ପୁରୀ ୨୨।୭: ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ବାହୁଡ଼ିବେ ଶ୍ରୀଜିଉ । ବାହୁଡ଼ା ଯାତ୍ରା ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ମଙ୍ଗଳବାର ଆଜ୍ଞାମାଳ ଆସିବା ପରେ ୩ ରଥକୁ ଦକ୍ଷିଣମୋଡ଼ କରାଯାଉଛି। ଆଜି ନାକଚଣା ଦ୍ବାରରେ ଲାଗିଛି ତିନୋଟି ରଥ ।
ହେରା ପଞ୍ଚମୀରେ ଅଭିମାନିନୀ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିର ଆଭିମୁଖେ ଆସିଥିଲେ । ମହାପ୍ରଭୁଙ୍କ ସହିତ ଭେଟ ନକରିପାରି ଫେରିଯାଇଥିଲେ । ଆଉ ରାଗ ତମତମ ହୋଇ ନନ୍ଦିଘୋଷ ରଥର ଖଣ୍ଡେ କାଠ ଭାଙ୍ଗି ଦେଇଥିଲେ । ଏହା ସହିତ ହେରାଗୌରୀ ସାହି ଦେଇ ଶ୍ରୀଜିଉଙ୍କ ଆଦ୍ୟ ସେବକ ଗଜପତିଙ୍କୁ ଶୁଣାଇ ଦେଇଥିଲେ । କହିଥିଲେ ମୁଁ ଶ୍ରୀମନ୍ଦିରରେ ପହଞ୍ଚିବା ପୂର୍ବରୁ ଜଗନ୍ନାଥ ଯେପରି ଶ୍ରୀମନ୍ଦିରରେ ପହଞ୍ଚିଥିବା ଦରକାର । ମହାରାଜା ମଧ୍ୟ ମା’ ସିନ୍ଧୁ ସୂତାଙ୍କୁ ବୁଝାଇ ଦେଇଥିଲେ । ଏହା ପରେ ମଙ୍ଗଳବାର ଗୁଣ୍ଡିଚା ମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ତିନି ରଥର ଦକ୍ଷିଣ ମୋଡ଼ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ମଙ୍ଗଳବାର ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥକୁ ଦକ୍ଷିଣ ମୋଡ଼ କରାଯାଇ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ବାର ସମ୍ମୁଖରେ ରଖାଯାଇଥିଲା। ପ୍ରବଳ ବର୍ଷା କାରଣରୁ ତାଳଧ୍ବଜ ଓ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ ହୋଇପାରି ନଥିଲା । ବୁଧବାର ସକାଳୁ ତାଳଧ୍ବଜ ରଥର ଦକ୍ଷିଣ ମୋଡ଼ ହୋଇଛି । ପରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ବାର ନିକଟକୁ ନିଆଯାଇଛି ।
ସେପଟେ ଆସନ୍ତା ୨୪ ତାରିଖ ଅର୍ଥାତ୍ ଶୁକ୍ରବାର ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ । ସେଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି । ମହାପ୍ରଭୁଙ୍କ ଫେରିବା ବାଟକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଭକ୍ତ ।
ଅଧିକ ପଢନ୍ତୁ-ବାହୁଡା ଯାତ୍ରା ପ୍ରସ୍ତୁତି: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ, ସୁରୁଖୁରୁରେ ଯାତ୍ରା ଶେଷ କରିବା ନେଇ ଆଲୋଚନା