉଦ୍ୟୋଗୀ । ଅକ୍ଷମତା ଓ ଉଦ୍ୟୋଗ ସମ୍ପର୍କରେ  ଲୋକଙ୍କ ଧାରଣାକୁ ସେ ଚାଲେଞ୍ଜ୍‌ ଦେଇଛନ୍ତି ।  ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା ତାଙ୍କ ସଫଳତାର  ଯାତ୍ରା ଇଣ୍ଟର୍‌ନେଟ୍‌ରେ ଶେୟାର କରିବା ପରେ ସେ  ଏବେ ଦେଶବାସୀଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି ।  ଅନେକ ଷ୍ଟାର୍ଟଅପ୍‌ର ସଫଳ କାହାଣୀ ଅପେକ୍ଷା ଭାବେଶଙ୍କ  କାହାଣୀ ଅଧିକ ପ୍ରେରଣାପ୍ରଦ ବୋଲି ମହିନ୍ଦ୍ରା କହିଛନ୍ତି ।  ପରିଚୟ ମିଳିବାର ବହୁ ପୂର୍ବରୁ ଭାବେଶଙ୍କ ଜୀବନ ସଫଳତା  ନୁହେଁ, ବରଂ ଅନିଶ୍ଚିତତା, ଅସ୍ଥିରତା ଏବଂ ବ୍ୟକ୍ତିଗତ ସମସ୍ୟାରେ ପରିପୂର୍ଣ୍ଣ ଥିଲା । ଏ ସବୁ ଆହ୍ୱାନ ଅଳିଆ ଗଦାରୁ ଭବିଷ୍ୟତ ପୁନଃନିର୍ମାଣ ପାଇଁ ତାଙ୍କୁ ବାଧ୍ୟ କରିଥିଲା ।  ପ୍ରଥମେ କୌଣସି କୌଶଳ ଶିକ୍ଷା କରିବା ଭାବେଶଙ୍କ ପାଇଁ କଷ୍ଟକର ଥିଲା । ଦୃଷ୍ଟିହୀନ ହୋଇଥିବାରୁ ଏକ ଥଇଥାନ କେନ୍ଦ୍ର ତାଙ୍କୁ ମହମବତୀ ପ୍ରସ୍ତୁତି ନିମନ୍ତେ ତାଲିମ ଦେଲା ନାହିଁ ।  ହାର୍‌ ମାନିବା ବଦଳରେ ଭାବେଶ ନିଜେ ନିଜେ ଶିଖିବାକୁ  ସ୍ଥିର କଲେ । ମହମବତୀର ଆକାର ଓ ଡିଜାଇନ୍‌କୁ ବୁଝିବା ପାଇଁ ଆଖିର ଆବଶ୍ୟକତା ବଦଳରେ ସେ ସ୍ପର୍ଶ, ଗଠନ ଓ  ବାସ୍ନା ଉପରେ ନିର୍ଭର କରି ନିରନ୍ତର ପରୀକ୍ଷଣ କରିଚାଲିଲେ ।​​​​​​​

୧୯୯୪ରେ ମାତ୍ର ୫ କିଲୋଗ୍ରାମ୍‌ ମହମ ଓ ଗୋଟିଏ ରଙ୍ଗ  ଜରିଆରେ ସେ ମହାବଳେଶ୍ୱରରେ ମହମବତୀ ପ୍ରସ୍ତୁତି  ଆରମ୍ଭ କଲେ । କୌଣସି ଦୋକାନରେ ନୁହେଁ, ସ୍ଥାନୀୟ  ରାସ୍ତାକଡ଼ରେ ଏକ ଠେଲାଗାଡ଼ିରେ ସେ ନିଜର ପ୍ରଥମ କାମ  ଆରମ୍ଭ କଲେ । ଘଣ୍ଟା ଘଣ୍ଟା ଧରି ମହମବତୀ ପ୍ରସ୍ତୁତି କରିବା ପରେ ନିଜେ ସେଗୁଡ଼ିକୁ ବିକ୍ରି କଲେ । ତାଙ୍କ ଦୈନନ୍ଦିନ  କାର୍ଯ୍ୟସୂଚୀ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଥିଲା । ଗ୍ରାହକ ପ୍ରଥମେ  ଜଣେ ଦୃଷ୍ଟିହୀନଙ୍କୁ ମହମବତୀ ବିକ୍ରି କରୁଥିବା ଦେଖିଲେ ।  ଧୀରେ ଧୀରେ ଭାବେଶଙ୍କ କାରିଗରୀ ସେମାନଙ୍କ ନଜରକୁ ଆସିଲା ।  ଚାକିରି ହରାଇବା ଓ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବା  ସହିତ ମା’ଙ୍କ ନିଧନ ତାଙ୍କୁ ଭିତରୁ ଭାଙ୍ଗି ଦେଇଥିଲା ।  କାରଣ ତାଙ୍କ ସଂଘର୍ଷ ସମୟରେ ମା’ ତାଙ୍କ ସମର୍ଥନର ଏକମାତ୍ର ଉତ୍ସ ଥିଲେ । ଦୁଃଖର ପାହାଡ଼ରେ ଚାପି ହୋଇଥିବା  ଭାବେଶଙ୍କୁ ମା’ଙ୍କର କିଛି କଥା ବଳ ଦେଲା । ମା’ ତାଙ୍କୁ କହିଥିଲେ ‘ତୁ  ଦୁନିଆକୁ ଦେଖି ନ ପାରିଲେ କ’ଣ ହେଲା, ଏମିତି କାମ କର, ଯେମିତି ସାରା ଦୁନିଆ ତୋତେ ଦେଖିବ ।’ ମା’ଙ୍କର  ଏ କଥା ତାଙ୍କୁ ଭବିଷ୍ୟତର ନୂଆ ମାର୍ଗ ଦେଖାଇଲା । ନୂଆ  କରି ଜୀବନ ଗଢ଼ିବାକୁ ପ୍ରେରଣା ଦେଲା ।  କେବଳ ଧୈର୍ଯ୍ୟ ନୁହେଁ, ସୃଜନଶୀଳତା ଭାବେଶଙ୍କୁ ମଜଭୁତ  କଲା । ପ୍ରତିଯୋଗୀଙ୍କ କାମକୁ ଦେଖିବାରେ ଅସମର୍ଥ ଭାବେଶ  ବିଭିନ୍ନ ପ୍ରକାର ମହମବତୀର ଡିଜାଇନ୍‌ ବିଷୟରେ ବୁଝିବା ପାଇଁ ସେଗୁଡ଼ିକର ସ୍ପର୍ଶ ଓ ଅନୁଭବ ଲାଗି ମଲ୍‌ ଓ ବଡ଼  ବଡ଼ ଦୋକାନ ବୁଲିଲେ । ମନେ ମନେ ସେଗୁଡ଼ିକର ଗଠନ  ଓ ସ୍ୱରୂପକୁ ମାପିଲେ । ତାଙ୍କ ସ୍ପର୍ଶ ଓ କାରିଗରୀରେ ଧୀରେ  ଧୀରେ ସାଦା ମହମବତୀ ସୁସଜ୍ଜିତ, ସୁବାସିତ ହେଲେ ଏବଂ  ଅଭିନବ ଆକାର ପାଇଲେ ।  ତାଙ୍କ ଯାତ୍ରାରେ ସାଥୀ ହେଲେ ତାଙ୍କ ପତ୍ନୀ ନୀତା । ସାମଗ୍ରୀ  ପ୍ରବନ୍ଧନ, ବିକ୍ରି ସହିତ ବ୍ୟବସାୟ ବୃଦ୍ଧିରେ ତାଙ୍କୁ ସାହାଯ୍ୟ  କଲେ । ବଜାରରେ ତିଷ୍ଠିବାକୁ ସଂଘର୍ଷ କରୁଥିବା ଏକ  ଉତ୍ପାଦକୁ ଉଭୟ ମିଶି ଏକ ଉଦ୍ୟୋଗରେ ରୂପାନ୍ତରିତ କଲେ ।  ଠେଲାଗାଡ଼ିରେ ଆରମ୍ଭ ହୋଇଥିବା ଏହି ବ୍ୟବସାୟ ସନ୍‌ରାଇଜ୍‌ କ୍ୟାଣ୍ଡେଲ୍ସ କମ୍ପାନି ନାମରେ ପରିଚିତ ହେଲା । ବର୍ଷ ବିତିବା  ସହିତ କମ୍ପାନି ଆଗକୁ ବଢ଼ିଚାଲିଛି । ନୂଆ ନୂଆ ଡିଜାଇନ୍‌ର  ମହମବତୀ ସହିତ ଭାରତର ଅନେକ  ରାଜ୍ୟରେ କାୟା ମେଲାଇଛି । ଗୋଟିଏ  ସରଳ ପ୍ରୟାସ ଆଜି ଏକ ଉଦ୍ୟୋଗରେ  ରୂପାନ୍ତରିତ ହୋଇଛି, ଯାହାର ବାର୍ଷିକ  ଆୟ ଶତାଧିକ କୋଟି ।

ଅଧିକ ପଢ଼ନ୍ତୁ-ସେବା ଓ କରୁଣାର ମୂର୍ତ୍ତିମନ୍ତ ପ୍ରତୀକ ଡାକ୍ତର ଲକ୍ଷ୍ମୀ ବାଇ, ମହିଳାଙ୍କ କର୍କଟ ରୋଗ ଚିକିତ୍ସା ପାଇଁ ଘର ବିକି ଦାନ କଲେ ୩.୪୦ କୋଟି ଟଙ୍କା​​​​​​​

ତେବେ କେବଳ ବ୍ୟବସାୟ ଭାବେଶଙ୍କ ଉଦ୍ଦେଶ୍ୟ ନୁହେଁ ।  ତାଙ୍କ କମ୍ପାନି ହଜାର ହଜାର ଦୃଷ୍ଟିହୀନଙ୍କୁ ତାଲିମ ଓ ଚାକିରି  ପ୍ରଦାନ କରୁଛି । ସେମାନଙ୍କ କୌଶଳ ବିକାଶ ଓ ଆର୍ଥିକ  ସ୍ୱାଧୀନତାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ଏଠାରେ ତାଲିମପ୍ରାପ୍ତ ଅନେକ ବ୍ୟକ୍ତି ନିଜର ଉଦ୍ୟୋଗ ଆରମ୍ଭ  କରୁଛନ୍ତି ଏବଂ ପରେ ନିଜ ସଂଗଠନର ବିସ୍ତାର କରୁଛନ୍ତି । ଭାବେଶ ଦୁନିଆକୁ ଦେଖିପାରୁ ନାହାନ୍ତି, କିନ୍ତୁ ନିଜ କାମ ଓ  ଦୃଢ଼ସଂକଳ୍ପ ମାଧ୍ୟମରେ ହଜାର ହଜାର ଜୀବନରେ ଆଲୋକ  ଭରିଛନ୍ତି । ବିଶ୍ୱ ଏବେ ତାଙ୍କୁ ଦେଖୁଛି ।