ଭୋପାଳ, ୨୦।୪: ଭୋପାଳରୁ ବିଶାଖାପାଟଣାକୁ କଣ୍ଟେନରରେ ଗଲା BMW ଓ ମର୍ସିଡିଜ୍, କିନ୍ତୁ ପହଞ୍ଚିବା ବେଳକୁ ଓଡୋମିଟରରେ ଦେଖାଇଲା ୭୦୦ କିମି । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ, କଣ୍ଟେନର ଭିତରେ ଯିବା ପରିବର୍ତ୍ତେ ଏହି ବିଳାସପୂର୍ଣ୍ଣ କାର୍ଗୁଡ଼ିକୁ ୭୦୦ କିଲୋମିଟରରୁ ଅଧିକ ବାଟ ରୋଡ୍ରେ ଚଳାଇ ନିଆଯାଇଥିଲା । ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଭୋପାଳରୁ ବିଶାଖାପାଟଣାକୁ ଗାଡ଼ି ପଠାଇବା ପାଇଁ 'ନ୍ୟାସନାଲ ଏନର୍ଜି ଟ୍ରେଡିଂ ଆଣ୍ଡ ସର୍ଭିସେସ୍ ଲିମିଟେଡ୍' ଏବଂ 'କେଆରଏସ୍ ଡାଇରେକ୍ଟର୍ସ ପ୍ରାଇଭେଟ୍ ଲିମିଟେଡ୍' ପକ୍ଷରୁ 'ଦିଲୀପ ରୋଡ୍ ଲାଇନ୍ସ' ନାମକ ଏକ କମ୍ପାନୀ ସହ ଯୋଗାଯୋଗ କରାଯାଇଥିଲା । ପ୍ରତ୍ୟେକ କାର୍ ପାଇଁ ୬୦,୦୦୦ ଟଙ୍କା ଭଡ଼ା ଧାର୍ଯ୍ୟ ହୋଇଥିଲା । ବୁକିଂ ସମୟରେ BMW କାର୍ର ମିଟର ରିଡିଂ ୩୮୬୪ କିମି ଥିଲା । କିନ୍ତୁ, ବିଶାଖାପାଟଣାରେ ପହଞ୍ଚିବା ପରେ ଏହା ୪୬୨୪ କିମି ହୋଇଯାଇଥିଲା । ଅର୍ଥାତ୍ କଣ୍ଟେନର ଭିତରେ ରହି ମଧ୍ୟ କାର୍ଟି ୭୬୦ କିଲୋମିଟର ଚାଲିଥିଲା । ସେହିଭଳି ମର୍ସିଡିଜ୍ ବେଞ୍ଜ୍ କାର୍ଟିକୁ ମଧ୍ୟ ହାଇଦ୍ରାବାଦ ପାଖରେ କଣ୍ଟେନରରୁ ଓହ୍ଲାଇ ପ୍ରାୟ ୭୫୭ କିଲୋମିଟର ସଡ଼କ ପଥରେ ଚଳାଇ ନିଆଯାଇଥିଲା ।

ଫାଷ୍ଟଟ୍ୟାଗ୍ ଖୋଲିଦେଲା ପୋଲ୍:

କମ୍ପାନୀର ଏହି ଚାଲାକି ସେତେବେଳେ ଧରାପଡ଼ିଲା, ଯେତେବେଳେ ଗ୍ରାହକମାନେ ନିଜର ଫାଷ୍ଟଟ୍ୟାଗ୍ ହିଷ୍ଟ୍ରି ଏବଂ ମିଟର ରିଡିଂ ଯାଞ୍ଚ କରିଥିଲେ । ଜଣାପଡ଼ିଲା ଯେ, ଭୋପାଳରୁ ହାଇଦ୍ରାବାଦ ପର୍ଯ୍ୟନ୍ତ କାର୍ଗୁଡ଼ିକ କଣ୍ଟେନରରେ ଆସିଥିଲା, କିନ୍ତୁ ତା’ପରେ କମ୍ପାନୀର କର୍ମଚାରୀମାନେ ନିଜ ମନଇଚ୍ଛା ଏହାକୁ ରୋଡ୍ରେ ଚଳାଇ ବିଶାଖାପାଟଣା ପହଞ୍ଚାଇଥିଲେ ।

କମ୍ପାନୀର ଅଜବ ଯୁକ୍ତି:

କୋର୍ଟରେ ଶୁଣାଣି ସମୟରେ ଟ୍ରାନ୍ସପୋର୍ଟ କମ୍ପାନୀ ଏକ ଅଜବ ସଫେଇ ଦେଇଥିଲା । ସେମାନେ କହିଥିଲେ ଯେ, "ହାଇଦ୍ରାବାଦରେ ଏକ ଶୋଭାଯାତ୍ରା ଯୋଗୁଁ ପ୍ରବଳ ଟ୍ରାଫିକ୍ ଜାମ୍ ଥିଲା । ସଠିକ୍ ସମୟରେ ଡେଲିଭରି ଦେବା ପାଇଁ ଆମେ କାର୍ଗୁଡ଼ିକୁ କଣ୍ଟେନରରୁ ଓହ୍ଲାଇ ଚଲାଇ ନେଇଥିଲୁ ।" କିନ୍ତୁ ଗ୍ରାହକଙ୍କ ଅନୁମତି ବିନା ଏପରି କରିବା ସେବା କ୍ଷେତ୍ରରେ ଏକ ବଡ଼ ତ୍ରୁଟି ବୋଲି ପ୍ରମାଣିତ ହୋଇଥିଲା ।

ଉପଭୋକ୍ତା ଅଦାଲତଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ:

ଭୋପାଳ ଜିଲ୍ଲା ଉପଭୋକ୍ତା ଆୟୋଗ ଏହି ମାମଲାର ଶୁଣାଣି କରି କମ୍ପାନୀକୁ ତ୍ରୁଟିପୂର୍ଣ୍ଣ ସେବା ପାଇଁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ଯେ, ଦୁଇ ମାସ ମଧ୍ୟରେ କମ୍ପାନୀ ଗ୍ରାହକଙ୍କୁ ବୁକିଂ ବାବଦରେ ନେଇଥିବା ୬୦,୦୦୦ ଟଙ୍କା ଫେରସ୍ତ କରିବ । ସେବାରେ ତ୍ରୁଟି ପାଇଁ ୨୫,୦୦୦ ଟଙ୍କା ଏବଂ ମାନସିକ ନିର୍ଯାତନା ପାଇଁ ୨୦,୦୦୦ ଟଙ୍କା ଦେବାକୁ ପଡ଼ିବ । ମାମଲା ଲଢ଼ିବା ପାଇଁ ଅତିରିକ୍ତ ୫,୦୦୦ ଟଙ୍କା ପ୍ରଦାନ କରାଯିବ । କେବଳ ଏତିକି ନୁହେଁ ଯଦି ଧାର୍ଯ୍ୟ ସମୟ ମଧ୍ୟରେ ଏହି ଟଙ୍କା ପୈଠ କରା ନ ଯାଏ, ତେବେ କମ୍ପାନୀକୁ ୯ ପ୍ରତିଶତ ବାର୍ଷିକ ସୁଧ ସହ ସମସ୍ତ ଅର୍ଥ ଦେବାକୁ ପଡ଼ିବ । ଯଦି ଆପଣ ବି ନିଜ ଗାଡ଼ି କେଉଁଆଡ଼େ ପଠାଉଛନ୍ତି, ତେବେ ଡେଲିଭରି ସମୟରେ ମିଟର ରିଡିଂ ଓ ଫାଷ୍ଟଟ୍ୟାଗ୍ ନିଶ୍ଚୟ ଯାଞ୍ଚ କରନ୍ତୁ । ନଚେତ୍ ଆପଣଙ୍କ ବିଳାସପୂର୍ଣ୍ଣ ଗାଡ଼ି ବି ଅନ୍ୟ କାହାର 'ରାଇଡ୍' ପାଲଟି ଯାଇପାରେ !