ବ୍ରହ୍ମପୁର, ୨୦/୦୨: କୁହାଯାଏ ବୈଦ୍ୟ ନାରାୟଣ ହରି । ଜଣେ ରୋଗୀ ପାଇଁ ଡାକ୍ତର ଭଗବାନଙ୍କ ସ୍ୱରୂପ । ସେବା ଓ କରୁଣାର ମୂର୍ତ୍ତିମନ୍ତ ପ୍ରତୀକ । ଡାକ୍ତର ଲକ୍ଷ୍ମୀ ବାଇ ହେଲେ ସେହିଭଳି ଜଣେ ମହିୟସୀ, କୋଟିକରେ ଗୋଟିଏ । ବୃତ୍ତିଗତ ସମୟ ତାଙ୍କର କଟିଛି ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଭାବେ । ଅବସର ପରେ ଶିବିର ଆୟୋଜନ କରି ମହିଳାଙ୍କ ଚିକିତ୍ସା କରିଛନ୍ତି । ଚିକିତ୍ସିତ ମହିଳାମାନଙ୍କ ମଧ୍ୟରେ ଅନେକ କର୍କଟ ରୋଗରେ ପୀଡ଼ିତ ଥିବା ଦେଖି ବ୍ୟଥିତ ହୋଇଛନ୍ତି । ସେହିଦିନରୁ ମହିଳାମାନଙ୍କ କର୍କଟ ରୋଗର ଚିକିତ୍ସା ପାଇଁ କିଛି କରିବାକୁ ଡା. ଲକ୍ଷ୍ମୀବାଇ ଚିନ୍ତା କରିଥିଲେ । ଶହେ ବର୍ଷରେ ପଦାର୍ପଣ କରି ସେ ଦେଖାଇଛନ୍ତି ତାଙ୍କ ମହାନୁଭବତାର ଉଦାହରଣ । ନିଜେ ରହୁଥିବା ଘର ବିକ୍ରି କରି ଏହି ଅର୍ଥ ସେ ଦାନ କରି ଦେଇଛନ୍ତି । ଏହି ଦାନ ୩.୪୦ କୋଟି ଟଙ୍କା ମହିଳାଙ୍କ କର୍କଟ ରୋଗର ଚିକିତ୍ସା ପାଇଁ ସମର୍ପିତ । ତାଙ୍କର ଏହି ସେବା ଓ ସମର୍ପଣ ଭାବ ସାରା ଦେଶରେ ଚର୍ଚ୍ଚିତ ହୋଇଥିବାବେଳେ ନିକଟରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବ୍ରହ୍ମପୁର ଆସି ଡା. ଲକ୍ଷ୍ମୀବାଇଙ୍କ ଅଶୀର୍ବାଦ ନେଇଛନ୍ତି ।

୧୯୨୬ ଡିସେମ୍ବର ୫ ତାରିଖରେ ଡା. ଲକ୍ଷ୍ମୀ ବାଇଙ୍କ ଜନ୍ମ । ଏସ୍‌ସିବି ମେଡିକାଲ କଲେଜର ପ୍ରଥମ ବ୍ୟାଚ୍ ଏମ୍‌ବିବିଏସ୍ ଛାତ୍ରୀ । ୧୯୪୫ରୁ ୧୯୫୦ ପର୍ଯ୍ୟନ୍ତ ଏସ୍ସିବି ମେଡିକାଲ କଲେଜରେ ଡାକ୍ତରୀ ଶିକ୍ଷା ହାସଲ କରିଥିଲେ । ଉଚ୍ଚ ଶିକ୍ଷା ପାଇଁ ୧୯୫୮ରେ ମାଡ୍ରାସ୍ ମେଡିକାଲ କଲେଜରେ ନାମ ଲେଖାଇଥିଲେ । ୧୯୫୦ରେ ସୁନ୍ଦରଗଡ଼ ଜିଲ୍ଲା ହସ୍ପିଟାଲରୁ ଚାକରି ଜୀବନ ଆରମ୍ଭ କରିଥିଲେ ଡା. ଲକ୍ଷ୍ମୀବାଇ । ୩୬ ବର୍ଷ କାଳ ମହିଳାଙ୍କ ଚିକିତ୍ସା କରିଥିଲେ । ନିଷ୍ଠା ଓ ଉତ୍ସର୍ଗୀକୃତ ମନୋଭାବ ଅବସର ପରେ ତାଙ୍କୁ ଏହି ବୃତ୍ତିରେ ରହିବାକୁ ବାଧ୍ୟ କରିଥିଲା । ୧୯୮୬ରେ ଏମ୍‌କେସିଜି ମେଡିକାଲ କଲେଜରୁ ଅବସର ନେଇଥିଲେ । ତା’ ପରେ ଡା. ଲକ୍ଷ୍ମୀବାଇ ଗ୍ରାମାଞ୍ଚଳକୁ ଯାଇ ଶିବିର ଆୟୋଜନ କରୁଥିଲେ । ଗାଁ ଗାଁ ବୁଲି ମହିଳାଙ୍କ ପରିବାର ନିୟୋଜନ ଅସ୍ତ୍ରୋପଚାର କରୁଥିଲେ ଏବଂ ମହିଳାଙ୍କୁ ସ୍ୱାସ୍ଥ୍ୟ ସଚେତନ ହେବାକୁ ପରାମର୍ଶ ଦେଉଥିଲେ । ଶିବିରରେ ବହୁ ମହିଳା କ୍ୟାନସର୍ର ଶିକାର ହୋଇଥିବା କୁହନ୍ତି । ହେଲେ ଚିକିତ୍ସା ପାଇଁ ଅର୍ଥ ନଥାଏ । ମହିଳାମାନଙ୍କ ସେହି ନିବେଦନ ତାଙ୍କୁ ବ୍ୟଥିତ କରୁଥିଲା । ସେମାନଙ୍କ କ୍ୟାନସର୍ ଚିକିତ୍ସା ଓ ଯତ୍ନ ପାଇଁ ସୁବିଧା କରିବାକୁ ଚାହୁଁଥିଲେ ।

ଆହୁରି ପଢ଼ନ୍ତୁ :- କରୋନା ଯୁଦ୍ଧର ଯୋଦ୍ଧା କୁମାରୀ ନାଏକ; ମା' ଭଳି ଢାଳି ଦେଉଛନ୍ତି ସ୍ନେହ ଆଦର, ଆଶାକର୍ମୀ ୩ଥର ଜିଲ୍ଲାସ୍ତରରେ ପୁରସ୍କୃତ

ସେଥିପାଇଁ ଭୁବନେଶ୍ୱର ଏମ୍‌ସର ଗାଇନାକୋଲୋଜି ଅଙ୍କୋଲୋଜି ପ୍ରୋଗ୍ରାମ୍‌କୁ  ୩.୪୦ କୋଟି ଦାନ କରିଥିବା କହିଛନ୍ତି ପ୍ରଫେସର୍ ଲକ୍ଷ୍ମୀବାଇ । ତେବେ ଦାନ କରିଥିବା ଅର୍ଥ ସଞ୍ଚିତ ନୁହେଁ, ନିଜେ ରହୁଥିବା ଘରକୁ ବିକ୍ରି କରି ଏମ୍ସକୁ ଦେଇଛନ୍ତି । ଦାନ ସମ୍ପର୍କରେ ଡାକ୍ତର କୁହନ୍ତି, ଓଡ଼ିଶାରେ ଜନ୍ମ । ଏଇଠି ପାଠ ପଢ଼ିଛି ଏବଂ ବୃତ୍ତିଗତ ଜୀବନ ବିତେଇଛି । ରାଜ୍ୟ ପାଇଁ କିଛି କରିବାକୁ ଭାବିଥିଲି । ଚିକିତ୍ସା କରୁଥିବା ସମୟର କିଛି ଅନୁଭୂତି ଏହି ଦାନ କରିବା ପାଇଁ ପ୍ରେରଣା ଦେଇଥିବା ସେ କହିଛନ୍ତି । ଡିସେମ୍ବର ୫ ତାରିଖରେ ସେ ଶହେ ବର୍ଷରେ ପାଦ ଦେଇଛନ୍ତି । ସ୍ୱାସ୍ଥ୍ୟସେବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଭାରତଜ୍ୟୋତି ଆୱାର୍ଡ, ଇଣ୍ଟରନ୍ୟାସ୍ନାଲ ଫ୍ରେଣ୍ଡସିପ୍ ସୋସାଇଟି ଆୱାର୍ଡ ଏବଂ ବେଷ୍ଟ୍ ସିଟିଜେନ୍ ଅଫ୍ ଇଣ୍ଡିଆ ଆୱାର୍ଡ ପାଇଛନ୍ତି । ତଥାପି ପଦ୍ମଶ୍ରୀ ସମ୍ମାନ ତାଙ୍କ ସେବା ପାଇଁ ଉଚିତ ପୁରସ୍କାର ହେବ ବୋଲି ବ୍ରହ୍ମପୁରବାସୀ କହିଛନ୍ତି ।