ନୂଆଦିଲ୍ଲୀ - କୃତ୍ରିମ ବୁଦ୍ଧିମତ୍ତା ବା AIକୁ ମାନବ ଇତିହାସର ସବୁଠାରୁ ବୈପ୍ଳବିକ ପରିବର୍ତ୍ତନ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଏହା ସ୍ୱାସ୍ଥ୍ୟ, ଶିକ୍ଷା, ବିଜ୍ଞାନ ଏବଂ ବ୍ୟବସାୟ ଭଳି କ୍ଷେତ୍ର ପାଇଁ ଅନେକ ନୂଆ ସମ୍ଭାବନା ଆଣି ଦେଇଛି। ହେଲେ , ଆଶ୍ଚର୍ଯ୍ୟକର କଥା ଏହା ଯେ, AIର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଅନେକ ପ୍ରମୁଖ ବ୍ୟକ୍ତିତ୍ୱ, ଏବେ ଖୋଲାଖୋଲି ଭାବେ ଏହାର ବିପଦକୁ ନେଇ ବିଷୟରେ ଚେତାବନୀ ଦେଉଛନ୍ତି। AI 'ଗଡଫାଦର' ଜେଫ୍ରି ହିଣ୍ଟନଙ୍କ ଠାରୁ ଆରମ୍ଭ କରି OpenAI CEO ସାମ୍ ଅଲ୍ଟମ୍ୟାନ୍, ଆନ୍ଥ୍ରୋପିକ CEO ଡାରିଓ ଆମୋଡେଇ ଏବଂ Google CEO ସୁନ୍ଦର ପିଚାଇ ପର୍ଯ୍ୟନ୍ତ, ସମସ୍ତେ ବିଶ୍ୱାସ କରନ୍ତି ଯେ, AIର ଭବିଷ୍ୟତ ବିପଦରେ ପରିପୂର୍ଣ୍ଣ ଏବଂ ଏହା ମଣିଷ ଉପରେ ପ୍ରଭାବ ପକାଇବାର ସମ୍ଭାବନା ରଖିଛି।
AIର ଗଡଫାଦର ଜେଫ୍ରି ହିଣ୍ଟନ ବହୁ ପୂର୍ବରୁ ଚେତାବନୀ ଦେଇ ସାରିଛନ୍ତି ଯେ, ବିଶ୍ୱ ଏପରି ପ୍ରଯୁକ୍ତିବିଦ୍ୟା ବିକଶିତ କରୁଛି ଯାହା ପ୍ରଥମ ଥର ପାଇଁ ଭବିଷ୍ୟତରେ ମଣିଷକୁ ପଛରେ ପକାଇ ପାରେ। ସେ ବିଶ୍ୱାସ କରନ୍ତି ଯେ, ଯଦି AI ସିଷ୍ଟମଗୁଡ଼ିକ ମାନବ ବୁଦ୍ଧିମତାକୁ ପଛରେ ପକାଇ ଦିଏ, ତେବେ ସେଗୁଡ଼ିକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ କଷ୍ଟକର ହୋଇପାରେ। ହିଣ୍ଟନ ଯୁକ୍ତି ଦିଅନ୍ତି ଯେ AIର କ୍ଷମତା ବୃଦ୍ଧି କରିବା ଦୌଡ଼ରେ ସୁରକ୍ଷାକୁ ଅଣଦେଖା କରାଯିବା ଉଚିତ୍ ନୁହେଁ। ସେ ବିଶ୍ୱାସ କରନ୍ତି ଯେ ସୁପର ଇଣ୍ଟେଲିଜେଣ୍ଟ AI ମାନବଜାତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିପଦ ସୃଷ୍ଟି କରିପାରେ।
ଆନ୍ଥ୍ରୋପିକ୍ ସିଇଓ ଡାରିଓ ଅମୋଡେଇଙ୍କ ଚିନ୍ତା ନିକଟ ଭବିଷ୍ୟତ ସହ ଜଡିତ। ସେ ବିଶ୍ୱାସ କରନ୍ତି ଯେ, ଆଗାମୀ କିଛି ବର୍ଷ ମଧ୍ୟରେ AI ବହୁ ସଂଖ୍ୟକ ଏଣ୍ଟ୍ରି-ଲେବଲ ହ୍ୱାଇଟ କଲର ଜବ୍ସକୁ ପ୍ରଭାବିତ କରିପାରେ। ଗ୍ରାହକ ସହାୟତା, ତଥ୍ୟ ବିଶ୍ଳେଷଣ, ସଫ୍ଟୱେର୍ ବିକାଶ ଏବଂ ଆଇନଗତ ଗବେଷଣା ଭଳି କ୍ଷେତ୍ରରେ AI ଦ୍ରୁତ ଗତିରେ ମଣିଷଙ୍କ ସ୍ଥାନ ନେଉଛି। ଅମୋଡେଇଙ୍କ ବିଶ୍ୱାସ ଯେ, ଯଦି ସରକାର ଏବଂ କମ୍ପାନୀଗୁଡ଼ିକ ପୂର୍ବରୁ ପ୍ରସ୍ତୁତି ନ କରନ୍ତି, ତେବେ ବେକାରୀ ବୃଦ୍ଧି ପାଇ ପାରେ।
OpenAI ସିଇଓ ସାମ୍ ଅଲ୍ଟମ୍ୟାନଙ୍କ ଦୃଷ୍ଟିକୋଣ ଭିନ୍ନ। ସେ ବିଶ୍ୱାସ କରନ୍ତି ଯେ, ସବୁଠାରୁ ବଡ଼ ବିପଦ କେବଳ AI ନୁହେଁ, ବରଂ ଏହା ଉପରେ ମଣିଷର ବଢ଼ୁଥିବା ଅନ୍ଧ ବିଶ୍ୱାସ ମଧ୍ୟ। ଅଲ୍ଟମ୍ୟାନ୍ ବାରମ୍ବାର କହିଛନ୍ତି ଯେ ଲୋକମାନେ ChatGPT ଏବଂ ଅନ୍ୟାନ୍ୟ AI ଉପକରଣଗୁଡ଼ିକ ଉପରେ ଅତ୍ୟଧିକ ବିଶ୍ୱାସ କରୁଛନ୍ତି। ତାଙ୍କ ଅନୁସାରେ, ଯଦି ଲୋକମାନେ ସେମାନଙ୍କର ଚିନ୍ତାଧାରା, ବିଶ୍ଳେଷଣ ଏବଂ ନିଷ୍ପତ୍ତି ନେବାର କ୍ଷମତା AI ନିକଟରେ ସମର୍ପଣ କରନ୍ତି, ତେବେ ଏହା ସମାଜ ପାଇଁ ବିପଦପୂର୍ଣ୍ଣ ହୋଇପାରେ। ସେ ଡିପ୍ ଫେକ୍, ମିସ ଇନଫର୍ମେସନ ଓ AIର ଅପବ୍ୟବହାରକୁ ଆଗାମୀ ବର୍ଷର କିଛି ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଭାବରେ ଦର୍ଶାଇଛନ୍ତି।
ଗୁଗଲ୍ ଓ ଆଲଫାବେଟର ସିଇଓ ସୁନ୍ଦର ପିଚାଇ ମଧ୍ୟ AI ର ସମ୍ଭାବ୍ୟ ବିପଦ ବିଷୟରେ ବାରମ୍ବାର ଚେତାବନୀ ଦେଇଛନ୍ତି। ପିଚାଇ AIର ତୁଳନା 'ଅଗ୍ନି' ଏବଂ 'ବିଦ୍ୟୁତ' ସହିତ କରିଛନ୍ତି। ସେ କହିଛନ୍ତି ଯେ, AI ମାନବଜାତି ପାଇଁ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହୋଇପାରେ, କିନ୍ତୁ ଏହାର ଅପବ୍ୟବହାର ମଧ୍ୟ ଗୁରୁତର କ୍ଷତି ପହଞ୍ଚାଇ ପାରେ। ପିଚାଇ ଏକ ସାକ୍ଷାତକାରରେ କହିଥିଲେ ଯେ AI ର ପ୍ରଭାବର ପରିସର ଇଣ୍ଟରନେଟ୍ ଠାରୁ ମଧ୍ୟ ଅଧିକ ହୋଇପାରେ। ସେ ଡିପ୍ ଫେକ୍, ମିସ ଇନଫର୍ମେସନ ଏବଂ ଅନିୟନ୍ତ୍ରିତ AI ସିଷ୍ଟମ ବିଷୟରେ ଚିନ୍ତା ପ୍ରକାଶ କରିଛନ୍ତି।
ସେ ଏହା ମଧ୍ୟ କହିଛନ୍ତି ଯେ , AIର ବିକାଶ ଦାୟିତ୍ୱ ଏବଂ ନିୟମ ଦ୍ୱାରା ପରିଚାଳିତ ହେବା ଆବଶ୍ୟକ। ସେ ବିଶ୍ୱାସ କରନ୍ତି ଯେ ଟେକ୍ କମ୍ପାନୀଗୁଡ଼ିକ, ସରକାର ଏବଂ ସମାଜ ମିଳିତ ଭାବେ ଏକ ଏମିତି ନିୟମ ଗଠନ କରିବାକୁ ହେବ ,ଯାହା ଇନୋଭେସନ୍ସକୁ ପ୍ରୋତ୍ସାହିତ କରିବ ଏବଂ ବିପଦକୁ ହ୍ରାସ କରିବ।
କିଛି ବିଶେଷଜ୍ଞ ବିଶ୍ୱାସ କରନ୍ତି ଯେ AI ର ବିପଦକୁ ଅତିରଞ୍ଜିତ କରାଯାଉଛି। ମାଇକ୍ରୋସଫ୍ଟର ମୁଖ୍ୟ ବ୍ରାଡ୍ ସ୍ମିଥ୍ ପରି ନେତାମାନେ କୁହନ୍ତି ଯେ AI କୁ କେବଳ ଏକ ବିପଦ ଭାବରେ ନୁହେଁ, ବରଂ ଉତ୍ପାଦକତା ବୃଦ୍ଧି ଏବଂ ନୂତନ ସୁଯୋଗ ସୃଷ୍ଟି କରିବାର ଏକ ସୁଯୋଗ ଭାବରେ ମଧ୍ୟ ଦେଖାଯିବା ଉଚିତ। ଏହି କାରଣରୁ AI ବିଷୟରେ ବର୍ତ୍ତମାନ ଦୁଇ ପ୍ରକାରର ଆଲୋଚନା ଚାଲିଛି। ଗୋଟିଏ ସୁରକ୍ଷା ଏବଂ ନିୟନ୍ତ୍ରଣ ବିଷୟରେ, ଏବଂ ଅନ୍ୟଟି ନବସୃଜନ ଏବଂ ବିକାଶ ବିଷୟରେ। ଆପଣ AI ଉନ୍ନତିକୁ ଯେକୌଣସି ଭାବରେ ଦେଖି ପାରିବେ।
ଏହାସହ ମଧ୍ୟ ପଢନ୍ତୁ : Signs Before Death : ମୃତ୍ୟୁର ୭ ଦିନ ପୂର୍ବରୁ କଣ ହୋଇଥାଏ ? ଜାଣନ୍ତୁ , କଣ କୁହେ ମେଡିକାଲ୍ ସାଇନ୍ସ