• ପଡ଼ୋଶୀଙ୍କୁ ହଇରାଣ କରିବାକୁ ଦୁଇ ଯୁବକଙ୍କ ଅଦ୍ଭୁତ କାରନାମା
  • ଝଗଡ଼ାର ପ୍ରତିଶୋଧ ନେବାକୁ ସ୍ପିକରରେ ୧୦ ଘଣ୍ଟା ବଜାଇଲେ ଭୁତ ଭଏସ୍
  • କେବଳ ଜଣେ ପଡ଼ୋଶୀ ନୁହଁନ୍ତି, ବିରକ୍ତି ହେଉଥିଲେ ବିଲ୍ଡିଂର ସବୁ ଲୋକ
  • ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇପାରୁନଥିଲା ଆଇନ

ନୂଆଦିଲ୍ଲୀ,୦୭/୦୪: ପଡ଼ୋଶୀଙ୍କ ସହ ଝଗଡ଼ା ଏବଂ କଳହ ଖବର ଅତି ସାଧାରଣ କଥା। ଆମ ଦୈନନ୍ଦିନ ଜୀବନରେ ଏମିତି ଅନେକ ଘଟଣା ଆମେ ଦେଖିଥିବା ନିଶ୍ଚୟ। ଆମେ ପ୍ରାୟତଃ ଯେଉଁମାନଙ୍କ ସହିତ ରହୁଛୁ ସେମାନଙ୍କ ସହିତ କୌଣସି ନା କୌଣସି କାରଣରୁ ଯୁକ୍ତିତର୍କ କିମ୍ବା ମତଭେଦ ବେଳେବେଳେ ଦେଖାଯାଏ। ତଥାପି, ଆମେ ବର୍ତ୍ତମାନ ଯେଉଁ ଖବର ଆପଣଙ୍କ ପାଖରେ ପ୍ରକାଶ କରୁଛୁ, ତାହା ବହୁତ ଅଜବ। ଚୀନରେ ଦୁଇ ପଡ଼ୋଶୀଙ୍କ ମଧ୍ୟରେ ଏକ ବିବାଦ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ରିପୋର୍ଟ ଅନୁସାରେ, ଗ୍ୱାଙ୍ଗଜୋ ସହରରେ ରହୁଥିବା ଦୁଇଜଣ ବ୍ୟକ୍ତି ନିଜ ପଡ଼ୋଶୀଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ଏକ ଅନନ୍ୟ ପଦ୍ଧତି ଗ୍ରହଣ କରିଥିଲେ।

ସ୍ପିକରରେ ବଜାଇଲେ ଭୂତ କାହାଣୀ:

ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟ ଅନୁଯାୟୀ, ଗୁଆଙ୍ଗଡୋଙ୍ଗ ପ୍ରଦେଶର ଗ୍ୱାଙ୍ଗଝୁରେ ରହୁଥିବା ଲୁ ଏବଂ ତାଙ୍କ ରୁମମେଟ୍ ଲି'ଙ୍କର ତାଙ୍କ ପଡ଼ୋଶୀ ସ୍କି'ଙ୍କ ସହିତ ଝଗଡ଼ା ହୋଇଥିଲା। ସେମାନେ କାନ୍ଥ ପାଖରେ ଏକ ଲାଉଡସ୍ପିକର ଲଗାଇ ପ୍ରତିଦିନ ସକାଳ ୮.୪୫ ରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଏବଂ ପୁଣି ଅପରାହ୍ନ ୩.୩୦ ରୁ ରାତି ୧୦ ପର୍ଯ୍ୟନ୍ତ ଭୟଙ୍କର ଭୂତ କାହାଣୀ ବଜାଇବା ଆରମ୍ଭ କରିଥିଲେ। ଭୟଙ୍କର ଶବ୍ଦଗୁଡ଼ିକ ଦିନକୁ ୧୦ ଘଣ୍ଟାରୁ ଅଧିକ ସମୟ ଧରି ବାଜୁଥିଲା।

ଅଧିକ ପଢ଼ନ୍ତୁ: ବାଂଲାଦେଶ ସୀମାରେ ବନ୍ଦ ହେବ ଅନୁପ୍ରବେଶ; ସାପ-କୁମ୍ଭୀରକୁ ବ୍ୟବହାର କରିବ ବିଏସଏଫ

କେବଳ ଜଣେ ପଡ଼ୋଶୀ ନୁହଁନ୍ତି, ବିରକ୍ତି ହୋଇଥିଲେ ବିଲ୍ଡିଂର ସବୁ ଲୋକ:

ଏହି ବିକଟାଳ ଶବ୍ଦ କେବଳ ଜଣେ ବ୍ୟକ୍ତିଙ୍କୁ ନୁହେଁ, ବରଂ ବିଲ୍ଡିଂର ସବୁ ଲୋକଙ୍କୁ ବିରକ୍ତ କରିଥିଲା। ଉପର ମହଲାରେ ରହୁଥିବା କୁଇ ନାମକ ଜଣେ ବ୍ୟକ୍ତି ବିଶେଷ ଭାବରେ ବିରକ୍ତ ଥିଲେ କାରଣ ତାଙ୍କ ପିଲା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲା ଏବଂ ନିରନ୍ତର ଭାବେ ଏଭଳି ଶବ୍ଦ ତାଙ୍କ ପିଲାଙ୍କ ପାଠପଢ଼ାରେ ବାଧା ସୃଷ୍ଟି କରୁଥିଲା।

ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିନଥିଲା ଆଇନ:

ଆଶ୍ଚର୍ଯ୍ୟକର କଥା ହେଉଛି, ଏହି ଶବ୍ଦ ଆଇନଗତ ସ୍ତରର ସୀମା ତଳେ ଥିଲା। ଅର୍ଥାତ୍ ଘରଭିତରେ ଏହା ୩୬ ଡେସିବେଲ୍, ଦିନରେ ଏହା ୬୦ ଡେସିବେଲ୍, ଏବଂ ରାତିରେ ଏହା ୫୦ ଡେସିବେଲ୍ ରହୁଥିଲା। ଏହି କାରଣରୁ ପ୍ରଶାସନ ଏନେଇ କୌଣସି ତୁରନ୍ତ ପଦକ୍ଷେପ ନେଇପାରୁନଥିଲା।

ବଡ଼ ନିଷ୍ପତ୍ତି ନେଲେ କୋର୍ଟ:

ଶେଷରେ କୁଇ ଗୁଆଙ୍ଗଝୁ ହାଇଜୁ ଜିଲ୍ଲା ପିପୁଲ୍ସ କୋର୍ଟକୁ ଗଲେ। ସମ୍ଭାବ୍ୟ କ୍ଷତିକୁ ରୋକିବା ପାଇଁ ସେ ପ୍ରାକ୍-ମକଦ୍ଦମା ନିଷେଧ ପାଇଁ ଆବେଦନ କଲେ। କୋର୍ଟ କୁଇଙ୍କ ସପକ୍ଷରେ ରାୟ ଦେଲେ, ଲୁ'ଙ୍କୁ ତୁରନ୍ତ ତାଙ୍କର କାର୍ଯ୍ୟକଳାପ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ। ପରବର୍ତ୍ତୀ ସମୟରେ ଲୁ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସ୍ପିକଟର ହଟାଇ ଦେଲେ, ସମସ୍ତ ରେକର୍ଡିଂ ଡିଲିଟ୍ କରିଦେଲେ ଏବଂ ଭବିଷ୍ୟତରେ ଏହି କାର୍ଯ୍ୟ ପୁନରାବୃତ୍ତି ନ କରିବାକୁ ପ୍ରତିଶ୍ରୁତି ଦେଲେ।

ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: ପିଲାଙ୍କୁ ବିପଦ ନୂଆ କୋଭିଡ୍ ଭୂତାଣୁ ‘ସିକାଡା’, ୨୩ ଦେଶରେ ଭୂତାଣୁ ଚିହ୍ନଟ