PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ଦାରିଦ୍ର‌୍ୟ ହ୍ରାସରେ ବଡ଼ ସଫଳତା: ୫ କୋଟିକୁ କମିଛି ଅତି ଗରିବ ସଂଖ୍ୟା

ନୂଆଦିଲ୍ଲୀ,୨୭ା୧(ଏଜେନ୍ସି): ଦାରିଦ୍ର‌୍ୟ ହ୍ରାସ କ୍ଷେତ୍ରରେ ଭାରତ ବଡ଼ ସଫଳତା ହାସଲ କରିଛି । ଦେଶର ଅତି ଗରିବଙ୍କ ସଂଖ୍ୟାରେ ବଡ଼ଧରଣର ହ୍ରାସ ଦେଖିବାକୁ ମିଳିଛି । ଏମାନଙ୍କ ସଂଖ୍ୟା ୨୭ କୋଟିରୁ ୫ କୋଟିକୁ କମିଆସିଛି । ୨୦୩୦ ସୁଦ୍ଧା ଅତି ଦରିଦ୍ରଙ୍କ ସଂଖ୍ୟା ଆଶାତୀତ ଖସି ୩୦ ଲକ୍ଷକୁ ହ୍ରାସ ପାଇଯିବ । ଜୁନ୍‌ରେ ପ୍ରକାଶ ପାଇବାକୁ ଥିବା ଦାରିଦ୍ର‌୍ୟ ରିପୋର୍ଟରେ ଏହି ଚିତ୍ର ଦେଖିବାକୁ ମିଳିବ ବୋଲି ଏକ ରିପୋର୍ଟ ଦାବି କରିଛି ।
ବିଶ୍ୱ ଦାରିଦ୍ର‌୍ୟ ହାରକୁ ଅତ୍ୟାଧୁନିକ ପରିସଂଖ୍ୟାନ ପଦ୍ଧତିରେ ମାପୁଥିବା ‘ୱାର୍ଲଡ୍‌ ଡାଟା ଲାବ୍‌’ ପକ୍ଷରୁ ଏଭଳି ରିପୋର୍ଟ ପ୍ରକାଶ ପାଇଛି । ସଂସ୍ଥା ଏହାର ରିପୋର୍ଟରେ ଦର୍ଶାଇଛି ଯେ ୨୦୧୧ରେ ଦେଶରେ ଅତି ଗରିବ ଲୋକଙ୍କ ସଂଖ୍ୟା ୨୬.୮ କୋଟି ରହିଥିଲା । ଏମାନେ ଦିନକୁ ୧୩୪ ଟଙ୍କା (୧.୯୦ ଡଲାର)ଠାରୁ କମ୍‌ରେ ବଞ୍ଚୁଥିଲେ । ଏତେ କମ୍‌ ଟଙ୍କାରେ ବଞ୍ଚୁଥିବା ଲୋକ ସଂଖ୍ୟା ଏବେ ୫ କୋଟିକୁ ଖସିଆସିଛି । ଓଡ଼ିଶା, ବିହାର, ଝାଡ଼ଖଣ୍ଡ ଭଳି ରାଜ୍ୟ ପାଇଁ ଏହା ଭଲ ଖବର ବୋଲି ସଂସ୍ଥା ଦର୍ଶାଇଛି ।
ସଂସ୍ଥା ନିଜର ଏହି ସଦ୍ୟତମ ରିପୋର୍ଟରେ ଆହୁରି ଦର୍ଶାଇଛି ଯେ ଭାରତ ଦାରିଦ୍ର‌୍ୟ ଦୂରୀକରଣ ବାବଦରେ ଦ୍ରୁତ ସଫଳତା ହାସଲ କରୁଛି । ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଫଳପ୍ରସୂ ହୋଇପାରିଛି । ଏମ୍‌ଜିଏନ୍‌ଆର୍‌ଇଜିଏ, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଏବଂ ଅନ୍ୟ ସାମାଜିକ କ୍ଷେତ୍ର କାର୍ଯ୍ୟକ୍ରମ ପାଇଁ ଡିବିଟିଏଲ୍‌ ଲାଗୁ ହେବା ଯୋଗୁ ହିତାଧିକାରୀମାନେ ଉପକୃତ ହୋଇପାରୁଛନ୍ତି ।
ବର୍ତ୍ତମାନର ସ୍ଥିତିକୁ ଦେଖିଲେ, ଭାରତ ଏହି ଧାରା ଜାରି ରଖିବାରେ ସମର୍ଥ ହେବ ଏବଂ ଏହା ଦାରିଦ୍ର‌୍ୟ ହ୍ରାସ କ୍ଷେତ୍ରରେ ସହାୟକ ହୋଇପାରିବ । ୨୦୩୦ ସୁଦ୍ଧା ଭାରତର ଅତି ଗରିବଙ୍କ ସଂଖ୍ୟା ୩୦ ଲକ୍ଷକୁ ହ୍ରାସ ପାଇବ ଏବଂ ପରେ ପରେ ଏହି ସଂଖ୍ୟା ଆହୁରି କମିବ ବୋଲି ରିପୋର୍ଟ ଦର୍ଶାଇଛି । ରିପୋର୍ଟ ଆହୁରି କହିଛି ଯେ ୨୦୩୦ ସୁଦ୍ଧା ଅତି ଦରିଦ୍ର ଦୃଷ୍ଟିରୁ ୧୦ଟି ପ୍ରମୁଖ ଦେଶ ତାଲିକାରୁ ଭାରତ ବାଦ୍‌ ପଡ଼ିବ । ଅନ୍ୟପକ୍ଷରେ ଏହି ତାଲିକାରେ ଆଫ୍ରିକାର ୯ଟି ରାଷ୍ଟ୍ର ସ୍ଥାନ ପାଇବେ ।
ଅର୍ଥନୀତିଜ୍ଞଙ୍କ କହିବାନୁଯାୟୀ ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ଏବଂ ସାମାଜିକ କ୍ଷେତ୍ର କାର୍ଯ୍ୟକ୍ରମରେ ପ୍ରଯୁକ୍ତି ବ୍ୟବହାର ଯୋଗୁ ଦାରିଦ୍ର‌୍ୟ ହାରରେ ବଡ଼ ହ୍ରାସ ଦେଖିବାକୁ ମିଳିଛି । ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପବ୍ଲିକ୍‌ ଫାଇନାନ୍ସ ଆଣ୍ଡ ପଲିସିର ପ୍ରଫେସର ଏନ୍‌ ଆର୍‌ ଭାନୁମୂର୍ତ୍ତି କହିଛନ୍ତି, ୨୦୦୪-୦୫ରୁ ଅତି ଦାରିଦ୍ର‌୍ୟ ନିରନ୍ତର ଭାବେ କମିଛି । ସରକାରଙ୍କ ଦ୍ୱାରା ଆର୍ଥିକ ଅନ୍ତର୍ଭୁକ୍ତୀକରଣ କାର୍ଯ୍ୟକ୍ରମ ଏଥିରେ ବ୍ୟାପକ ସହାୟକ ହୋଇଛି ।

ସମ୍ବନ୍ଧିତ ଖବର