ଭୁବନେଶ୍ୱର,୧୯/୦୮: ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ସେବା ଯୋଗୁଁ ପ୍ରବାସୀ ଓଡ଼ିଆ ଉପକୃତ ହେଉଥିଲେ । ଏହାବାଦ୍‌ ରାଜ୍ୟରେ ପର୍ଯ୍ୟଟନ, ଶିଳ୍ପ କ୍ଷେତ୍ରରେ ବି ବିକାଶ ହେଉଛି । ଯଦି ବିମାନ ସେବା ବନ୍ଦ ହେବ ଦୁବାଇରେ ରହୁଥିବା ପ୍ରବାସୀ  ଓଡ଼ିଆ ଅସୁବିଧାର ସମ୍ମୁଖୀନ ହେବେ । ତେଣୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା ଉପରେ ବିଚାର କରନ୍ତୁ ।  

ଦୁବାଇରେ ରହୁଥିବା ଓଡ଼ିଆ ସମାଜ ପକ୍ଷରୁ ସୋମବାର  ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଏହି ଗୁହାରି କରାଯାଇଛି । ସମାଜର ସଭାପତି ଅମିୟ କୁମାର ମିଶ୍ର କହିଛନ୍ତି, କିଛି  ଗଣମାଧ୍ୟମରେ ଦୁବାଇକୁ ବିମାନ ସେବା ବନ୍ଦ ହେବା ନେଇ ଖବର ପ୍ରସାରଣ ହୋଇଛି । ଯଦି ସରକାର ବିମାନ ସେବା ବନ୍ଦ କରନ୍ତି ତାହାହେଲେ ଦୁବାଇରେ ରହୁଥିବା ୩୦ ହଜାର ଓଡ଼ିଆ ଅସୁବିଧା ଭୋଗିବେ । ବିଧାୟକ ବାବୁ ସିଂ  କହିଛନ୍ତି, ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ନିଷ୍ପତ୍ତି ନେବେ । 

ସୂଚନାଯୋଗ୍ୟ, ୨୦୨୪ରେ ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଥିଲା । ଯାତ୍ରୀ ପିଛା ଯେତେ ଅର୍ଥ ଖର୍ଚ୍ଚ ହେଉଥିଲା ତା'ର ଅଧା ଅର୍ଥ ରାଜ୍ୟ ସରକାର ବହନ କରୁଥିଲେ।