ଭୁବନେଶ୍ୱର,୨୫/୦୯: ସମ୍ଭ୍ରାନ୍ତ ଲଢ଼େଇରେ କିଏ ମାରିବେ ବାଜି? କିଏ ହେବ ପ୍ରତିଷ୍ଠିତ ଭୁବନେଶ୍ୱର କ୍ଲବର ନୂଆ ମୁଖିଆ? ପୁଣି ଥରେ ଅସିତ୍ ବାଜିମାତ୍ କରିବେ ନା ଚକମା ଦେଖାଇବେ ସତ୍ୟପ୍ରକାଶ? କେଉଁ ପ୍ୟାନେଲର ପଲ୍ଲା ରହିବ ଭାରୀ? ଭୁବନେଶ୍ୱର କ୍ଲବ ନିର୍ବାଚନକୁ ନେଇ ଏମିତି ଅନେକ ପ୍ରଶ୍ନ ଓ ଚର୍ଚ୍ଚା । ଭୋଟ ସରିଥିବାବେଳେ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ରବିବାର ସକାଳ ୯ଟାରୁ ଆରମ୍ଭ ହୋଇଛି ଗଣତି । ଅପରାହ୍ଣ ୨ଟା ସୁଦ୍ଧା ଜଣାପଡ଼ିଯିବ ଫଳାଫଳ । ରାଜ୍ୟର ସବୁଠୁ ସମ୍ଭ୍ରାନ୍ତ ତଥା ପ୍ରତିଷ୍ଠିତ ଅନୁଷ୍ଠାନ ଭୁବନେଶ୍ୱର କ୍ଳବ ପାଇଁ ଶନିବାର ମତଦାନ ହୋଇଥିଲା । କୋଭିଡ ଭୟ କମିଥିବାରୁ ଏଥର ମତଦାନ ହାର ବଢ଼ିଥିଲା । ମୋଟ ୧୯୫୦ ସଦସ୍ୟଙ୍କ ଭିତରୁ ମତଦାନ କରିଛନ୍ତି ୧୦୯୫ଜଣ । ମତଦାନ ପାଇଁ ଭୁବନେଶ୍ୱର କ୍ଲବ ପରିସରରେ ୫ଟି ବୁଥ୍ ହୋଇଥିଲା ।
ଭୁବନେଶ୍ୱର କ୍ଲବ ସଭାପତି ପାଇଁ ମଇଦାନରେ ଦୁଇ ଅବସରପ୍ରାପ୍ତ ଆଇଏଏସ ସାମ୍ନାସାମ୍ନି ହୋଇଛନ୍ତି । ଜଣେ ହେଲେ ବର୍ତ୍ତମାନ ଭୁବନେଶ୍ୱର କ୍ଲବର ସଭାପତି ଥିବା ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ଅନ୍ୟଜଣେ ପୂର୍ବତନ ଉନ୍ନୟନ କମିଶନର ସତ୍ୟପ୍ରକାଶ ନନ୍ଦ । ଅସିତଙ୍କ ପ୍ୟାନେଲରୁ ଉପସଭାପତି ପାଇଁ ମହେନ୍ଦ୍ର ଗୁପ୍ତା, ସମ୍ପାଦକ ପାଇଁ ଦିଲ୍ଲୀପ କୁମାର ରାଉତରାୟ ଏବଂ ଯୁଗ୍ମ ସମ୍ପାଦକ ପାଇଁ ଅଶୋକ ମିଶ୍ର ପ୍ରାର୍ଥୀ ଅଛନ୍ତି । ସତ୍ୟପ୍ରକାଶଙ୍କ ପ୍ୟାନେଲରୁ ଉପସଭାପତି ପାଇଁ ତପେଶ ରୟ, ସମ୍ପାଦକ ପାଇଁ ମାନସ ରଞ୍ଜନ ଦାଶ, ଯୁଗ୍ମ ସମ୍ପାଦକ ପାଇଁ ଜ୍ୟୋର୍ତିମୟ ମହାନ୍ତି ନିର୍ବାଚନ ଲଢ଼ିଛନ୍ତି । ଉଭୟ ପ୍ୟାନେଲ ନିଜ ନିଜର ବିଜୟ ସମ୍ଭାବନା ପାଇଁ ଦୃଢ଼ୋକ୍ତି ବାଢ଼ିଛନ୍ତି । ଅପେକ୍ଷା ଆଉ କିଛି ଘଣ୍ଟା ମାତ୍ର । ଗଣତି ପରେ ଜଣାପଡ଼ିଯିବ, ଭୁବନେଶ୍ୱର କ୍ଲବର ମୁଖିଆ କିଏ ହେବ ।