ଭୁବନେଶ୍ୱର,୩୦/୦୭: ବାର୍ଡ ଫ୍ଲୁ ନେଇ ଚିଲିକା ଓ ନନ୍ଦନକାନନରେ ସତର୍କତା ଜାରି ହୋଇଛି । ଆଗୁଆ ସତର୍କତା ଆପଣେଇଛନ୍ତି ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ । ଖୋର୍ଦ୍ଧାରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ନନ୍ଦନକାନନରେ ସତର୍କତା ଆପଣାଯାଇଛି । ନନ୍ଦନକାନନର ସମସ୍ତ କର୍ମଚାରୀଙ୍କୁ ସଚେତନ କରାଯାଇଛି । ଯଦି କୌଣସି ପକ୍ଷୀଙ୍କଠାରେ ଫ୍ଲୁ’ର ଲକ୍ଷଣ ଦେଖାଯାଏ, ସେଥିପ୍ରତି ଧ୍ୟାନ ରଖିବାକୁ ପରାମର୍ଶ ଦିଆଯାଇଛି ବୋଲି ପିସିସିଏଫ୍ ପ୍ରେମ୍ କୁମାର ଝା ଏବଂ ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ପ୍ରତ୍ୟେକ ଦିନ ପକ୍ଷୀମାନଙ୍କ ହାଲଚାଲର ରିପୋର୍ଟ ପ୍ରସ୍ତୁତ କରାଯିବ । ଏହି ରିପୋର୍ଟକୁ ପ୍ରତ୍ୟେକ ଦିନ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ନିର୍ଦ୍ଦେଶକ ଓ ଉପନିର୍ଦ୍ଦେଶକ ସମୀକ୍ଷା କରିବେ । ପ୍ରାଣୀ ଚିକିତ୍ସକଙ୍କ ପାଇଁ ଏକ ସ୍ୱତନ୍ତ୍ର କିଟ୍ ବ୍ୟବସ୍ଥା କରାଯାଇଛି । ବାର୍ଡ କିପର୍ମାନେ ସ୍ୱତନ୍ତ୍ର ଗ୍ଲୋବ୍ସ ଓ କିଟ୍ ପରିଧାନ କରିବେ । ନନ୍ଦନକାନନରେ ଥିବା ଖୋଲା ପକ୍ଷୀ ବିହାରରେ ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ବାରଣ କରାଯାଇଛି । ଚିକେନ କିମ୍ବା ଅଣ୍ଡା ଆଦି ବାହାର ଭେଣ୍ଡର୍ସମାନଙ୍କୁ ନନ୍ଦନକାନନକୁ ଆଣିବାକୁ ବାରଣ କରାଯାଇଛି ।
ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୨ କିଲୋମିଟର ମଧ୍ୟରେ ଥିବା ବାର୍ଡ ଫାର୍ମ ଉପରେ ନଜର ରହିଛି । ବାହାରୁ ଯେଉଁ ଗାଡ଼ି ପ୍ରାଣୀ ଉଦ୍ୟାନ ମଧ୍ୟକୁ ପ୍ରବେଶ କରିବ ତାହା ଏକ ସ୍ୱତନ୍ତ୍ର ଔଷଧୀୟ ସିଞ୍ଚନ ପାଣି ମଧ୍ୟରେ ଯିବ । ଫଳରେ ସଂକ୍ରମଣ ହେବାର ସମ୍ଭାବନା କମ ରହିବ । ସେହିପରି ଚିଲିକା ଆଖପାଖ ଅଞ୍ଚଳ ଉପରେ ବି ନଜର ରଖାଯାଇଛି ।