ପାଟନା, ୦୪/୦୭: ଇନ୍ଦୋରର ରାଜା ରଘୁବଂଶୀ ହତ୍ୟା ଘଟଣା ଏବେ ବି ଚର୍ଚ୍ଚାର ବିଷୟ ହୋଇ ରହିଥିବାବେଳେ ବିହାରର ଔରଙ୍ଗାବାଦରୁ ସେହିଭଳି ଆଉ ଏକ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ୨୭ ବର୍ଷୀୟ ଯୁବତୀ ତାଙ୍କ ୬୦ ବର୍ଷୀୟ ପିଉସାଙ୍କ ପ୍ରେମରେ ପଡ଼ି ବିବାହର ୪୫ ଦିନ ପରେ ନିଜ ସ୍ୱାମୀଙ୍କ ହତ୍ୟା କରିଛନ୍ତି । ମୃତକ ହେଲେ ପ୍ରିୟାଂଶୁ କୁମାର ସିଂ ଓରଫ୍ ଛୋଟୁ (୨୭) । ପ୍ରିୟାଂଶୁଙ୍କ ସ୍ତ୍ରୀ ଗୁଞ୍ଜା ସୁଟରଙ୍କ ଦ୍ୱାରା ତାଙ୍କୁ ଗୁଳି କରି ହତ୍ୟା କରାଇଥିବା ଅଭିଯୋଗ ହୋଇଛି । ଘଟଣାରେ ପୁଲିସ ଗୁଞ୍ଜାଙ୍କୁ ଗିରଫ କରିଥିବାବେଳେ ତାଙ୍କ ପିଉସା ଜୀବନ ସିଂ ଫେରାର ଅଛନ୍ତି । ପୁଲିସ ଆଗରେ ଗୁଞ୍ଜା ଦୋଷ ସ୍ୱୀକାର କରିଛନ୍ତି ।
ପୁଲିସ କହିଛି, ଗୁଞ୍ଜା ପିଲାଦିନରୁ ତାଙ୍କ ପିଉସା ଜୀବନ ସିଂଙ୍କ ଘରେ ରହି ସେଠାରେ ପାଠ ପଢ଼ୁଥିଲେ । ସେହି ସମୟରୁ ହିଁ ଉଭୟେ ନିକଟତର ହୋଇଥିଲେ । କେହି ସେମାନଙ୍କ ଭିତରେ ଥିବା ସମ୍ପର୍କକୁ ସନ୍ଦେହ କରିପାରି ନ ଥିଲେ । ହେଲେ ଗତ ଏପ୍ରିଲରେ ତାଙ୍କ ପିଉସୀ ଉଭୟଙ୍କୁ ଏକାଠି ଦେଖି ଦେଇଥିଲେ । କଥା ଘରେ ପହଞ୍ଚିବା ପରେ ଗୁଞ୍ଜାଙ୍କ ଘର ଲୋକେ ତାଙ୍କ ବାହାଘର ପାଇଁ ପୁଅ ଖୋଜିବା ଆରମ୍ଭ କରିଦେଇଥିଲେ । ମାସକ ଭିତରେ ହିଁ ଗୁଞ୍ଜାଙ୍କ ବାହାଘର ପ୍ରିୟାଂଶୁଙ୍କ ସହ ଠିକ୍ ହୋଇଥିଲା । ଏଥିରେ ଗୁଞ୍ଜା ଖୁସି ନ ଥିଲେ । ଏପରିକି ପିଉସାଙ୍କ ସହ ଘର ଛାଡ଼ି ପଳାଇବାକୁ ସେ ଭାବିଥିଲେ । ଏହା ପୂର୍ବରୁ ତାଙ୍କ ପିଉସା ଦୁଇଟି ବାହାଘର ଭାଙ୍ଗି ଦେଇଥିଲେ । ଏଥର କିନ୍ତୁ ସମାଜ ଏବଂ ଘରଲୋକଙ୍କ ଡରରେ ଗୁଞ୍ଜା ବାହା ହୋଇଯାଇଥିଲେ ।
ବିବାହ ମଣ୍ଡପରୁ ହିଁ ସେ ପ୍ରିୟାଂଶୁଙ୍କୁ ହତ୍ୟା କରିବାକୁ ଭାବି ସାରିଥିଲେ । ବିବାହ ପରେ ବି ଗୁଞ୍ଜା ତାଙ୍କ ପିଉସାଙ୍କୁ ଭେଟୁଥିଲେ । ଉଭୟେ ମିଶି ପ୍ରିୟାଂଶୁଙ୍କ ହତ୍ୟା କରିବା ଲାଗି ଝାଡ଼ଖଣ୍ଡରୁ ଦୁଇ ଜଣ ସୁଟରଙ୍କୁ ସୁପାରି ଦେଇଥିଲେ । ଜୁନ୍ ୨୪ ରାତିରେ ପ୍ରିୟାଂଶୁ ବାରାଣସୀର ଚନ୍ଦୌଲିରୁ ଟ୍ରେନ୍ ଯୋଗେ ଘରକୁ ଫେରୁଥିଲେ । ତାଙ୍କ ଗାଁରୁ ଦୁଇଜଣ ବାଇକ ନେଇ ତାଙ୍କୁ ଆଣିବାକୁ ଷ୍ଟେସନ ଯାଇଥିଲେ । ସେମାନଙ୍କଠାରୁ ଲୋକେସନ ଆଣି ଗୁଞ୍ଜା ସୁଟରଙ୍କୁ ଦେଇଥିଲେ । ବୀନଗର ରୋଡ ରେଳଷ୍ଟେସନରେ ପହଞ୍ଚିବା ପୂର୍ବରୁ ପ୍ରିୟାଂଶୁ ଗୁଞ୍ଜାଙ୍କୁ ଫୋନ୍ କରି ଜଣାଇଥିଲେ । ପ୍ରିୟାଂଶୁ ବାଇକ୍ରେ ବସି ଆସିବା ବେଳେ ବାଟରେ ସୁଟର ତାଙ୍କୁ ଗୁଳି କରିଥିଲେ । ବାଇକ୍ରେ ଥିବା ଦୁଇ ଜଣ ପ୍ରିୟାଂଶୁଙ୍କୁ ହସ୍ପିଟାଲ ନେଇଯାଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ହତ୍ୟାକାଣ୍ଡର ଯାଞ୍ଚ ପାଇଁ ପୁଲିସ ଏକ ଏସ୍ଆଇଟି ଗଠନ କରିଛି । ବାଇକ୍ରେ ଯାଇଥିବା ଗାଁର ଦୁଇ ଜଣଙ୍କୁ ମଧ୍ୟ ପୁଲିସ ପଚରାଉଚରା କରିଛି । ପ୍ରିୟାଂଶୁ, ଗୁଞ୍ଜାଙ୍କ ଫୋନ୍ରୁ କଲ୍ ରେକର୍ଡ, ସିସିଟିଭି ଫୁଟେଜ ଆଦି ଯୋଗେ ପୁଲିସ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିଥିଲା ।