ନୂଆଦିଲ୍ଲୀ,୨୯।୧୨: ପାଟନାରେ ଅନୁମତି ନ ପାଇବା ପରେ ବି ବିପିଏସସି ପ୍ରାର୍ଥୀମାନେ  ରବିବାର ଗାନ୍ଧୀ ମଇଦାନରେ କରିଛନ୍ତି ବିକ୍ଷୋଭ ପ୍ରଦର୍ଶନ। ପ୍ରାର୍ଥୀମାନେ ପେପର ଲିକ ବିରୋଧରେ ସ୍ବର ଉତ୍ତୋଳନ କରିବା ସହ   ପରୀକ୍ଷା ବାତିଲ କରିବାକୁ ଦାବି କରୁଛନ୍ତି। ସେମାନଙ୍କ ଦାବି ପୁଣିଥରେ କରାଯାଉ ପରୀକ୍ଷା।   ତେବେ ପ୍ରାର୍ଥୀମାନଙ୍କୁ ପ୍ରଦର୍ଶନ କରିବାକୁ ପୋଲିସ ଅନୁମତି ଦେଇନଥିଲା। ସକାଳୁ ପୁରା ଗାନ୍ଧୀ ମଇଦାନ ପୋଲିସ କ୍ୟାମ୍ପରେ ପରିଣତ ହୋଇଥିଲା। ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା ଚାଲିଥିଲା, କିନ୍ତୁ ସନ୍ଧ୍ୟା ସୁଦ୍ଧା ପରିସ୍ଥିତି ବିଗିଡି ଯାଇଥିଲା। 

ଏଥିରେ ଜନସୁରାଜର ସଂସ୍ଥାପକ ପ୍ରଶାନ୍ତ କିଶୋର ମଧ୍ୟ ସାମିଲ ହୋଇଥିଲେ। ଏହାପରେ ବାହାରିଥିଲା ଶୋଭାଯାତ୍ରା। କିନ୍ତୁ ଜେପି ଗୋଲମ୍ବର ନିକଟରେ ମାର୍ଚ୍ଚକୁ ପୋଲିସ ରୋକି ଦେଇଥିଲା। ଘଟଣାସ୍ଥଳରେ ପ୍ରବଳ ପୋଲିସ ମୁତୟନ ହୋଇଥିଲେ। ବଜ୍ରବାହନ ଓ ଓ୍ବାଟର କେନନ୍‌ରେ ଛାତ୍ରଙ୍କ ଉପରକୁ ପାଣି ମାଡ କରାଯାଇଥିଲା। ଏହା ପରେ ପ୍ରାର୍ଥୀମାନେ ବ୍ୟାରିକେଡ୍ ଭାଙ୍ଗି ଆଗକୁ ବ ବଢିବାକୁ ଚେଷ୍ଟା କରିଥିଲେ। ସର୍ବସାଧାରଣ ଯାନବାହନ ଚଳାଚଳ ବନ୍ଦ କରିବା ଛାତ୍ରମାନେ ରାସ୍ତା ଅବରୋଧ କରିଥିଲେ। ଏହା ପରେ ପୋଲିସ ଲାଠିଚାର୍ଜ କରିଥିଲା।

ଉଲ୍ଲେଖନୀୟ ଯେ, ଜିଲ୍ଲା ପ୍ରଶାସନ ଶନିବାର ଏହି ପ୍ରଦର୍ଶନ ଉପରେ କଟକଣା ଲଗାଇଥିଲେ। ଏହା ପରେ ବି ପ୍ରଶାନ୍ତ କିଶୋରଙ୍କ ନେତୃତ୍ୱରେ ହଜାର ହଜାର ପ୍ରାର୍ଥୀ ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚି ବିରୋଧ ଆରମ୍ଭ କରିଥିଲେ। ଏହା ପରେ, ଅପରାହ୍ନ ପ୍ରାୟ ୫ ଟା ସମୟରେ ପ୍ରଶାନ୍ତ କିଶୋର ସେହି ପ୍ରାର୍ଥୀଙ୍କ ସହ ଗାନ୍ଧୀ ମୈଦାନରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ। ସେମାନଙ୍କୁ ରୋକିବା ପାଇଁ ପ୍ରଶାସନ ବହୁ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରିଥିଲା।