ଭୁବନେଶ୍ୱର,୧୩/୦୫: ମାସକ ପରେ ବିଜେପି ସରକାରକୁ ଏକ ବର୍ଷ ପୂରିବ । ସଫଳତା ଓ ଉପଲବ୍ଧି ପ୍ରଚାର  ପାଇଁ ସରକାର ସଜବାଜ ଚଳାଇଛନ୍ତି । ସବୁ ବିଭାଗ ଲାଗି ପଡ଼ିଛନ୍ତି ସଫଳତାର ତାଲିକା ଏବଂ ଭିଡିଓ ପ୍ରସ୍ତୁତିରେ । ବର୍ଷ ପୂର୍ତ୍ତି ଉତ୍ସବ ପାଇଁ ମନ୍ତ୍ରୀମାନେ ବି ରିପୋର୍ଟ କାର୍ଡ ପ୍ରସ୍ତୁତିରେ ବ୍ୟସ୍ତ । ଗୋଟିଏ ପଟେ ନୂଆ ସରକାର ପ୍ରଥମ ପୂର୍ତ୍ତି ଅବସରରେ ଲୋକଙ୍କ ପାଖରେ ନିଜ ସଫଳତା  ପହଞ୍ଚାଇବାକୁ ବିଭିନ୍ନ ଆୟୋଜନରେ  ଲାଗିଛନ୍ତି । ଅନ୍ୟପଟେ ହାତ ବାନ୍ଧି ବସିଛି ମୁଖ୍ୟ ବିରୋଧୀ ଦଳ ବିଜେଡି ।  ଦଳ ଯେମିତି ସୋସିଆଲ ମିଡିଆ ପୋଷ୍ଟ  ଓ ପ୍ରେସ ବିବୃତିରେ ଅଟକି ରହିଛି ।  ପଚାରିଲେ ବିଜେଡି ନେତାଏ କହୁଛନ୍ତି,  ଆମ ସାଂଗଠନିକ ଟିମ୍‌ ଗଠନ ଚାଲିଛି ।  ଟିମ୍‌ ପ୍ରସ୍ତୁତି ସରିଲେ ଆଗକୁ ବ୍ୟାପକ  କାର୍ଯ୍ୟକ୍ରମ ହେବ । 

୨୪ ବର୍ଷର ଶାସନ ଗାଦିରୁ  ହଟିଥିଲେ ବି ବିଜେଡିକୁ ଓଡ଼ିଶାର  ଭୋଟରମାନେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ  ଦେଇଛନ୍ତି । ୫୧ ବିଧାୟକ ଆସନ  ସହ ବିଜେଡିକୁ ମୁଖ୍ୟ ବିରୋଧୀ ଦଳ  ଆସନରେ ବସାଇଛନ୍ତି ରାଜ୍ୟବାସୀ ।  ମାତ୍ର ମୁଖ୍ୟ ବିରୋଧୀ ଦଳ ଭାବେ  ସେଭଳି ଦମଦାର ପ୍ରଦର୍ଶନ  ଦେଖାଇପାରୁନି ବିଜେଡି । ବିଧାନସଭା  ଭିତରେ ମାନ୍ଦା, ବାହାରେ ବି ପୂରା  ଶିଥିଳ । ବିଜୁବାବୁଙ୍କ ଜୟନ୍ତୀ ଓ ଶ୍ରାଦ୍ଧ  ଦିବସକୁ ଛାଡ଼ିଦେଲେ ନିକଟ ଅତୀତରେ  ବିଜେଡି ପକ୍ଷରୁ ସେଭଳି କାର୍ଯ୍ୟକ୍ରମ  ଦେଖିବାକୁ ମିଳିନି । ରାଜନୈତିକ  କାର୍ଯ୍ୟକ୍ରମ ଯେମିତି ଶୂନ ହୋଇଗଲାଣି । 

 ସବୁଠାରୁ ବଡ଼ କଥା ହେଲା, ୨୪ ବର୍ଷ  ସରକାର ଚଳାଇଥିବାର ଅଭିଜ୍ଞତା ଧରି  ନୂଆ ସରକାର ଉପରେ ନଜର ରଖିବାକୁ  ନବୀନ ଗଢ଼ିଥିଲେ ଛାୟା କ୍ୟାବିନେଟ୍‌ ।  ୫୦ ବିଧାୟକଙ୍କୁ ଅଭିଜ୍ଞତା ଆଧାରରେ  ସରକାରୀ ବିଭାଗ ଜଗିବାକୁ ନବୀନ  ଦେଇଥିଲେ ଗୁରୁ ଦାୟିତ୍ୱ । ବରିଷ୍ଠ  ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଅର୍ଥ, ପ୍ରତାପ  ଦେବଙ୍କୁ ସାଧାରଣ ପ୍ରଶାସନ, ନିରଞ୍ଜନ  ପୂଜାରୀଙ୍କୁ ଗୃହ ଓ ଖାଦ୍ୟ ଯୋଗାଣ,  ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ରାଜସ୍ୱ,  ଅରୁଣ ସାହୁଙ୍କୁ ଜଳ ସମ୍ପଦ, ରାଜେନ୍ଦ୍ର  ଢୋଲକିଆଙ୍କୁ ସ୍କୁଲ ଓ ଗଣଶିକ୍ଷା ଭଳି  ବିଭାଗର ଦାୟିତ୍ୱ ଦେଇଥିଲେ ।  

ଏ ଛାୟା କ୍ୟାବିନେଟ୍‌କୁ ଦି’ ମାସ  ପରେ ବର୍ଷ ପୂରିବ । ହେଲେ ଗଠନ  ଦିନରୁ କ୍ୟାବିନେଟ୍‌ ହାତବାନ୍ଧି ବସିଛି ।  ବାହାର କଥା ଛାଡ଼ନ୍ତୁ, ବିଧାନସଭାରେ  ବି ଅନେକଙ୍କ ସ୍ୱର ଶୁଣିବାକୁ ମିଳିନି । ଏ  ସଂପର୍କରେ ଦଳର ଜଣେ ବରିଷ୍ଠ ବିଧାୟକ  ସ୍ୱୀକାର କରିଛନ୍ତି, ଛାୟା କ୍ୟାବିନେଟ୍‌ ଯେଉଁ  ଉଦ୍ଦେଶ୍ୟରେ ଗଢ଼ା ହୋଇଥିଲା ତାହାର  ଫଳ ମିଳିନି । ମାତ୍ର ଦଳର ସାଂଗଠନିକ  ଟିମ୍‌ ପ୍ରସ୍ତୁତ ହେଲାଣି । ଆଗକୁ ଆମେ  ରାଜ୍ୟବ୍ୟାପୀ ଜୋରଦାର କାର୍ଯ୍ୟକ୍ରମ  ହାତକୁ ନେବୁ । ସରକାରଙ୍କ ବିଫଳତା  ଲୋକଙ୍କୁ ଜଣାଇବୁ । 

ମୋହନ ସରକାର ନିଜର ପ୍ରଥମ  ବର୍ଷ ଭିତରେ ସୁଭଦ୍ରା, ଧାନ ଏମ୍‌ଏସ୍‌ପି  ଭଳି ପ୍ରତିଶ୍ରୁତି ପୂରଣ ସହ ମୁଖ୍ୟମନ୍ତ୍ରୀ  ଅଭିଯୋଗ ପ୍ରକୋଷ୍ଠକୁ ପୁନଃ କାର୍ଯ୍ୟକ୍ଷମ  କରିବାର ଉପଲବ୍ଧି ଘୂରିଘୂରି ପ୍ରଚାର  କରୁଛନ୍ତି । ହେଲେ ସରକାରଙ୍କ ତ୍ରୁଟି  ବିଚ୍ୟୁତି, ବିଫଳତା ଗଣାଇବାରେ  ବିରୋଧୀ ଦଳ ଫେଲ୍‌ ମାରିଛି । ନୂଆ  ସରକାର ବିଭିନ୍ନ ସଭାସମିତିରେ ପୂର୍ବ  ସରକାରଙ୍କ ବିଫଳତାକୁ ଅନେକ  ଥର ଲୋକଙ୍କ ସାମ୍ନାରେ ଉପସ୍ଥାପନ କରିଛନ୍ତି । ମାତ୍ର ଜବାବ ଦେବାକୁ ବି  ବିଜେଡି ନେତା ଥତମତ । କିଛି ମାସ  ତଳର ଦମଦାର ଦରବୃଦ୍ଧି ସମାବେଶକୁ  ଛାଡ଼ିଦେଲେ ଏଯାଏଁ ବିଜେଡି ମୁଖ୍ୟ  ବିରୋଧୀ ଦଳ ଭାବେ ସେଭଳି କିଛି  ବଡ଼ ପ୍ରଦର୍ଶନ ଦେଖାଇ ପାରିନି । ଆଇନ  ଶୃଙ୍ଖଳା ନେଇ ବିଜେଡି ମଝିରେ ମଝିରେ ସାମ୍ବାଦିକ ସମ୍ମିଳନୀ କରିବା ସହ ବିଭିନ୍ନ  କର୍ତ୍ତୃପକ୍ଷଙ୍କୁ ସ୍ମାରକପତ୍ର ଦେଇଛି । ମାତ୍ର  କୌଣସି ଗୋଟିଏ ପ୍ରସଙ୍ଗକୁ ଲୋକଙ୍କ  ପାଖକୁ ଟାଣି ନେଇପାରିନି ବିଜେଡି ।  କାଳେ ସରକାରୀ ଦଳର ପାଲଟା  ଆକ୍ରମଣ କରିବ, ସେଇ ଭୟରେ  ଅନେକ ପ୍ରସଙ୍ଗରେ ବିଜେଡି ନେତାଏ  ମୁହଁ ଖୋଲୁନାହାନ୍ତି ।  

ଛାମୁଆ ନେତା ଚୟନ ସରିନଥିବାରୁ  ଛାତ୍ର, ଯୁବ ଓ ମହିଳା କର୍ମକର୍ତ୍ତା ବି ହାତ  ବାନ୍ଧି ବସିଛନ୍ତି । ରାଜ୍ୟ କମିଟିରେ ବରିଷ୍ଠ  ଉପସଭାପତି, ଉପସଭାପତି, ବରିଷ୍ଠ  ସାଧାରଣ ସମ୍ପାଦକ, ସାଧାରଣ ସମ୍ପାଦକ  ନିଯୁକ୍ତ ସରିଛି । ହେଲେ ସମ୍ପାଦକ, ଯୁଗ୍ମ  ସମ୍ପାଦକ ନିଯୁକ୍ତି ସରିନି ।ସେଥିପାଇଁ ରାଜ୍ୟ  କମିଟି ପଦାଧିକାରୀ ବି ଚୁପ୍‌ । ଯେତିକି  ସାମ୍ମୁଖ୍ୟ ଓ ସେଲ୍‌ ଗଠନ ହୋଇଛି,  ସେମାନେ ବି ଚୁପ୍‌ ହୋଇ ବସିଛନ୍ତି । ଅନ୍ୟତମ ବିରୋଧୀ ଦଳ  କଂଗ୍ରେସ ଏଯାଏଁ ରାଜ୍ୟ କମିଟି ଗଠନ  କରିନଥିଲେ ମଧ୍ୟ ପିସିସି ସଭାପତି  ଭକ୍ତ ଦାସ ବିଭିନ୍ନ ଜିଲ୍ଲା ଗସ୍ତ କରି କାର୍ଯ୍ୟକ୍ରମ ଚଳାଇଛନ୍ତି । ହେଲେ  ବିଜେଡି ସଭାପତି ନବୀନ ପଟ୍ଟନାୟକ  କିମ୍ବା ଦଳର ଅନ୍ୟ କୌଣସି ନେତା  କର୍ମୀଙ୍କ ମନୋବଳ ବଢ଼ାଇବାକୁ ପଦାକୁ  ବାହାରୁ ନାହାନ୍ତି । ନୂଆ ସରକାରଙ୍କ ବର୍ଷ  ପୂର୍ତ୍ତି ନେଇ ମୁଖ୍ୟ ବିରୋଧୀ ଦଳ କି  ଆଭିମୁଖ୍ୟ ଓ ରଣନୀତି ଗ୍ରହଣକରିବ, ତାହା ଉପରେ ସଭିଙ୍କ ନଜର ଅଟକିଛି ।