ପାଟ୍‌ନା,୦୩/୦୬: ବିହାରରେ  ଚଳିତବର୍ଷ ଶେଷଆଡ଼କୁ ବିଧାନସଭା  ନିର୍ବାଚନ ଅନୁଷ୍ଠିତ ହେବାର ଅଛି ।  ରିପୋର୍ଟ ଅନୁସାରେ, ସେଠାରେ ୩ଟି  ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ  ହୋଇପାରେ । ଦୀପାବଳି ଓ ଛଟ୍‌  ପର୍ବକୁ ଦୃଷ୍ଟିରେ ରଖି ଭୋଟ ତାରିଖ  ଘୋଷଣା ହେବ । ଇତିମଧ୍ୟରେ ମୁଖ୍ୟ  ନିର୍ବାଚନ ଅଧିକାରୀ ଜ୍ଞାନେଶ କୁମାରଙ୍କ  ଅଧ୍ୟକ୍ଷତାରେ ନିର୍ବାଚନ ଆୟୋଗର ଟିମ୍‌  ଚଳିତ ମାସରେ ପ୍ରସ୍ତୁତି ନେଇ ସମୀକ୍ଷା  କରିବାକୁ ରାଜ୍ୟ ଗସ୍ତରେ ଯିବେ । ଅବଶ୍ୟ  ସେ ସଂପର୍କିତ ତାରିଖ ସାମ୍ନାକୁ ଆସିନାହିଁ ।  

ନୀତୀଶ ସରକାରଙ୍କ କାର୍ଯ୍ୟକାଳ  ଚଳିତବର୍ଷ ନଭେମ୍ବର ୨୨ ତାରିଖରେ  ଶେଷ ହେବାର ଅଛି । ତେଣୁ ତା’  ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଶେଷ ହେବ ।  ଏଭଳିକ୍ଷେତ୍ରରେ ସେପ୍ଟେମ୍ବରର  ଶେଷ ସପ୍ତାହରେ ନିର୍ବାଚନ ଆରମ୍ଭ  ହୋଇ ଅକ୍ଟୋବର ମାସ ସାରା ଜାରି  ରହିପାରେ । ଅକ୍ଟୋବର ମାସରେ ୩ଟି  ବଡ଼ ପର୍ବ ରହିଛି । ତାକୁ ଦୃଷ୍ଟିରେ ରଖି  ୩ଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ  ହୋଇପାରେ । ନଭେମ୍ବର ମାସର ପ୍ରଥମ  ସପ୍ତାହରେ ଫଳାଫଳ ସାମ୍ନାକୁ ଆସିପାରେ  ବୋଲି ଚର୍ଚ୍ଚା ଚାଲିଛି ।  

ଏନ୍‌ଡିଏ ମୁଖ୍ୟମନ୍ତ୍ରୀ ନୀତୀଶ  କୁମାରଙ୍କ ନେତୃତ୍ୱରେ ବିଧାନସଭା  ନିର୍ବାଚନ ଲଢ଼ିବାର ସଙ୍କେତ ଦେଇଛି ।  ବେରୋଜଗାରୀ, ଆଇନଶୃଙ୍ଖଳା, ବିକାଶ  ପ୍ରସଙ୍ଗରେ ବିରୋଧୀ ଦଳ ଏନ୍‌ଡିଏକୁ  ଘେରିପାରନ୍ତି । ସେପଟେ ମହାମେଣ୍ଟରେ  ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ କୌଣସି  ସହମତି ହୋଇପାରିନାହିଁ । ଆର୍‌ଜେଡିର  ତେଜସ୍ୱୀ ଯାଦବ ମହାମେଣ୍ଟର ନେତୃତ୍ୱ  ନେଇପାରନ୍ତି ବୋଲି ଚର୍ଚ୍ଚା ଚାଲିଛି । କିନ୍ତୁ କଂଗ୍ରେସ ଅନେକ ଥର ଏହାକୁ ଖଣ୍ଡନ  କରିଛି । ପ୍ରଶାନ୍ତ କିଶୋରଙ୍କ ପାର୍ଟି  ମଧ୍ୟ ଏଥରକ ନିର୍ବାଚନ ମଇଦାନରେ  ରହିଛି । ତେଣୁ ନୂଆ ସମୀକରଣ ବି  ସୃଷ୍ଟି ହୋଇପାରେ । ଏହା ପୂର୍ବରୁ  ୨୦୨୦ର ବିହାର ବିଧାନସଭା ନିର୍ବାଚନ  ୩ଟି ପର୍ଯ୍ୟାୟରେ ହୋଇଥିଲା ।  ନଭେମ୍ବର ୧୦ ତାରିଖରେ ଫଳାଫଳ  ସାମ୍ନାକୁ ଆସିଥିବାବେଳେ ସେଥିରେ  ଏନ୍‌ଡିଏ ସର୍ବାଧିକ ୧୨୫ଟି ଆସନ  ଜିତିଥିଲା । ତା’ ପୂର୍ବରୁ ୨୦୧୫ରେ ସେଠାରେ ୫ଟି ପର୍ଯ୍ୟାୟରେ  ବିଧାନସଭା ନିର୍ବାଚନ ହୋଇଥିଲା ।