ନୂଆଦିଲ୍ଲୀ ୦୭/୦୪: ସୀମା ସୁରକ୍ଷା ବଳ(ବିଏସଏଫ୍) ବାଂଲାଦେଶ ସୀମାରେ ଅନୁପ୍ରବେଶକୁ ରୋକିବା ଲାଗି ସାପ ଏବଂ କୁମ୍ଭୀରଙ୍କୁ ବ୍ୟବହାର କରିପାରେ । ରିପୋର୍ଟ ମୁତାବକ, ମାର୍ଚ୍ଚ ୨୬ ତାରିଖରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବିଏସ୍ଏଫ୍ ମୁଖ୍ୟାଳୟକୁ ଅପରେସନାଲ ସ୍ତରରେ ସରୀସୃପ(ସାପ, କୁମ୍ଭୀର)ଙ୍କ ବ୍ୟବହାର ଉପରେ ବିଚାର କରିବାକୁ ଆଦେଶ ଦେଇଛି ।
ଭାରତ-ବାଂଲାଦେଶ ମଧ୍ୟରେ ୪,୦୯୬ କିମି ଯାଏ ଲମ୍ବିଥିବା ସୀମାର ପ୍ରାୟ ୧୭୫ କିମି ଅଂଶ ନଦୀ ଏବଂ ଦଳଭର୍ତ୍ତି କ୍ଷେତ୍ର ମଧ୍ୟରେ ଆସିଥାଏ । ଏହି ଅଞ୍ଚଳରେ ବାଡ଼ ଲଗାଇବା କଷ୍ଟକର । ତେଣୁ ସେହି ରାସ୍ତା ଦେଇ ଅନୁପ୍ରବେଶ ଏବଂ ତସ୍କରୀ ଘଟଣା ହୋଇଥାଏ । ବିଗତ ୧୦ ବର୍ଷ ମଧ୍ୟରେ ସୀମାରେ ୭ ହଜାରରୁ ଅଧିକ ଅନୁପ୍ରବେଶ ଘଟଣା ସଂପର୍କରେ ରିପୋର୍ଟ ମିଳିଛି । ଏପରିସ୍ଥଳେ ଅନୁପ୍ରବେଶ ରୋକିବାକୁ ସେଠାରେ ସରୀସୃପଙ୍କୁ ବ୍ୟବହାର କରାଯାଇପାରେ । ତେବେ ଏ ସଂପର୍କରେ ବିଏସଏଫ୍ର ଜଣେ ଅଧିକାରୀ କହିଛନ୍ତି, ଏହା କେବଳ ଏକ ପ୍ରସ୍ତାବ । ଏହାକୁ ଲାଗୁ କରାଯାଇନାହିଁ । ଏଥିରେ ସରୀସୃପଙ୍କ ବ୍ୟବସ୍ଥାଠାରୁ ଆରମ୍ଭ କରି ସୀମା ନିକଟରେ ରହୁଥିବା ଲୋକଙ୍କୁ ସୁରକ୍ଷା ଭଳି ଅନେକ ଚାଲେଞ୍ଜ ରହିଛି । ଭାରତ-ବାଂଲାଦେଶ ସୀମାରେ ଜନସଂଖ୍ୟା ବେଶ୍ ଅଧିକ ହୋଇଥିବାବେଳେ ବନ୍ୟା ଭଳି ସ୍ଥିତିରେ ଏହା ଗ୍ରାମୀଣଙ୍କ ଲାଗି ସମସ୍ୟାକୁ ବଢ଼ାଇପାରେ ।
ଅଧିକ ପଢ଼ନ୍ତୁ :- ଲାଲ ଆତଙ୍କ ମୁକ୍ତ ହୋଇନି ଦେଶ, ଏବେବି ମାଓ ନେତା ମିସିର ବେସ୍ରା ଓ ଅସୀମ ମଣ୍ଡଳ ସକ୍ରିୟ, ସାଙ୍ଗରେ ଅଛନ୍ତି ୫୦ ବିଶ୍ୱସ୍ତ ସଶସ୍ତ୍ର କ୍ୟାଡର
ସୂଚନାଥାଉକି, ମାର୍ଚ୍ଚ ୧୭ ତାରିଖରେ ସରକାର ଭାରତ-ବାଂଲାଦେଶ ସୀମାରେ ୩,୩୨୬ କିମି ଯାଏ ବାଡ଼ ଲଗାଇବାକୁ ମଞ୍ଜୁରି ଦେଇଥିଲେ । କିନ୍ତୁ ସେଥିମଧ୍ୟରୁ ୩୭୧ କିମି ଅଂଶ ଏବେ ବି ବାକି ରହିଛି ।