ନୂଆଦିଲ୍ଲୀ, ୦୪/୦୬ : କେରଳରେ ପାଦ ଥାପିଲା ମୌସୁମୀ ବାୟୁ। ୬ ତାରିଖରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କଲା ପାଣିପାଗ ବିଭାଗ। ଜୁନ୍ ଶେଷ ସୁଦ୍ଧା ଉତ୍ତର ଭାରତରେ ପହଞ୍ଚିବା ସମ୍ଭାବନା। ଭାରତରେ କେରଳକୁ ମୌସୁମୀ ବାୟୁର ଗେଟୱେ କୁହାଯାଏ। ଦକ୍ଷିଣ-ପଶ୍ଚିମ ବାୟୁ ସିଧାସଳଖ ଭାରତ ମହାସାଗରକୁ ହିଟ୍ କରିବା ପରେ ମୌସୁମୀ ଆସେ। କେରଳରେ ମୌସୁମୀ ବାୟୁ ଦୁଇଟି ଶାଖାରେ ବିଭକ୍ତ ହୋଇଯାଏ। ଗୋଟିଏ ଆରବ ସାଗର ଉପରେ ଏବଂ ଅନ୍ୟଟି ବଙ୍ଗୋପସାଗର ଉପରେ। ଏହି ବାୟୁ ଧୀରେ ଧୀରେ ଉତ୍ତର ଏବଂ ପୂର୍ବ ଦିଗରେ ଗତି କରି ସମଗ୍ର ଦେଶରେ ପହଞ୍ଚିଥାଏ। ଏହି ପ୍ରକ୍ରିୟା ପାଇଁ ଏକ ରୁ ଦେଢ଼ ମାସ ସମୟ ଲାଗେ।
କେରଳରୁ ଉତ୍ତର ଭାରତରେ ପହଞ୍ଚିବାକୁ କେତେ ସମୟ ଲାଗେ ?
ଉତ୍ତର ଭାରତରେ ମୌସୁମୀର ଆଗମନ ସମ୍ପୂର୍ଣ୍ଣ ଭାବରେ ବାୟୁମଣ୍ଡଳୀୟ ଚାପ, ସାମୁଦ୍ରିକ ଶକ୍ତି ଏବଂ ପବନ ଉପରେ ନିର୍ଭର କରେ। ଯେତେବେଳେ ଉତ୍ତରରେ ଅତ୍ୟଧିକ ଗରମ ଅନୁଭୂତ ହୁଏ, ବାୟୁମଣ୍ଡଳୀୟ ଚାପ ହ୍ରାସ ପାଏ। ଏହା ଥଣ୍ଡା, ଆର୍ଦ୍ର ସମୁଦ୍ର ବାୟୁକୁ ଏହି ଅଞ୍ଚଳ ଆଡକୁ ଟାଣେ। ଏହି ପ୍ରକ୍ରିୟା ପାଇଁ ଗୋଟିଏରୁ ଦେଢ଼ ମାସ ପର୍ଯ୍ୟନ୍ତ ସମୟ ଲାଗିପାରେ। ଯଦି ପବନର ବେଗ ଅଧିକ ଥାଏ ତାହେଲେ ୨୦ ରୁ ୨୫ ଦିନ ମଧ୍ୟରେ ମୌସୁମୀ ଉତ୍ତର ଭାରତରେ ପହଞ୍ଚିଯାଏ। ଏତଦ୍ ବ୍ୟତୀତ ଇଣ୍ଟର ଟ୍ରପିକାଲ କନଭରଜେନ୍ସ ଜୋନ ମଧ୍ୟ ଏଥିରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରେ।
କେଉଁ ରାଜ୍ୟରେ କେବେ ସୁଦ୍ଧା ପହଞ୍ଚିବ ମୌସୁମୀ ?
-୮ ରୁ ୧୦ ତାରିଖ ଭିତରେ ମୌସୁମୀ ବାୟୁ କର୍ଣ୍ଣଟକ ଏବଂ ତାମିଲନାଡ଼ୁରେ ପହଞ୍ଚିବ। ଏହାଦ୍ଵାରା ମଙ୍ଗଲୁରୁ, ବେଙ୍ଗାଲୁର, ଏବଂ ଉପକୂଳ ଅଞ୍ଚଳରେ ପ୍ରଥମେ ବର୍ଷା ହେବ।
-ଜୁନ ଅଧାଅଧି ସୁଦ୍ଧା ମୌସୁମୀ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ପହଞ୍ଚିବ। ଏହାଦ୍ଵାରା ଗୋଆ ଏବଂ ମହାରାଷ୍ଟ୍ରରେ ବର୍ଷା ହେବ।
-ଆନ୍ଧ୍ରପ୍ରଦେଶ-ତେଲେଙ୍ଗାନା ପରେ ମୌସୁମୀ ଛତିଶଗଡ଼, ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଆଡ଼କୁ ଅଗ୍ରସର ହେବ। ମିଡ୍ ଜୁନ୍ ସୁଦ୍ଧା ଏଠାରେ ବର୍ଷା ହେବ।
-ଜୁନ୍ ତୃତୀୟ କିମ୍ଵା ଚତୁର୍ଥ ସପ୍ତାହ ସୁଦ୍ଧା ମୌସୁମୀ ଝାଡ଼ଖଣ୍ଡ ଏବଂ ବିହାରରେ ପହଞ୍ଚିବ। ଏଠାରୁ ପୂର୍ବ ୟୁପି ଆଡକୁ ଅଗ୍ରସର ହେବ।
-ୟୁପି ଏବଂ ମଧ୍ୟପ୍ରଦେଶରେ ଜୁନ ଶେଷ ସପ୍ତାହରେ ମୌସୁମୀ ପାଦ ଥାପିବ। ଏହାପରେ ଜୁନ ଶେଷ କିମ୍ଵା ଜୁଲାଇ ପ୍ରଥମ ସପ୍ତାହରେ ଦିଲ୍ଲୀ ଏନସିଆରରେ ପହଞ୍ଚିବ।
-ପଞ୍ଜାବ, ହରିୟାଣା, ରାଜସ୍ଥାନରେ ଜୁଲାଇ ପ୍ରଥମ ସପ୍ତାହ ସୁଦ୍ଧା ମୌସୁମୀ ପହଞ୍ଚିବ। ଆସନ୍ତା କିଛି ଦିନରେ ହିମାଚଳ ଏବଂ କାଶ୍ମୀର ଆଡ଼କୁ ଅଗ୍ରସର ହେବ।
ଆହୁରି ପଢନ୍ତୁ- ବଦଳିଲା ପାଗର ମିଜାଜ୍, କେରଳ ଛୁଇଁଲା ମୌସୁମୀ ବାୟୁ
ମୌସୁମୀର ବେଗ କିପରି ହ୍ରାସ କିମ୍ବା ବୃଦ୍ଧି ହୁଏ ?
ଘୂର୍ଣ୍ଣିଝଡ଼ : ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଲଘୁଚାପ ମୌସୁମୀକୁ ଶକ୍ତି ପ୍ରଦାନ କରେ ଏବଂ ଏହାକୁ ଦ୍ରୁତ ଗତିରେ ଉତ୍ତର ଆଡକୁ ଠେଲିଥାଏ। ତେବେ ଆରବ ସାଗରରେ ଘୂର୍ଣ୍ଣିଝଡ଼ ମୌସୁମୀକୁ ଦୁର୍ବଳ କରିଦିଏ।
ଏଲନିନୋ : ଏହାକୁ ମୌସୁମୀର ଶତ୍ରୁ କୁହାଯାଏ। ସମୁଦ୍ର ପାଣି ଉତ୍ତପ୍ତ ହୋଇଗଲେ ଏହି ପ୍ରକ୍ରିୟା ଆରମ୍ଭ ହୁଏ। ଏହାଦ୍ଵାରା ମୌସୁମୀକୁ ଦୁର୍ବଳ କରିଦିଏ। ବର୍ଷା ବି କମ୍ ହୁଏ। ୧୯୯୭ ରୁ ୨୦୧୫ ମଧ୍ୟରେ ଭାରତରେ ବହୁଥର ଏଲନିନୋ ହୋଇଛି। ଚଳିତ ବର୍ଷ ମଧ୍ୟ ଏଲନିନୋ ପ୍ରଭାବ ରହିବ।
ଲା-ନିନୋ : ଏହା ମୌସୁମୀର ବନ୍ଧୁ। ପ୍ରଶାନ୍ତ ମହାସାଗରର ପାଣି ଥଣ୍ଡା ରହିଲେ ମୌସୁମୀ ମଜବୁତ ହୁଏ। ଲା-ନିନୋ ସିଷ୍ଟମ ଆକ୍ଟିଭେଟ୍ ହେଲେ ଭାରତରେ ଭଲ ମୌସୁମୀ ବର୍ଷା ହୁଏ।
ଏମଜେଓ : ଏହା ମୌସୁମୀ ପାଇଁ ମୁଡ୍ ସ୍ଵିଙ୍ଗ ଭଳି। ଏହା ଏକ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ଯାହା ବିଷୁବ ରେଖାରୁ ପୂର୍ବ ଆଡକୁ ଗତି କରେ। ଯଦି ବାୟୁ ଚାପ ଅଧିକ ଥାଏ, ତେବେ ମୌସୁମୀ ଗତି ହ୍ରାସ ପାଏ।
ମୌସୁମୀ ବ୍ରେକ୍ : ଏହା ପାଣିପାଗର ଏକ ସ୍ଥିତି। ଯେତେବେଳେ ମୌସୁମୀ ହଠାତ୍ ଦୁର୍ବଳ ହୋଇଯାଏ। ଏହା ସାଧାରଣତଃ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ରହିଥାଏ।