ଭୁବନେଶ୍ୱର,୨୬/୦୭: ଭୁବନେଶ୍ୱର ହେବ ସ୍ୱାସ୍ଥ୍ୟ ଜିଲ୍ଲା(ହେଲ୍‌ଥ ଡିଷ୍ଟ୍ରିକ୍ଟ) ।  ଏଥିପାଇଁ ବିଭାଗୀୟସ୍ତରରେ ଆଲୋଚନା  ଆରମ୍ଭ ହୋଇଛି । ଦିନକୁଦିନ ଭୁବନେଶ୍ୱର ସହରର ପରିସର ବଢ଼ିବାରେ ଲାଗିଛି । ଲୋକସଂଖ୍ୟା ମଧ୍ୟ ବଢ଼ିଚାଲିଛି । ରାଜ୍ୟର  ସବୁଠୁ ବଡ଼ ସ୍ୱାସ୍ଥ୍ୟ ଭିତ୍ତିଭୂମି ମଧ୍ୟ ଏହିଠାରେ ରହିଛି । ସେ ଦୃଷ୍ଟିରୁ ଦେଖିଲେ, ଭୁବନେଶ୍ୱରକୁ  ସ୍ୱାସ୍ଥ୍ୟ ଜିଲ୍ଲା ମାନ୍ୟତା ମିଳିବା କଥା ।  

ଗତ ଶନିବାର ବିଏମସି କମିଶନରଙ୍କ ଅଧ୍ୟକ୍ଷତାରେ ସିଟି ହେଲ୍‌ଥ ସୋସାଇଟିର ଇସି ବୈଠକ ଅନୁଷ୍ଠିତ ହୋଇଥିଲା ।  ବୈଠକରେ ସହରାଞ୍ଚଳ ଜାତୀୟ ସ୍ୱାସ୍ଥ୍ୟ  ମିଶନର ଅଧିକାରୀମାନେ ସ୍ୱାସ୍ଥ୍ୟ ଜିଲ୍ଲା  ଉପରେ ଗୁରୁତ୍ୱ ଦେଇଥିଲେ । ଦୀର୍ଘ ସମୟ  ଧରି ଏବାବଦରେ ଆଲୋଚନା ହୋଇଥିଲା ।  ଖୁବଶୀଘ୍ର ଏହି ନିଷ୍ପତ୍ତି ଉପରେ ଚୂଡ଼ାନ୍ତ  ମୋହର ବାଜିବାର ସମ୍ଭାବନା ରହିଥିବା  ଏନଏଚଏମ୍‌ର ଜଣେ ଅଧିକାରୀ କହିଛନ୍ତି । 

ରାଜଧାନୀ ଭୁବନେଶ୍ୱର ସ୍ଥାପିତ ହେବାକୁ  ଇତିମଧ୍ୟରେ ୭୭ ବର୍ଷ ବିତିଗଲାଣି ।  ଭୌଗୋଳିକ ଦୃଷ୍ଟିକୋଣକୁ ଦେଖିଲେ  ବର୍ତ୍ତମାନ ଭୁବନେଶ୍ୱରର କ୍ଷେତ୍ରଫଳ ୧୮୬  ବର୍ଗ କିମି । ୨୦୧୧ ଜନସଂଖ୍ୟା ରିପୋର୍ଟ  ହିସାବରେ ଏଠାରେ ଏବେ ୮ଲକ୍ଷ ୩୭  ହଜାର ଲୋକ ବାସ କରଥିଲେ । ବର୍ତ୍ତମାନ  ଲୋକସଂଖ୍ୟା ୧୨ ଲକ୍ଷରୁ ଅଧିକ ହେଲାଣି ।  ଏଠାରେ ୬୭ଟି ୱାର୍ଡ ରହିଛି । ସହର ବାଦ୍‌  ଉପକଣ୍ଠ ଅଞ୍ଚଳ ଦିନକୁଦିନ ବଢୁଥିବାରୁ  ଖୁବ କମ୍‌ ଦିନ ମଧ୍ୟରେ ଏସବୁ ଅଞ୍ଚଳ  ସ୍ମାର୍ଟସିଟି ସହ ମିଶିଯିବ । ନୂଆ ସିଟି  ଅଞ୍ଚଳ ମଧ୍ୟ ସୃଷ୍ଟି ହେଉଛି । ହେଲେ ଆଜି  ବି ଭୁବନେଶ୍ୱର ଖୋର୍ଦ୍ଧା ଜିଲ୍ଲାରେ ରହିଛି  ଓ ସ୍ୱାସ୍ଥ୍ୟ ମୁଖ୍ୟ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା  ମୁଖ୍ୟ ଚିକିତ୍ସାଧିକାରୀ । ଜଣେ ସ୍ୱାସ୍ଥ୍ୟ  ଅଧିକାରୀ ଭୁବନେଶ୍ୱର ସହ ଖୋର୍ଦ୍ଧା ଜିଲ୍ଲାକୁ  ସମ୍ଭାଳୁଛନ୍ତି । ତେଣୁ ସ୍ୱାସ୍ଥ୍ୟ ସଂକ୍ରାନ୍ତୀୟ ନିଷ୍ପତ୍ତି,  ଡାକ୍ତର ଓ ପାରା ମେଡିକାଲ ଷ୍ଟାଫ୍‌ ପଦବି  ନିଯୁକ୍ତି ସହ ପ୍ରଶାସନିକ କାର୍ଯ୍ୟଭାର ଯୋଗୁ  ତାଙ୍କ ଉପରେ ଚାପ ପଡ଼ୁଛି ।  

ଦ୍ରୁତ ସହରୀକରଣ ଯୋଗୁ  ଭୁବନେଶ୍ୱରରେ ସ୍ୱାସ୍ଥ୍ୟ ଭିତ୍ତିଭୂମି  ମଧ୍ୟ ବଢୁଛି । କଟକ ବଡ଼ ମେଡିକାଲ  ଭଳି ଏଠାରେ କ୍ୟାପିଟାଲ ହସ୍ପିଟାଲ ରହିଛି । କ୍ୟାପିଟାଲ ହସ୍ପିଟାଲକୁ ଜିଲ୍ଲା  ମୁଖ୍ୟ ଚିକିତ୍ସାଳୟ(ଡିଏଚ୍‌ଏଚ୍‌) ଭଳି  ଗଣାଯାଏ । ଡିଏଚଏଚରେ ଯେଉଁ ସୁବିଧା  ରହିବା କଥା ତାହା ଏଠାରେ ରହିଛି ।  ସେହିପରି ଡାକ୍ତରୀ ପାଠ ପଢ଼ିବା ପାଇଁ  ପିଜିଆଇଏମଇଆର ମଧ୍ୟ ଅଛି । ଏହାର  କ୍ୟାମ୍ପସ କାମ ଏବେ ସରିବା ଉପରେ। ଏହାବାଦ୍‌ ରାଜଧାନୀରେ ୨୨ଟି ସହରାଞ୍ଚଳ  ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର(ୟୁପିଏଚସି)  ରହିଛି । ୧୮ଟି ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟକେନ୍ଦ୍ର(ୟୁଏଚଡବ୍ଲୁସି) ଓ ୪ଟି  ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ  କେନ୍ଦ୍ର(ୟୁସିଏଚସି)  ରହିଛି ।

ଏଥିସହ  ହୋମିଓପାଥିକ ଓ  ଆୟୁର୍ବେିଦକ ହସ୍ପିଟାଲ  ମଧ୍ୟ ରହିଛି । ସ୍ୱାସ୍ଥ୍ୟ ଭିତ୍ତିଭୂମିର  ବଡ଼ ପେଣ୍ଠ ଭାବେ ଭୁବନେଶ୍ୱର  ପରିଣତ ହୋଇଥିବା ବେଳେ ଏହାକୁ  ସ୍ୱାସ୍ଥ୍ୟ ଜିଲ୍ଲା ମାନ୍ୟତା ଦେବାରେ  ଅସୁବିଧା ନାହିଁ । ସ୍ୱାସ୍ଥ୍ୟ ଜିଲ୍ଲା ମାନ୍ୟତା  ମିଳିଲେ ସ୍ୱାସ୍ଥ୍ୟ ସେବା ସୁବିଧାର ତଦାରଖ  ହୋଇପାରିବ । ଜାତୀୟ ଓ ରାଜ୍ୟ ସ୍ୱାସ୍ଥ୍ୟ  କାର୍ଯ୍ୟକ୍ରମ ବ୍ୟବସ୍ଥିତ ଭାବରେ କାର୍ଯ୍ୟକ୍ଷମ,  ସ୍ୱାସ୍ଥ୍ୟ ଫଳାଫଳର ମୂଲ୍ୟାଙ୍କନ, ନିଜସ୍ୱ ପ୍ରଶାସନିକ ବ୍ୟବସ୍ଥା ମଧ୍ୟ ରହିବ । ସେହିପରି  ଏକ ସ୍ଥାୟୀ ସୀମା ରେଖା ମଧ୍ୟରରେ ଲୋକଙ୍କୁ  ସ୍ୱାସ୍ଥ୍ୟସେବା ମିଳିବ । ସ୍ୱତନ୍ତ୍ର ସିଡିଏମଓ ରହିବେ । ନୂଆ ସରକାର ଆସିବା ପରେ  ଏହା ଉପରେ ଗୁରୁତ୍ୱ ଦେବାକୁ ସ୍ୱାସ୍ଥ୍ୟ ବିଭାଗ  ପ୍ରଚେଷ୍ଟା ଜାରି ରଖିଛି । ଏ ସଂକ୍ରାନ୍ତରେ ଏଡିପିଚିଓ ନୀଳମଣି ସେନାପତିଙ୍କ କହିବା  କଥା, ସ୍ୱାସ୍ଥ୍ୟ ଜିଲ୍ଲା ହେବା ନେଇ ପ୍ରକ୍ରିୟା ଜାରି  ରହିଛି । ବାରମ୍ବାର ସିଟି ହେଲ୍‌ଥ ସୋସାଇଟି ବୈଠକରେ ଏହା ଆଲୋଚନା ହେଉଛି ।