ପାଟନା,୮।୭: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏକ ବଡ଼ ନିଷ୍ପତ୍ତି। ଏବେ ରାଜ୍ୟ ସରକାର ସରକାରୀ ଚାକିରିରେ ମହିଳାଙ୍କୁ ୩୫ ପ୍ରତିଶତ ସଂରକ୍ଷଣ ଦେବେ। ଏହି ସଂରକ୍ଷଣ କେବଳ ବିହାରରେ ରହୁଥିବା ମହିଳାଙ୍କୁ ଦିଆଯିବ। ଅର୍ଥାତ୍ ଯେକୌଣସି ସରକାରୀ ଚାକିରିର ସିଧାସଳଖ ନିଯୁକ୍ତିରେ ୩୫% ଆସନ ବିହାରର ମହିଳା ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିବ। ମଙ୍ଗଳବାର ଅନୁଷ୍ଠିତ ବିହାର କ୍ୟାବିନେଟର ବୈଠକରେ ଯୁବ କମିଶନ ଗଠନ ସମେତ ମୋଟ ୪୩ଟି ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଥିଲା।
ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ, ବିହାରର ସମସ୍ତ ସରକାରୀ ସେବା, କ୍ୟାଡରରେ ସମସ୍ତ ସ୍ତର ଏବଂ ସମସ୍ତ ପ୍ରକାରର ପଦବୀରେ ସିଧାସଳଖ ନିଯୁକ୍ତିରେ ରାଜ୍ୟର ମୂଳ ବାସିନ୍ଦା ମହିଳା ପ୍ରାର୍ଥୀଙ୍କୁ ୩୫ ପ୍ରତିଶତ ସଂରକ୍ଷଣ ଦେବାର ପ୍ରସ୍ତାବକୁ ମଧ୍ୟ ଅନୁମୋଦନ କରାଯାଇଥିଲା।
ବୈଠକ ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ବିସ୍ତୃତ ସୂଚନା ଦେଇ କ୍ୟାବିନେଟ ସଚିବାଳୟର ଅତିରିକ୍ତ ମୁଖ୍ୟ ସଚିବ ଡକ୍ଟର ଏସ. ସିଦ୍ଧାର୍ଥ କହିଛନ୍ତି, ଏହି ବୈଠକରେ ଯୁବ କମିଶନ ଗଠନ ସମେତ ମୋଟ ୪୩ ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହି ବୈଠକରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଏବେ କେବଳ ବିହାରର ମହିଳାମାନେ ସରକାରୀ ଚାକିରିରେ ୩୫ ପ୍ରତିଶତ ସଂରକ୍ଷଣ ପାଇବେ।