ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସୋମବାର ଦିନ ସାରା ଦେଶରେ ୨୦% ଇଥାନଲ ମିଶ୍ରିତ ପେଟ୍ରୋଲ (EBP-20) ରୋଲଆଉଟକୁ ଚ୍ୟାଲେଞ୍ଜ କରୁଥିବା ଏକ ଜନସ୍ୱାର୍ଥ ମାମଲା (PIL) ଖାରଜ କରିଛନ୍ତି। ଏହି ଆବେଦନରେ ଦାବି କରାଯାଇଥିଲା ଯେ ଲକ୍ଷାଧିକ ମୋଟରଚାଳକଙ୍କୁ ଏପରି ଇନ୍ଧନ ବ୍ୟବହାର କରିବାକୁ ବାଧ୍ୟ କରାଯାଉଛି, ଯାହା ଅନେକ ଗାଡ଼ି ପାଇଁ ଉପଯୁକ୍ତ ନୁହେଁ। ମୁଖ୍ୟ ବିଚାରପତି ବି.ଆର. ଗାଭାଇ ଏବଂ ବିଚାରପତି କେ. ବିନୋଦ ଚନ୍ଦ୍ରନଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରି ସରକାରଙ୍କ ଇଥାନଲ ମିଶ୍ରଣ ନୀତିର କାର୍ଯ୍ୟକାରିତାକୁ ଅନୁମୋଦନ କରିଛନ୍ତି।
ଆବେଦନକାରୀ ଆଡଭୋକେଟ ଅକ୍ଷୟ ମାଲହୋତ୍ରାଙ୍କ ପକ୍ଷରୁ ସିନିୟର ଆଡଭୋକେଟ ଶାଦାନ ଫରାସତ ଯୁକ୍ତି ରଖିଥିଲେ ଯେ E20 ପେଟ୍ରୋଲ ଏକମାତ୍ର ବିକଳ୍ପ ହୋଇପଡ଼ିଛି। ଏବଂ ଏହା ବିନା କୌଣସି ଆନୁଷ୍ଠାନିକ ବିଜ୍ଞପ୍ତି ବା ଜନସଚେତନତା ସୃଷ୍ଟି ନକରାଯାଇ ଲୋକମାନଙ୍କ ଉପରେ ଏହି ନୀତିକୁ ଜୋରଜବରଦସ୍ତ ଲଦି ଦିଆ ଯାଉଛି। ଏନେଇ ସେ କହିଥିଲେ ଯେ, "ଆମେ E20 ବିରୋଧୀ ନୁହେଁ, କିନ୍ତୁ ଆମେ ବିକଳ୍ପ ଚାହୁଁଛୁ।" ଆବେଦନରେ ଦାବି କରାଯାଇଥିଲା ଯେ ୨୦୨୩ ପୂର୍ବରୁ ନିର୍ମିତ ଅନେକ ଗାଡ଼ି ଏବଂ କେତେକ ନୂଆ BS-VI ମଡେଲ ମଧ୍ୟ E20 ସହିତ ସୁସଙ୍ଗତ ନୁହେଁ। ଯାହା ଇଞ୍ଜିନକୁ କ୍ଷତି ପହଞ୍ଚାଇବା ସହ, କମ ମାଇଲେଜ ଏବଂ ଉଚ୍ଚ ମରାମତି ଖର୍ଚ୍ଚ ଭଳି ସମସ୍ୟା ସୃଷ୍ଟି କରୁଛି।
ଆବେଦନରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟକୁ ଇଥାନଲ-ମୁକ୍ତ ପେଟ୍ରୋଲ ଉପଲବ୍ଧତା ନିଶ୍ଚିତ କରିବା, ପେଟ୍ରୋଲ ପମ୍ପରେ ଇଥାନଲ ମାତ୍ରାର ବାଧ୍ୟତାମୂଳକ ଲେବଲିଂ ଏବଂ ଗ୍ରାହକଙ୍କୁ ଗାଡ଼ିର ଇଥାନଲ ସୁସଙ୍ଗତା ବିଷୟରେ ସୂଚନା ଦେବା ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଥିଲା। ଏହା ସହିତ, ଅଣ-ସୁସଙ୍ଗତ ଗାଡ଼ିରେ E20 ବ୍ୟବହାର ଯୋଗୁଁ ଯାନ୍ତ୍ରିକ କ୍ଷତି ଏବଂ ଦକ୍ଷତା ହ୍ରାସ ଉପରେ ଏକ ଜାତୀୟ ଅଧ୍ୟୟନ କରିବାକୁ ମଧ୍ୟ ଦାବି କରାଯାଇଥିଲା।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ ଆର. ଭେଙ୍କଟରାମଣୀ ଏହି ଆବେଦନର ବିରୋଧ କରି କହିଥିଲେ ଯେ ଇଥାନଲ ମିଶ୍ରଣ ନୀତି କୃଷକଙ୍କ, ବିଶେଷତଃ ଆଖୁ ଚାଷୀଙ୍କ ପାଇଁ ଲାଭଦାୟକ ଏବଂ ଏହା ବିଦେଶୀ ମୁଦ୍ରା ସଞ୍ଚୟ ସହିତ କାର୍ବନ ନିର୍ଗମନ ହ୍ରାସ କରୁଛି। ସେ ଆବେଦନକାରୀଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇ କହିଥିଲେ, "ଏହା ପଛରେ ଏକ ବଡ଼ ଲବି ରହିଛି। ବାହାରୁ କେହି ଆସି ଆମେ କେଉଁ ଇନ୍ଧନ ବ୍ୟବହାର କରିବୁ ତାହା ନିର୍ଦ୍ଦେଶ ଦେବେ?"
ସରକାରଙ୍କ ଯୁକ୍ତି ଓ ଅଟୋମୋଟିଭ ରିସର୍ଚ ଆସୋସିଏସନ ଅଫ ଇଣ୍ଡିଆ (ARAI) ଏବଂ ଅନ୍ୟାନ୍ୟ ସଂସ୍ଥାଙ୍କ ରିପୋର୍ଟକୁ ବିଚାର କରି ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ କରିଛନ୍ତି। ପେଟ୍ରୋଲିୟମ ମନ୍ତ୍ରଣାଳୟ ପୂର୍ବରୁ ଦାବି କରିଛି ଯେ E20 ଇନ୍ଧନ ଗାଡ଼ି ପାଇଁ ନିରାପଦ ଏବଂ ଏହା କୃଷି ଅର୍ଥନୀତିକୁ ସୁଦୃଢ଼ କରୁଛି।