PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ: ବିଧାନସଭା ହୁଲ୍‌ସ୍ତୁଲ

ଭୁବନେଶ୍ୱର,୧୫ ।୭(ବ୍ୟୁରୋ): ହଜାର ହଜାର ପୁଲିସର ସୁରକ୍ଷା ବଳୟ ଥାଇ ମଧ୍ୟ ରଥଯାତ୍ରା ବେଳେ ପୁରୀରେ ଜଣେ ବାଳିକା ଧର୍ଷଣର ଶିକାର ହେଲେ । କେନ୍ଦ୍ରାପଡ଼ାରେ ଗୁଳିମାଡ଼ ହେଲାଣି । ପଟ୍ଟନାୟିକାରେ ୩ ଜଣଙ୍କୁ ନିର୍ମମ ଭାବେ ମର୍ଡର କରି ଅଭିଯୁକ୍ତମାନେ ଚମ୍ପଟ ମାରିଲେ । ଏ ରାଜ୍ୟରେ ଆଇନ ଶୃଙ୍ଖଳା ବୋଲି କିଛି ନାହିଁ । ପ୍ରଶ୍ନକାଳ ବାତିଲ କର, ଏ ସ୍ପର୍ଶକାତର ପ୍ରସଙ୍ଗରେ ଆଲୋଚନା କର । ପ୍ରଶ୍ନକାଳରେ ଏମିତି ଜିଦ୍‌ ଧରିଲା ବିଜେପି । ଶୂନ୍ୟକାଳରେ ପ୍ରସଙ୍ଗକୁ ଆହୁରି ତୀବ୍ର ସ୍ୱରରେ ଦୋହରାଇଲା ।

ଶୂନ୍ୟକାଳରେ କଂଗ୍ରେସ ଦଳ ମଧ୍ୟ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରସଙ୍ଗକୁ ଆହୁରି ଶାଣିତ କଲା । ରାଜ୍ୟରେ ଜଙ୍ଗଲରାଜ ଚାଲିଛି ବୋଲି ଅଭିଯୋଗ ଆଣିଲା । ତୁରନ୍ତ ଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ବିଧାନସଭାରେ ବିବୃତି ରଖନ୍ତୁ ବୋଲି ଜିଦ ଧରିଲା । କଂଗ୍ରେସ ସଭ୍ୟଙ୍କ ହୋହଲ୍ଲା, ପାଟିତୁଣ୍ଡ ସହ ନାରାବାଜିରେ ଗୃହ ପଡ଼ିଲା ଆଉ ଉଠିଲା । କଂଗ୍ରେସର ହଙ୍ଗାମା ପରେ ବାଚସ୍ପତି ଗୃହ ବିଭାଗ ରାଷ୍ଟ୍ରମନ୍ତ୍ରୀ ବିବୃତି ରଖିବେ ବୋଲି ରୁଲିଂ ଦେଲେ । ମାତ୍ର ଏଥିରେ କଂଗ୍ରେସ ସଭ୍ୟମାନେ ଆହୁରି ଉତ୍‌କ୍ଷିପ୍ତ ହୋଇ ଜୋର ପାଟିତୁଣ୍ଡ କଲେ । ଗୃହ କମ୍ପିଲା । ଶେଷରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବାଧ୍ୟ ହୋଇ ଗୃହକୁ ୧୧.୫୬ରୁ ଅପରାହ୍ନ ୩ଟା ଯାଏ ମୁଲତବି ଘୋଷଣା କଲେ । ବିଜେପି ଓ କଂଗ୍ରେସ ଆଜି ସରକାରଙ୍କୁ ଘେରି ନୟାନ୍ତ କରିଥିଲେ ।

ସୋମବାର ବିଧାନସଭାର ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ନିଜ ଆସନରୁ ଛିଡ଼ା ହୋଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରି କହିଲେ, ରାଜ୍ୟରେ ଅରାଜକତା ଲାଗି ରହିଛି । କେନ୍ଦ୍ରାପଡ଼ାରେ ଗୁଳିକାଣ୍ଡ ହେଲା । ପଟ୍ଟନାୟିକିଆରେ ୩ ଜଣଙ୍କୁ ରବିବାର ମର୍ଡର କରାଯାଇଛି । ତେଣୁ ପ୍ରଶ୍ନକାଳକୁ ବାତିଲ କରାଯାଇ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଗୃହରେ ଆଲେଶଚନା କରାଯାଉ । ବାଚସ୍ପତି କହିଲେ, ଆପଣ ଏ ପ୍ରସଙ୍ଗ ଶୂନ୍ୟକାଳରେ ଉଠାଇବେ । ଏବେ ପ୍ରଶ୍ନକାଳ ଚାଲିବାକୁ ଦିଅନ୍ତୁ । ଏହାପରେ ବିଜେପି ସଭ୍ୟମାନେ ଗୃହର ମଧ୍ୟଭାଗକୁ ମାଡ଼ି ଆସିଲେ । ବାଚସ୍ପତିଙ୍କ ଆସନ ନିକଟରେ ପାଟିତୁଣ୍ଡ କରିବା ସହ ଟେବୁଲ ବାଡ଼େଇଲେ । ବାଚସ୍ପତି ଯେତେ ଅନୁରୋଧ କଲେ ମଧ୍ୟ ବିଜେପି ସଭ୍ୟମାନେ କର୍ଣ୍ଣପାତ କଲେନି । ନିଜ ଜିଦରେ ଅଟଳ ରହିଲେ । ବାଚସ୍ପତି ୧୦.୩୩ରେ ଗୃହକୁ ୧୦ ମିନିଟ୍‌ ପାଇଁ ମୁଲତବି ରଖିଲେ । ୧୦ ମିନିଟ ପରେ ପୁଣି ଗୃହକୁ ବାଚସ୍ପତି ସାଢ଼େ ୧୧ ଯାଏ ମୁଲତବି ଘୋଷଣା କଲେ ।

ସାଢ଼େ ୧୧ ରେ ଶୂନ୍ୟକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ନେତା ଶ୍ରୀ ନାୟକ ଗୃହର ଦୃଷ୍ଟି ଆକର୍ଷଣ କରି କହିଲେ, ରାଜ୍ୟରେ ଆଇନ ଶୃଙ୍ଖଳା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । କେନ୍ଦ୍ରାପଡ଼ାରେ ଗତ ୧୩ରେ ଜଣଙ୍କୁ ଗୁଳି କରାଗଲା । ସେ ଏବେ ଡାକ୍ତରଖାନାରେ । ରବିବାର ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ଉପରେ ୩ ଜଣଙ୍କୁ ମର୍ଡର କରାଯାଇଛି । ଲୋକ ରାସ୍ତା ଅବରୋଧ କରିବାରୁ ଲାଠିମାଡ଼ କରିଛି ପୁଲିସ୍‌ । ରାଜନୈତିକ ଆକ୍ରୋଶରେ ସିମୁଳିଆର ପୂର୍ବତନ ବିଧାୟକଙ୍କ ପୁଅଙ୍କୁ ଗିରଫ କରାଯାଇଛି । ନିର୍ଦ୍ଦିଷ୍ଟ ଦଳକୁ ଭୋଟ ଦେଇନଥିବାରୁ ସତ୍ୟବାଦୀ ଗଡ଼ିଶାଗୋଦାର ଜଣେ ବ୍ୟକ୍ତିଙ୍କ ପରିବାରକୁ ନିଆଁପାଣି ବାସନ୍ଦ କରାଯାଇଛି । ଏ ସଂପର୍କରେ ଥାନାରେ କେସ୍‌ ରୁଜୁ ହେଉନି । ପୁଲିସ ନିରବଦ୍ରଷ୍ଟା ସାଜିଛି । ସରକାର କ’ଣ ପୁଲିସକୁ ଏମିତି ପକ୍ଷପାତିତା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି? ବାଲେଶ୍ୱର ଥାନା ନିକଟରେ ବ୍ରାଉନସୁଗର ବିକ୍ରି ହେଉଛି । ସୁନ୍ଦରଗଡ଼ ହେମଗିରିରେ ଏକ ରାସ୍ତା ଦୁର୍ଘଟଣା କେସରେ ଗ୍ରାମବାସୀ ଫାଣ୍ଡିକୁ ଯାଇ ପ୍ରତିବାଦ ଜଣାଇବାରୁ ପୁଲିସ ଘରକୁ ଘର ଯାଇ ଲୋକଙ୍କୁ ପିଟିଛି । ଖୋଦ ଏସ୍‌ପି ମଧ୍ୟ ଲୋକଙ୍କ ଘରେ ପଶି ମାଡ଼ ମାରିଛନ୍ତି । ପୁରୀରେ ନିକଟରେ ଯାହା ଘଟିଛି ସମସ୍ତେ ଜାଣିଛନ୍ତି । ଏ ରାଜ୍ୟରେ ଆଇନ ଶୃଙ୍ଖଳା ବୋଲି କିଛି ନାହିଁ । ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ରଖନ୍ତୁ । ବାଚସ୍ପତି ଏ ନେଇ ରୁଲିଂ ଦିଅନ୍ତୁ ବୋଲି ପ୍ରଦୀପ୍ତ ଦାବି କରିଥିଲେ ।

ଏହାପରେ କଂଗ୍ରେସ ଦଳ ନେତା ନରସିଂହ ମିଶ୍ର କହିଲେ, ଓଡ଼ିଶାରେ ଏବେ ଜଙ୍ଗଲରାଜ ଚାଲିଛି । ସରକାର କିନ୍ତୁ ନିରବଦ୍ରଷ୍ଟା ସାଜିଛନ୍ତି । ମୁଖ୍ୟମନ୍ତ୍ରୀ ଗୃହ ବିଭାଗର ଦାୟିତ୍ୱରେ ଅଛନ୍ତି । ମାତ୍ର ରାଜ୍ୟର ଆଇନ ଶୃଙ୍ଖଳା ନେଇ ତାଙ୍କର ଉଦ୍‌ବେଗ ନାହିଁ । ରଥଯାତ୍ରା ବେଳେ ପୁରୀରେ ଜଣେ ବାଳିକା ଧର୍ଷଣର ଶିକାର ହେଲେ । ଗତକାଲି ପୁରୀ ନିକଟରେ ୩ ଜଣଙ୍କୁ ମର୍ଡର କରାଯାଇଛି । କେନ୍ଦ୍ରାପଡ଼ାରେ ନିର୍ବାଚନ ଚାଲିଛି । ସେଠାରେ ଜଣଙ୍କୁ ଗୁଳିମାଡ଼ ହୋଇଛି । ସେ କହିଲେ, ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ କ୍ୟାମ୍ପସରେ ଜଣେ ନର୍ସଙ୍କୁ ଅସାମାଜିକ ବ୍ୟକ୍ତି ଅସଦାଚରଣ କରିଥିବା ପ୍ରତିବାଦରେ ନର୍ସମାନେ ଆଜି ଆନ୍ଦୋଳନ କରିଛନ୍ତି । ଏପରିକି ରାଜ୍ୟରେ ଧର୍ଷଣ ହାର ଭୟଙ୍କର ଭାବେ ବୃଦ୍ଧି ପାଇବାର କାରଣ ନେଇ ମୋର ଏକ ଲିଖିତ ପ୍ରଶ୍ନରେ ଗୃହ ବିଭାଗ ଦର୍ଶାଇଛି ଯେ, ରାଜ୍ୟରେ ବିପଦଜନକ ଭାବେ ଧର୍ଷଣ ହାର ବଢ଼ୁନାହିଁ । ୨୦୧୭ରେ ଏ ସଂଖ୍ୟା ୨୨୨୧ ଥିଲା ବେଳେ ୨୦୧୮ରେ ୨୫୦୨ ହୋଇଛି । ଆଉ କେତେ ସଂଖ୍ୟା ବଢ଼ିଲେ ମୁଖ୍ୟମନ୍ତ୍ରୀ ଏହାକୁ ଭୟଙ୍କର ବୋଲି ବିଚାର କରିବେ ବୋଲି ନରସିଂହ ପାଲଟା ପ୍ରଶ୍ନ କରିଥିଲେ ।

ଶ୍ରୀ ମିଶ୍ର ଅଭିଯୋଗ କଲେ, ଅପରାଧୀମାନେ ଏବେ ସରକାରଙ୍କ ଛତ୍ରଛାୟା ତଳେ ଅଛନ୍ତି । ପୁଲିସ ପ୍ରତି ଅପରାଧୀଙ୍କର ଟିକେ ମାତ୍ର ଭୟ ନାହିଁ । କଣ ଚାଲିଛି ଏ ରାଜ୍ୟରେ କିଛି ବୁଝି ହେଉନି । ମୁଖ୍ୟମନ୍ତ୍ରୀ ତୁରନ୍ତ ଗୃହକୁ ଆସି ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ନେଇ ଗୃହରେ ବିବୃତି ରଖନ୍ତୁ । ବାଚସ୍ପତି ମହୋଦୟ! ଆପଣ ମୁଖ୍ୟମନ୍ତ୍ରୀଙ୍କୁ ଏ ନେଇ ନିର୍ଦ୍ଦେଶ ଦିଅନ୍ତୁ ।

ନରସିଂହ ଏହା କହିବା ପରେ ବାଚସ୍ପତି ବିଜେପି ସଭ୍ୟ ମୋହନ ମାଝୀଙ୍କୁ କହିବାକୁ ଡାକିଲେ । ସେ ଛିଡା ହେବା ମାତ୍ରେ କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି ଓ ସୁରେଶ କୁମାର ରାଉତରାୟ ବାଚସ୍ପତିଙ୍କ ଆସନ ନିକଟକୁ ମାଡ଼ି ଆସିଲେ । ତାଙ୍କ ପଛରେ ଅନ୍ୟ ଦଳୀୟ ସଭ୍ୟମାନେ ମଧ୍ୟ ମାଡ଼ି ଆସିଲେ । କଂଗ୍ରେସ ସଭ୍ୟମାନେ ସ୍ଲୋଗାନ ଛାଡ଼ିଲେ, ବାଚସ୍ପତିଙ୍କ ରୁଲିଂ ଆମର ଦାବି । ମୁଖ୍ୟମନ୍ତ୍ରୀଙ୍କ ବିବୃତି ଆମର ଦାବି । ବାଚସ୍ପତି ବାରମ୍ବାର ଅନୁରୋଧ କଲେ, ଆପଣମାନେ ନିଜ ନିଜ ଆସନକୁ ଯାଆନ୍ତୁ । ମାତ୍ର କେହି ଶୁଣିଲେନି । ଏହାପରେ ତାରା ବାଚସ୍ପତିଙ୍କ ଟେବୁଲ ବାଡ଼େଇବା ସହ ମାଇକ୍ରୋଫୋନ ଛଡ଼ାଇବାକୁ ଉଦ୍ୟମ କଲେ । ଏପଟେ ମୋହନ କ’ଣ କହୁଥିଲେ ହୋହଲ୍ଲା ହଟ୍ଟଗୋଳରେ କିଛି ଶୁଭୁନଥିଲା ।

ଏମିତି ହଟ୍ଟଗୋଳ ସହ ସ୍ଲୋଗାନବାଜି ୭ ମିନିଟ୍‌ ଯାଏ ଲାଗି ରହିବା ପରେ ବାଚସ୍ପତି କହିଲେ, ଏ ସଂପର୍କରେ ଗୃହ ବିଭାଗ ରାଷ୍ଟ୍ରମନ୍ତ୍ରୀ ବିବୃତି ରଖିବେ । ବାଚସ୍ପତିଙ୍କ ଏ ରୁଲିଂ କଂଗ୍ରେସ ବିଧାୟକଙ୍କୁ ଆହୁରି ତତାଇଲା । ସେମାନେ ଆହୁରି ଜୋର ପାଟିତୁଣ୍ଡ କରିବାରୁ ୧୧.୫୬ରେ ବାଚସ୍ପତି ଅପରାହ୍ନ ୩ଟା ଯାଏ ଗୃହକୁ ମୁଲତବି ରଖିଥିଲେ ।

ଅପରାହ୍ନରେ ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିରୋଧୀ ପୁଣି ସମାନ ଦାବି ଦୋହରାଇଲେ । ରାଜ୍ୟର ଆଇନ ଶୃଙ୍ଖଳା ନେଇ ଗୃହ ବିଭାଗ ରାଷ୍ଟ୍ରମନ୍ତ୍ରୀଙ୍କ ବଦଳରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରି ହୋହଲ୍ଲା କଲେ । ବାଚସ୍ପତିଙ୍କ ରୁଲିଂର ପୁର୍ନବିଚାର ଦାବି କଲେ । ପାଟିତୁଣ୍ଡ ଯୋଗୁଁ ବାଚସ୍ପତି ଗୃହକୁ ମୁଲତବି ରଖି ସର୍ବଦଳୀୟ ବୈଠକ ଡାକିଲେ । ଏହା ପରେ ବାଚସ୍ପତି ଗୃହରେ କହିଲେ, ସେ ରୁଲିଂର ପୁର୍ନବିଚାର ସଂପର୍କରେ ଦିନେ ଦି ଦିନ ମଧ୍ୟରେ ନିଷ୍ପତ୍ତି ନେବେ । ଏହାପରେ ଗୃହ ସ୍ୱାଭାବିକ ଅବସ୍ଥାକୁ ଫେରିଥିଲା ।