ଭୁବନେଶ୍ୱର,୦୫/୦୯: ବହୁ ଚର୍ଚ୍ଚିତ ନୂଆପଲ୍ଳୀ ଆପାର୍ଟମେଣ୍ଟ ସେକ୍ସ ସ୍କାଣ୍ଡାଲ୍ ମାମଲାରେ ଦୀର୍ଘ ୨୮ ବର୍ଷ ପରେ ଶୁଣାଣି ଆରମ୍ଭ ହୋଇଛି । ରେଜିଷ୍ଟ୍ରାର କୋର୍ଟରେ ପ୍ରଥମ ସାକ୍ଷ୍ୟ ଗ୍ରହଣ କରାଯାଇଛି । ଏହି ସେକ୍ସ ସ୍କାଣ୍ଡାଲ ମାମଲା ଏବେ ପୁଣି ଚର୍ଚ୍ଚାର ବିଷୟ ପାଲଟିଛି ।
ବାଲେଶ୍ୱର ଜିଲ୍ଲା କୁନ୍ତଳାକୁମାରୀ ସାବତ ମହିଳା ମହାବିଦ୍ୟାଳୟରେ ୧୯୯୭ ମସିହାରେ ଯୁକ୍ତତିନିର ପ୍ରଥମବର୍ଷର ଛାତ୍ରୀଙ୍କର ଯୁକ୍ତଦୁଇ ସାର୍ଟିଫିକେଟ୍ରେ ତାଙ୍କ ବାପାଙ୍କ ନାମ୍ ଭୁଲ୍ ଥିଲା । ତେବେ ଏ ବିଷୟରେ ସେ କଲେଜର ବିଭିନ୍ନ ଅଧିକାରୀ ଓ କର୍ମଚାରୀଙ୍କୁ ଜଣାଇଥିଲେ । ହେଲେ କେହି ଶୁଣି ନଥିଲେ । ତେବେ ଏହି ସମୟରେ ତାଙ୍କୁ ସହଯୋଗର ହାତ ବଢ଼ାଇଥିଲେ ଉକ୍ତ କଲେଜର ମହିଳା ଅଧ୍ୟାପିକା(କ୍ରୀଡ଼ା) ।
ତାଙ୍କୁ କହିଥିଲେ, ଭୁବନେଶ୍ୱର ଉତ୍କଳ ବିଶ୍ୱବିଦ୍ୟାଳୟରେ ତାଙ୍କର ଚିହ୍ନା ଲୋକ ଅଛନ୍ତି । ସେଠାକୁ ଯାଇ ସାର୍ଟିଫିକେଟ୍ ଠିକ୍ କରିହେବ । ମହିଳା ଅଧ୍ୟାପିକାଙ୍କ କଥାରେ ରାଜି ହୋଇଥିଲେ ଛାତ୍ରୀ ଜଣକ । କିଛି ଦିନ ପରେ ମହିଳା ଅଧ୍ୟାପିକା ଜଣଙ୍କ ଛାତ୍ରୀଙ୍କୁ ନେଇ ଭୁବନେଶ୍ୱର ଆସିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟ ନ ଯାଇ ଅଧ୍ୟାପିକା ତାଙ୍କୁ ଇସ୍କନ୍ ମନ୍ଦିର ସମ୍ମୁଖରେ ଥିବା ଏକ ଆପାର୍ଟମେଣ୍ଟକୁ ନେଇଯାଇଥିଲେ । ଆପାର୍ଟମେଣ୍ଟର ଏକ ଫ୍ଲାଟ୍ରେ ତାଙ୍କୁ ବସାଇ ଦେଇ ତଳକୁ ଆସିଥିଲେ । ଆପାର୍ଟମେଣ୍ଟର ବାହାରେ ଥିବା ଏକ ଟେଲଫୋନ୍ ବୁଥ୍କୁ ଆସି ଫୋନ୍ରେ କଥା ହୋଇଥିଲେ । ତେବେ କିଛି ସମୟ ପରେ ଉକ୍ତ ଫ୍ଲାଟ୍ରେ ପହଞ୍ଚିଥିଲେ ଜଣେ ଆଇଆରଏସ୍ ଓ ଜଣେ ଆଇଏଏସ୍ ଅଫିସର । ଫ୍ଲାଟ୍ ରୁମ୍ରେ ଛାତ୍ରୀଙ୍କୁ ଅଶ୍ଳୀଳ ଭିଡିଓ ଦେଖାଇଥିଲେ । ତା’ପରେ ତାଙ୍କ ସହିତ ଖରାପ ବ୍ୟବହାର କରିବାକୁ ଉଦ୍ୟମ କରିଥିଲେ । ଛାତ୍ରୀ ଜଣକ ଭୟରେ ବାଥରୁମ୍ ଭିତରକୁ ପଳାଇ ଭିତରକୁ ଲକ୍ କରି ଦେଇଥିଲେ । ରାତି ସାରା ବାଥରୁମ୍ ଭିତରେ ରହିଥିଲେ । ତା’ ପର ଦିନ ଭୋର ସମୟରେ ଛାତ୍ରୀ ଜଣକ ବାଥରୁମ୍ରୁ ବାହାରି ଦେଖିଥିଲେ ଅଧ୍ୟାପିକା ଓ ଅନ୍ୟ ଦୁଇଜଣ ରୁମ୍ରେ ଶୋଇଛନ୍ତି । କାହାକୁ କିଛି ନ ଜଣାଇ ଛାତ୍ରୀ ଜଣକ ସେଠାରୁ ବାହାରି ବାଲେଶ୍ୱର ପଳାଇ ଯାଇଥିଲେ । ବାଲେଶ୍ୱର ଯାଇ ଘଟଣା ବିଷୟରେ ଜଣାଇଥିଲେ । ଯାହାକୁ ନେଇ ସାରା ରାଜ୍ୟରେ ଚହଳ ପଡିଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମାମଲା ସିବିଆଇକୁ ଯାଇଥିଲା । ସେତେବେଳେ କିଛି ଲୋକ ଗିରଫ ହୋଇଥିଲେ । ଆଉ କିଛି ଆଗୁଆ ଜାମିନ୍ ପାଇଥିଲେ । ୨୦୦୦ ମସିହାରେ ନୂଆ ସରକାର ଆସିବା ପରେ ମାମଲା ଥଣ୍ଡା ପଡ଼ିଯାଇଥିଲା ।
ଦୀର୍ଘ ୨୮ ବର୍ଷ ପରେ ମାମଲାର ପ୍ରଥମ ଶୁଣାଣି ଆରମ୍ଭ ହୋଇଛି । ସାକ୍ଷୀ ଜଣଙ୍କ ହେଲେ ୧୯୯୭ ମସିହାରେ ଆପାର୍ଟମେଣ୍ଟ ବାହାରେ ଟେଲିଫୋନ୍ ବୁଥ୍ କରିଥିବା ବ୍ୟକ୍ତି । ବିଚାରପତି ତାଙ୍କୁ ମହିଳା ଅଧ୍ୟାପିକାଙ୍କ ସମ୍ପର୍କରେ ପଚରାଉଚରା କରିଥିଲେ । ସେ କହିଥିଲେ, ଅଧ୍ୟାପିକା ତାଙ୍କ ବୁଥ୍କୁ ଫୋନ୍ କରିବାକୁ ଆସିଥିଲେ । ବିଚାରପତି ତାଙ୍କୁ ଚିହ୍ନି ପାରିବ ବୋଲି ପଚାରିବାରୁ ସେ ମନା କରିଥିଲେ । ଦୀର୍ଘ ୨୮ ବର୍ଷ ପରେ ମାମଲାର ଶୁଣାଣିକୁ ନେଇ ଏବେ ବିଭିନ୍ନ ମହଲାରେ ଚର୍ଚ୍ଚା ଦେଖା ଦେଇଛି । ଅଧ୍ୟାପିକାଙ୍କ ପାଇଁ ବରିଷ୍ଠ ଆଇନ୍ଜୀବୀ ଦେବାଷିଶ ପଣ୍ଡା ମାମଲା ପରିଚାଳନା କରୁଛନ୍ତି ।