ଭୁବନେଶ୍ୱର,୨୬/୦୭: ଭୁବନେଶ୍ୱର ହେବ ସ୍ୱାସ୍ଥ୍ୟ ଜିଲ୍ଲା(ହେଲ୍ଥ ଡିଷ୍ଟ୍ରିକ୍ଟ) । ଏଥିପାଇଁ ବିଭାଗୀୟସ୍ତରରେ ଆଲୋଚନା ଆରମ୍ଭ ହୋଇଛି । ଦିନକୁଦିନ ଭୁବନେଶ୍ୱର ସହରର ପରିସର ବଢ଼ିବାରେ ଲାଗିଛି । ଲୋକସଂଖ୍ୟା ମଧ୍ୟ ବଢ଼ିଚାଲିଛି । ରାଜ୍ୟର ସବୁଠୁ ବଡ଼ ସ୍ୱାସ୍ଥ୍ୟ ଭିତ୍ତିଭୂମି ମଧ୍ୟ ଏହିଠାରେ ରହିଛି । ସେ ଦୃଷ୍ଟିରୁ ଦେଖିଲେ, ଭୁବନେଶ୍ୱରକୁ ସ୍ୱାସ୍ଥ୍ୟ ଜିଲ୍ଲା ମାନ୍ୟତା ମିଳିବା କଥା ।
ଗତ ଶନିବାର ବିଏମସି କମିଶନରଙ୍କ ଅଧ୍ୟକ୍ଷତାରେ ସିଟି ହେଲ୍ଥ ସୋସାଇଟିର ଇସି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ସହରାଞ୍ଚଳ ଜାତୀୟ ସ୍ୱାସ୍ଥ୍ୟ ମିଶନର ଅଧିକାରୀମାନେ ସ୍ୱାସ୍ଥ୍ୟ ଜିଲ୍ଲା ଉପରେ ଗୁରୁତ୍ୱ ଦେଇଥିଲେ । ଦୀର୍ଘ ସମୟ ଧରି ଏବାବଦରେ ଆଲୋଚନା ହୋଇଥିଲା । ଖୁବଶୀଘ୍ର ଏହି ନିଷ୍ପତ୍ତି ଉପରେ ଚୂଡ଼ାନ୍ତ ମୋହର ବାଜିବାର ସମ୍ଭାବନା ରହିଥିବା ଏନଏଚଏମ୍ର ଜଣେ ଅଧିକାରୀ କହିଛନ୍ତି ।
ରାଜଧାନୀ ଭୁବନେଶ୍ୱର ସ୍ଥାପିତ ହେବାକୁ ଇତିମଧ୍ୟରେ ୭୭ ବର୍ଷ ବିତିଗଲାଣି । ଭୌଗୋଳିକ ଦୃଷ୍ଟିକୋଣକୁ ଦେଖିଲେ ବର୍ତ୍ତମାନ ଭୁବନେଶ୍ୱରର କ୍ଷେତ୍ରଫଳ ୧୮୬ ବର୍ଗ କିମି । ୨୦୧୧ ଜନସଂଖ୍ୟା ରିପୋର୍ଟ ହିସାବରେ ଏଠାରେ ଏବେ ୮ଲକ୍ଷ ୩୭ ହଜାର ଲୋକ ବାସ କରଥିଲେ । ବର୍ତ୍ତମାନ ଲୋକସଂଖ୍ୟା ୧୨ ଲକ୍ଷରୁ ଅଧିକ ହେଲାଣି । ଏଠାରେ ୬୭ଟି ୱାର୍ଡ ରହିଛି । ସହର ବାଦ୍ ଉପକଣ୍ଠ ଅଞ୍ଚଳ ଦିନକୁଦିନ ବଢୁଥିବାରୁ ଖୁବ କମ୍ ଦିନ ମଧ୍ୟରେ ଏସବୁ ଅଞ୍ଚଳ ସ୍ମାର୍ଟସିଟି ସହ ମିଶିଯିବ । ନୂଆ ସିଟି ଅଞ୍ଚଳ ମଧ୍ୟ ସୃଷ୍ଟି ହେଉଛି । ହେଲେ ଆଜି ବି ଭୁବନେଶ୍ୱର ଖୋର୍ଦ୍ଧା ଜିଲ୍ଲାରେ ରହିଛି ଓ ସ୍ୱାସ୍ଥ୍ୟ ମୁଖ୍ୟ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ଜଣେ ସ୍ୱାସ୍ଥ୍ୟ ଅଧିକାରୀ ଭୁବନେଶ୍ୱର ସହ ଖୋର୍ଦ୍ଧା ଜିଲ୍ଲାକୁ ସମ୍ଭାଳୁଛନ୍ତି । ତେଣୁ ସ୍ୱାସ୍ଥ୍ୟ ସଂକ୍ରାନ୍ତୀୟ ନିଷ୍ପତ୍ତି, ଡାକ୍ତର ଓ ପାରା ମେଡିକାଲ ଷ୍ଟାଫ୍ ପଦବି ନିଯୁକ୍ତି ସହ ପ୍ରଶାସନିକ କାର୍ଯ୍ୟଭାର ଯୋଗୁ ତାଙ୍କ ଉପରେ ଚାପ ପଡ଼ୁଛି ।
ଦ୍ରୁତ ସହରୀକରଣ ଯୋଗୁ ଭୁବନେଶ୍ୱରରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ମଧ୍ୟ ବଢୁଛି । କଟକ ବଡ଼ ମେଡିକାଲ ଭଳି ଏଠାରେ କ୍ୟାପିଟାଲ ହସ୍ପିଟାଲ ରହିଛି । କ୍ୟାପିଟାଲ ହସ୍ପିଟାଲକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ(ଡିଏଚ୍ଏଚ୍) ଭଳି ଗଣାଯାଏ । ଡିଏଚଏଚରେ ଯେଉଁ ସୁବିଧା ରହିବା କଥା ତାହା ଏଠାରେ ରହିଛି । ସେହିପରି ଡାକ୍ତରୀ ପାଠ ପଢ଼ିବା ପାଇଁ ପିଜିଆଇଏମଇଆର ମଧ୍ୟ ଅଛି । ଏହାର କ୍ୟାମ୍ପସ କାମ ଏବେ ସରିବା ଉପରେ। ଏହାବାଦ୍ ରାଜଧାନୀରେ ୨୨ଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର(ୟୁପିଏଚସି) ରହିଛି । ୧୮ଟି ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟକେନ୍ଦ୍ର(ୟୁଏଚଡବ୍ଲୁସି) ଓ ୪ଟି ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର(ୟୁସିଏଚସି) ରହିଛି ।
ଏଥିସହ ହୋମିଓପାଥିକ ଓ ଆୟୁର୍ବେିଦକ ହସ୍ପିଟାଲ ମଧ୍ୟ ରହିଛି । ସ୍ୱାସ୍ଥ୍ୟ ଭିତ୍ତିଭୂମିର ବଡ଼ ପେଣ୍ଠ ଭାବେ ଭୁବନେଶ୍ୱର ପରିଣତ ହୋଇଥିବା ବେଳେ ଏହାକୁ ସ୍ୱାସ୍ଥ୍ୟ ଜିଲ୍ଲା ମାନ୍ୟତା ଦେବାରେ ଅସୁବିଧା ନାହିଁ । ସ୍ୱାସ୍ଥ୍ୟ ଜିଲ୍ଲା ମାନ୍ୟତା ମିଳିଲେ ସ୍ୱାସ୍ଥ୍ୟ ସେବା ସୁବିଧାର ତଦାରଖ ହୋଇପାରିବ । ଜାତୀୟ ଓ ରାଜ୍ୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ବ୍ୟବସ୍ଥିତ ଭାବରେ କାର୍ଯ୍ୟକ୍ଷମ, ସ୍ୱାସ୍ଥ୍ୟ ଫଳାଫଳର ମୂଲ୍ୟାଙ୍କନ, ନିଜସ୍ୱ ପ୍ରଶାସନିକ ବ୍ୟବସ୍ଥା ମଧ୍ୟ ରହିବ । ସେହିପରି ଏକ ସ୍ଥାୟୀ ସୀମା ରେଖା ମଧ୍ୟରରେ ଲୋକଙ୍କୁ ସ୍ୱାସ୍ଥ୍ୟସେବା ମିଳିବ । ସ୍ୱତନ୍ତ୍ର ସିଡିଏମଓ ରହିବେ । ନୂଆ ସରକାର ଆସିବା ପରେ ଏହା ଉପରେ ଗୁରୁତ୍ୱ ଦେବାକୁ ସ୍ୱାସ୍ଥ୍ୟ ବିଭାଗ ପ୍ରଚେଷ୍ଟା ଜାରି ରଖିଛି । ଏ ସଂକ୍ରାନ୍ତରେ ଏଡିପିଚିଓ ନୀଳମଣି ସେନାପତିଙ୍କ କହିବା କଥା, ସ୍ୱାସ୍ଥ୍ୟ ଜିଲ୍ଲା ହେବା ନେଇ ପ୍ରକ୍ରିୟା ଜାରି ରହିଛି । ବାରମ୍ବାର ସିଟି ହେଲ୍ଥ ସୋସାଇଟି ବୈଠକରେ ଏହା ଆଲୋଚନା ହେଉଛି ।