ନୂଆଦିଲ୍ଲୀ,୦୮/୧୦: ବିହାର ବିଧାନସଭା ନିର୍ବାଚନର ତାରିଖ ଘୋଷଣା ହେବା ପରେ ରାଜନୀତି ପାଣିପାଗ ସରଗରମ ହୋଇଛି । ବିଶେଷକରି ଆସନ ବଣ୍ଟନକୁ ନେଇ ଅଙ୍କକଷା ଚାଲିଛି । ଏନଡିଏ କିମ୍ବା ମହାଗଠବନ୍ଧନ ଏପର୍ଯ୍ୟନ୍ତ ସେମାନଙ୍କର ଆସନ ବଣ୍ଟନ ଘୋଷଣା କରିନାହାଁନ୍ତି । ଦିଲ୍ଲୀରୁ ପାଟନା ପର୍ଯ୍ୟନ୍ତ ଆଲୋଚନା ଚାଲିଛି । ଆସନ ବଣ୍ଟନକୁ ନେଇ ସମସ୍ତଙ୍କ ନଜର ଏନଡିଏ ଦଳର ନେତା ଏଲଜେପି ରାମବିଳାସ ଚିରାଗ ପାଶ୍ୱାନଙ୍କ ଉପରେ ରହିଛି । ଏହାରି ଭିତରେ ଚିରାଗ ପାଶ୍ୱାନଙ୍କୁ ପ୍ରଶ୍ନକୁ ଏଡାଇ ଯାଇଥିବାର ଦେଖିବାକୁ ମିଳିଛି । ସେ କହିଛନ୍ତି, ହେ ପ୍ରଭୁ,ଏବେ କିଛି କହିବାର ନାହିଁ ଠିକ୍ ସମୟ ଆସୁ ସବୁ ଜାଣିପାରିବେ ।

ମଙ୍ଗଳବାର ଦିନ ଯେତେବେଳେ ଚିରାଗ ପାଟନାରେ ପହଞ୍ଚିଲେ, ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ପାଟନା ବିମାନବନ୍ଦରରେ ସିଟ୍ ବିଷୟରେ ପ୍ରଶ୍ନ ପଚାରିଥିଲେ । ଚିରାଗ ଉତ୍ତର ଦେଇଥିଲେ, "ହେ ଭଗବାନ... ଦୟାକରି ଅପେକ୍ଷା କରନ୍ତୁ । ଆଲୋଚନା ଏପର୍ଯ୍ୟନ୍ତ ବହୁତ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି । ସମୟ ଆସିଲେ ଆମେ ଏ ବିଷୟରେ ଅଧିକ ସୂଚନା ସେୟାର କରି ବୁ। ଜିନିଷ ଚୂଡ଼ାନ୍ତ ନହେବା ପର୍ଯ୍ୟନ୍ତ କିଛି ପ୍ରକାଶ କରିବାର କୌଣସି ଅର୍ଥ ନାହିଁ । "

ପ୍ରଶାନ୍ତଙ୍କ ସହ ମେଣ୍ଟ କରିବେ ଚିରାଗ- ଆସନ୍ତା ମାସରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଚିରାଗ ପାଶ୍ୱାନଙ୍କ ଏଲ୍‌ଜେପି ଓ ପ୍ରଶାନ୍ତ କିଶୋରଙ୍କ ଜନସୁରାଜ ପାର୍ଟି ମଧ୍ୟରେ ମେଣ୍ଟ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଏଲ୍‌ଜେପି ସୂତ୍ରରୁ ଏହି ଖବର ଆସିଛି । ରାଜନୀତିରେ ଦ୍ୱାର ସବୁବେଳେ ଖୋଲା ରହିଥାଏ । ତେଣୁ ଏଭଳି ମେଣ୍ଟ ସମ୍ଭାବନାକୁ ସଂପୂର୍ଣ୍ଣ ଭାବେ ଖାରଜ କରାଯାଇପାରିବ ନାହିଁ ବୋଲି ଏଲ୍‌ଜେପିର ଜଣେ ନେତା କହିଛନ୍ତି । ସୂଚନା ଅନୁସାରେ, ବିଜେପି ସହ ଆସନ ବୁଝାମଣାକୁ ନେଇ ଏଲ୍‌ଜେପି ଅସନ୍ତୁଷ୍ଟ ଅଛି । ରାଜ୍ୟର ୨୪୩ଟି ବିଧାନସଭା ଆସନ ମଧ୍ୟରୁ ଚିରାଗ ପାଶ୍ୱାନ ୪୦ଟି ଆସନରେ ଲଢ଼ିବାକୁ ଚାହୁଁଛନ୍ତି । କିନ୍ତୁ ବିଜେପି ମାତ୍ର ୨୫ଟି ଆସନ ଦେବାକୁ ଇଚ୍ଛୁକ ଅଛି । ଏଭଳି କ୍ଷେତ୍ରରେ ଏଲ୍‌ଜେପି ଜନସୁରାଜ ପାର୍ଟି ସହ ମେଣ୍ଟ କରିପାରେ ବୋଲି ଚର୍ଚ୍ଚା ହେଉଛି  । ଆସନ ବୁଝାମଣାକୁ ନେଇ ବିଜେପି ଉପରେ ସେ ଅନନ୍ତୁଷ୍ଟ ଥିବା କୁହାଯାଉଛି ।

ବିହାରରେ ନିର୍ବାଚନ କେବେ ? ବିହାରର ସମସ୍ତ ୨୪୩ ବିଧାନସଭା ଆସନ ପାଇଁ ଭୋଟ୍ ନଭେମ୍ବର ୬ ଏବଂ ୧୧ ତାରିଖରେ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ଭୋଟ୍ ଗଣତି ନଭେମ୍ବର ୧୪ ତାରିଖରେ ହେବ । ଏଥର ଏନଡିଏ ଏବଂ ମହାମେଣ୍ଟ ଉଭୟ ନିର୍ବାଚନ ଜିତିବା ପାଇଁ ସର୍ବୋତ୍ତମ ପ୍ରୟାସ କରିଛନ୍ତି । ଆସନ ବଣ୍ଟନକୁ ନେଇ ବର୍ତ୍ତମାନ ଦୁଇ ମେଣ୍ଟ ମଧ୍ୟରେ ଅଙ୍କକଷା ଚାଲିଛି ।