ନୟାଗଡ଼,୧୮/୦୬: ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଏସ୍‌ଡିପିଓ ମହିଳାଙ୍କୁ ଫେବର ମାଗିବା ଘଟଣା ଲୋକଙ୍କ ମନରୁ ଯାଇନଥିବା ବେଳେ ଶରଣକୁଳ ଥାନା ଅଧିକାରୀଙ୍କ ନାଁରେ ଆସିଛି ଦୁଷ୍କର୍ମ ଅଭିଯୋଗ । ବୁଧବାର ଜଣେ ମହିଳା ନୟାଗଡ଼ ଏସ୍‌ପିଙ୍କୁ ଦେଖା କରି ଥାନା ବାବୁଙ୍କ ନାଁରେ ଏତଲା ଦେଇଛନ୍ତି । ଏଏସ୍‌ପି ସୁବାସ ଚନ୍ଦ୍ର ପଣ୍ଡା ମହିଳାଙ୍କ ଅଭିଯୋଗ ଶୁଣି ତାଙ୍କୁ ନ୍ୟାୟ ଦେବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟପଟେ ଏହି ଘଟଣା ପୁରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ମିଳିଥିବା ଅଭିଯୋଗରୁ ପ୍ରକାଶ, ଶରଣକୁଳ ଥାନା ଅଞ୍ଚଳର ଜଣେ ମହିଳାଙ୍କ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଏକ ଜାଗାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିଲା । ଗ୍ରାମବାସୀ ମହିଳାଙ୍କ ଘର ଭାଙ୍ଗିଦେଇଥିଲେ । ଏନେଇ ମହିଳା ଶରଣକୁଳ ଥାନାର ଦ୍ୱାରସ୍ଥ ହୋଇଥିଲେ । ଶରଣକୁଳ ଥାନା ଅଧିକାରୀ ସୁଜିତ କୁମାର ଦାସ ମହିଳାଙ୍କୁ ମାମଲାରେ ସହଯୋଗ କରିବାକୁ କହି ଫୋନ୍ ନମ୍ବର ନେଇଥିଲେ ।

ଅଧିକ ପଢ଼ନ୍ତୁ : -  Vigilance Raid: ମୋବାଇଲ୍ ଫେରସ୍ତ ପାଇଁ ୫୦ ହଜାର ଲାଞ୍ଚ ମାଗି ଫସିଲେ, ମଞ୍ଚେଶ୍ୱର ଥାନା ଏଏସ୍ଆଇ ଓ ହୋମଗାର୍ଡ ଗିରଫ

କିଛି ଦିନ ଫୋନ୍‌ରେ କଥା ହେବା ପରେ ମହିଳାଙ୍କ ଫୋନ୍‌କୁ ଅଶ୍ଳୀଳ ଫଟୋ ପଠାଇଲେ । ଅନେକ ସମୟରେ ଥାନା ଅଧିକାରୀ ଅଶ୍ଳୀଳ ଇଙ୍ଗିତ ମଧ୍ୟ କରିଥିଲେ । ଏପରିକି ଭିଡିଓ କଲ୍ କରି ନିଜ ଶରୀର ପ୍ରଦର୍ଶନ କରିବା ସହ ମହିଳାଙ୍କୁ ବି ବାଧ୍ୟ କରୁଥିଲେ । ମାତ୍ର ମହିଳା ଜଣକ ଏଥିରେ ରାଜି ହୋଇ ନଥିଲେ । କିଛି ଦିନ ତଳେ ମହିଳା ନୟାଗଡ଼ ପିଟିଏସ୍ ଛକରେ ଠିଆହୋଇଥିବାବେଳେ ଥାନା ଅଧିକାରୀ ତାଙ୍କୁ ଦେଖି ଗାଡ଼ିରେ ନିଜ ଭଡ଼ାଘରକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି । ଏ ସଂପର୍କରେ କାହାରିକୁ କହିଲେ ତୁମ ବାପା, ଭାଇଙ୍କୁ ବାନ୍ଧି ଜେଲ୍ ପଠାଇଦେବି ବୋଲି ଥାନା ଅଧିକାରୀ ଧମକ ଚମକ ମଧ୍ୟ ଦେଇଥିଲେ । ଏହା ସହିତ ମହିଳାଙ୍କ ଆପତ୍ତିଜନକ ଭିଡିଓରୁ ଏକ ଫଟୋ ସୋସିଆଲ ମିଡିଆରେ ଛାଡ଼ିଦେଇଥିଲେ ଯାହାକୁ ନେଇ ସେ ଶରଣକୁଳ ବ୍ୟାଙ୍କ ଆଗରେ ଠିଆହୋଇଥିବା ବେଳେ ଥାନା ଅଧିକାରୀ ଗତ ୨୮ ତାରିଖରେ ତାଙ୍କୁ ଜବରଦସ୍ତ ଟଣାଓଟରା କରି ଥାନାକୁ ଉଠାଇ ନେଇଥିଲେ ଏବଂ ମିଛ ମାମଲାରେ ଜେଲ୍ ପଠାଇଦେଲେ ।

ଏହାପରେ ଗତ ୧୨ ତାରିଖରେ ସେ ଜାମିନରେ ଆସିଥିବା କହିଛନ୍ତି । ଥାନା ଅଧିକାରୀ ତାଙ୍କ ମୋବାଇଲ ଛଡ଼ାଇ ନେଇ ସବୁ ଫଟୋ ଓ ଭିଡିଓ ଡିଲିଟ କରିବା ସହ ମୋବାଇଲ୍ ଥାନାରେ ରଖିଛନ୍ତି । ଏହାର ତଦନ୍ତ କରାଯାଇ ଥାନା ଅଧିକାରୀଙ୍କୁ ଦଣ୍ଡ ଦେବାକୁ ମହିଳା ନିବେଦନ କରିଛନ୍ତି । ଏଏସପି ମହିଳାଙ୍କ ସମସ୍ତ ଅଭିଯୋଗ ଶୁଣିଛନ୍ତି । ମହିଳାଙ୍କ ଅଭିଯୋଗର ସତ୍ୟତା ଥିଲେ ଆଇନ ଅନୁଯାୟୀ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର କହିଛନ୍ତି । ଘଟଣାର ନିରପେକ୍ଷ ତଦନ୍ତ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଦ୍ୱାରା କରାଯିବ । ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଶ୍ରୀ ଦାସଙ୍କୁ ଯଥାଶୀଘ୍ର ଶରଣକୁଳ ଥାନାରୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରିବା ପାଇଁ ରାଜ୍ୟ ପୁଲିସ ମୁଖ୍ୟାଳୟ ତରଫରୁ ନିର୍ଦ୍ଦେଶ ଦିଆଯାଇଛି ।