ଭୁବନେଶ୍ବର,୨୨\୭ : ଜାମୁଝରି ସ୍ଥିତ ମୁକ୍ତାକାଶ କାରାଶ୍ରମ ପରିସରରେ ବଢ଼ିଲା କଏଦୀ ସଂଖ୍ୟା । ଏବେ ଏଠାରେ କଏଦୀ ସଂଖ୍ୟା ୪୦ରେ ପହଞ୍ଚିଛି । ଏହା ପୂର୍ବରୁ ଏହି କାରାଶ୍ରମରେ ମାତ୍ର ୧୯ଜଣ କଏଦୀ ରହୁଥିଲେ । ଗତ ସପ୍ତାହରେ ରାଜ୍ୟର ବିଭିନ୍ନ ଜେଲ୍ ରୁ ୨୧ଜଣ କଏଦୀ ଏଠାରେ ଆସି ପହଞ୍ଚିବା ପରେ ସଂଖ୍ୟା ବୃଦ୍ଧି ଘଟିଛି । ୨୦୦୩ ମସିହାରେ ଆରମ୍ଭ ହୋଇଥିଲା ଏହି ମୁକ୍ତାକାଶ କରାଶ୍ରମ । ପୂର୍ବରୁ ନୟାଗଡ଼ ଅଞ୍ଚଳର କେତେକ ଡକାୟତ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟାୟକଙ୍କ ନିକଟରେ ଆତ୍ମସମର୍ପଣ କରି ଏହି ନିର୍ମାଣାଧୀନ କୋଠାରେ ରହିଥିଲେ । ପରେ ସେମାନଙ୍କ କେସ୍ ବିଚାର କରାଯାଇ ସେମାନଙ୍କୁ ତାଙ୍କ ଜିଲ୍ଲାରେ ଥଇଥାନ କରାଯାଇଥିଲା । ସେହି ଘଟଣାକୁ ଦୃଷ୍ଟିରେ ରଖି ମୁକ୍ତାକାଶ କାରାଶ୍ରମକୁ 'ବିଜୁ ପଟ୍ଟନାୟକ ମୁକ୍ତାକାଶ କାରାଶ୍ରମ 'ରେ ନାମାଙ୍କନ କରାଯାଇଥିଲା ।
୨୦୦୬ ମସିହାରେ ଏଠାରେ ଶତାଧିକ କଏଦୀ ରହି ପନିପରିବା ଚାଷ କରିବା ସହ, ଗୋ-ପାଳନ ଏବଂ ୨୦ଟି ତନ୍ତ ସହାୟତାରେ ଲୁଗା ବୁଣା, ଇଟା ତିଆରି କାର୍ଯ୍ୟ କରୁଥିଲେ । ଏଥି ସହିତ କଏଦୀମାନଙ୍କ ଦ୍ୱାରା ଦଶହରା, ରାବଣପୋଡ଼ି କାର୍ଯ୍ୟକ୍ରମ ଆଦି କରାଯାଉଥିଲା । ଗେଟ୍ ସମ୍ମୁଖରେ ଉତ୍ପାଦିତ ପନିପରିବା ବିକ୍ରି କରାଯାଉଥିଲା । ଆଖପାଖ ଗ୍ରାମବାସୀମାନେ କ୍ଷୀର ଓ ସବୁଜ ପନିପରିବା ପାଇପାରୁଥିଲେ । ପରେ ପରେ କେତେକ କର୍ମଚାରୀମାନଙ୍କ ଦ୍ୱାରା ବିଶୃଙ୍ଖଳିତ ଆଚରଣ କଏଦୀ ମାନଙ୍କୁ ଦମନ ମୂଳକ ନୀତି ଯୋଗୁଁ କଏଦୀ ମାନଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଥିଲା ।
ଏବେ ଜେଲ୍ ବିଭାଗ ଦ୍ୱାରା ନୂତନ ଅଧୀକ୍ଷକ ନିଯୁକ୍ତି ଦ୍ୱାରା ପରିସ୍ଥିତିରେ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଏବେ ପୁଣି ପୂର୍ବପରି ପନିପରିବା ଚାଷ, ବୃକ୍ଷ ରୋପଣ କାର୍ଯ୍ୟ, ଗୋସେବା, ହସ୍ତତନ୍ତ୍ର କାର୍ଯ୍ୟକ୍ରମମାନ ସୁଚାରୁ ରୂପେ ହେଉଥିବା କର୍ମଚାରୀ ମାନେ ଆଶା ପ୍ରକାଶ କରିଛନ୍ତି । ସୂଚନା ଥାଉକି, ଏହି କାରାଶ୍ରମରେ ୧୨୫ଜଣ କଏଦୀ ରହିବାର ବ୍ୟବସ୍ଥା ରହିଛି ।