ନୂଆଦିଲ୍ଲୀ: ଛତିଶଗଡର ବିଜାପୁର ଜିଲ୍ଲାରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି । ଆଜି (ବୁଧବାର) ଏଠାରେ ୪୧ ଜଣ ନକ୍ସଲ ଏକାସଙ୍ଗେ ସୁରକ୍ଷା ବାହିନୀ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ଏହି ନକ୍ସଲ ମାନଙ୍କ ମଧ୍ୟରୁ ୩୨ ଜଣଙ୍କ ମୁଣ୍ଡରେ ବଡଧରଣର ପୁରସ୍କାର ରାଶି ଥିଲା, ଯାହାର ସମୁଦାୟ ପରିମାଣ ୧ କୋଟି ୧୯ ଲକ୍ଷ ଟଙ୍କା। ଆତ୍ମସମର୍ପଣ କରିଥିବା ନକ୍ସଲ ମାନଙ୍କ ମଧ୍ୟରେ କେତେକ ଶୀର୍ଷ ଏବଂ ମଧ୍ୟମ ସ୍ତରୀୟ ନକ୍ସଲ ସାମିଲ ଅଛନ୍ତି, ଯେଉଁମାନଙ୍କ ଉପରେ ଲକ୍ଷ ଲକ୍ଷ ଟଙ୍କାର ପୁରସ୍କାର ରାଶିଥିଲା ।

୯ ନକ୍ସଲ ମାନଙ୍କ ଉପରେ ୮ ଲକ୍ଷ ଟଙ୍କା ଲେଖାଏ, ୩ ନକ୍ସଲ ମାନଙ୍କ ଉପରେ ପ୍ରତ୍ୟେକ ୫ ଲକ୍ଷ ଟଙ୍କା, ୧୨ ଜଣ ନକ୍ସଲଙ୍କୁ ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କା, ୮ ଜଣ ନକ୍ସଲଙ୍କୁ ପ୍ରତ୍ୟେକଙ୍କ ଉପରେ ୧ ଲକ୍ଷ ଟଙ୍କା ରହିଥିଲା।

ଏହି ଆତ୍ମସମର୍ପଣ କରିଥିବା ନକ୍ସଲ ମାନେ ଦଣ୍ଡକାରଣ୍ୟ ସ୍ୱତନ୍ତ୍ର ଜୋନାଲ କମିଟି, ତେଲେଙ୍ଗାନା ରାଜ୍ୟ କମିଟି ଏବଂ ଧମତାରି-ଗାରିଆବନ୍ଦ-ନୂଆପାଦ ଡିଭିଜନ ଭଳି ପ୍ରମୁଖ ନକ୍ସଲ ସଂଗଠନ ସହିତ ଜଡିତ ଥିଲେ। ପୋଲିସ ଅଧିକାରୀଙ୍କ ଅନୁଯାୟୀ, ସମସ୍ତ ଆତ୍ମସମର୍ପଣ କରିଥିବା ନକ୍ସଲ ଭାରତୀୟ ସମ୍ବିଧାନ ଉପରେ ବିଶ୍ୱାସ ପ୍ରକାଶ କରିଛନ୍ତି ଏବଂ ଏକ ଗଣତାନ୍ତ୍ରିକ ବ୍ୟବସ୍ଥା ଅଧୀନରେ ଏକ ମର୍ଯ୍ୟାଦାଜନକ ଏବଂ ସୁରକ୍ଷିତ ଜୀବନ ବଞ୍ଚିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ପ୍ରତ୍ୟେକ ଆତ୍ମସମର୍ପଣ କରିଥିବା ନକ୍ସଲଙ୍କୁ ତୁରନ୍ତ ୫୦,୦୦୦ ଟଙ୍କା ପ୍ରୋତ୍ସାହନ ସ୍ୱରୂପ ମିଳିବ। ସେମାନେ ସମାଜର ମୁଖ୍ୟସ୍ରୋତକୁ ଫେରିବା ପାଇଁ ପୁନର୍ବାସ ଯୋଜନାରୁ ମଧ୍ୟ ଲାଭ ପାଇବେ।

ଅଧିକାରୀ ମାନେ ରିପୋର୍ଟ କରିଛନ୍ତି ଯେ ଚଳିତ ବର୍ଷ ଜିଲ୍ଲାରେ ୫୨୮ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି ଏବଂ ୫୬୦ ଜଣ ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ଜିଲ୍ଲାରେ ବିଭିନ୍ନ ଏନକାଉଣ୍ଟରରେ ମୋଟ ୧୪୪ ଜଣ ମାଓବାଦୀ ନିହତ ହୋଇଛନ୍ତି।