ପ୍ରମୂଖ ଖବର
  • ଆଣ୍ଡାମାନ ଛୁଇଁଲା ମୌସୁମୀ ବାୟୁ, ଅଗ୍ରସର ହେବାକୁ ପାଗ ଅନୁକୂଳ
  • ||
  • ଆକର୍ଷଣୀୟ ହେବ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା, ରାଜସ୍ବ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ
  • ||
  • ସାଉଥ୍‌ ବ୍ଲକ୍‌ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମୀକ୍ଷା ବୈଠକ, CDS, ସେନା ମୁଖ୍ୟଙ୍କ ସହ ନୌସେନା ମୁଖ୍ୟ ମଧ୍ୟ ଉପସ୍ଥିତ
  • ||
  • ପ୍ରକାଶ ପାଇଲା ସିବିଏସ୍‌ସି ଯୁକ୍ତ ଦୁଇ ପରୀକ୍ଷା ଫଳ; ୮୮. ୩୯% ପାସ୍‌ହାର, ଝିଅଙ୍କୁ ଟପିଲେ ପୁଅ
  • ||
  • ନୂଆପଡ଼ା ଜିଲ୍ଲା ପଣ୍ଡରିପାଣି ଗାଁରେ ବାଘ ଆତଙ୍କ, ଗୁହାଲରେ ପଶି ଗାଈକୁ ଶିକାର କଲା
  • ||
  • ଜମ୍ମୁକାମୀର ସୋପିଆନରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ, ଏନ୍‌କାଉଣ୍ଟରରେ ଜଣେ ଆତଙ୍କୀ ନିହତ
  • ||
  • ପିପିଲିରେ ନାବାଳିକା ଦୁଷ୍କର୍ମ ଅଭିଯୋଗ, ଥାନାରେ ଫେରିବାଲା ଅଟକ
  • ||
  • ରାଜଧାନୀ ଭୁବନେଶ୍ବରରେ ‘ଆମ ବସ୍‌’ ସେବା ଠପ୍‌,ବିନା କାରଣରେ ଡ୍ରାଇଭର୍‌ ଓ କଣ୍ଡକ୍ଟର୍‌ଙ୍କୁ ମାଡ଼ ଅଭିଯୋଗରେ ଆନ୍ଦୋଳନ
  • ||
  • ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା, ଆଜି ଶେଷ ପର୍ଯ୍ୟାୟ ଶୁଣାଣି
  • ||
  • ରାୟାଗଡ଼ ଲୁଟେରାଙ୍କ ଆତଙ୍କ, ଘରେ ପଶି ଦମ୍ପତିଙ୍କୁ ଆକ୍ରମଣ କରି ଲୁଟ କଲେ ସୁନା ଓ ରୁପା ଅଳଙ୍କାର
  • ||
  • ଇଣ୍ଡିଗୋ ପରେ ୮ଟି ସହରକୁ ଉଡ଼ାଣ ବାତିଲ କଲା ଏୟାର ଇଣ୍ଡିଆ
  • ||
  • ରାଜଧାନୀରେ ଆତଙ୍କ। ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୮ ଦୁ‍ର୍ବୃତ୍ତ
  • ||
  • ମଙ୍ଗଳବାର ବାହାରିବ ସିବିଏସ୍‌ଇ ରେଜଲ୍ଟ ,ପୂର୍ବାହ୍ନରେ ଦଶମ ଶ୍ରେଣୀ ଓ ଅପରାହ୍ନରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି, ୧୬ ଯାଏ ଭୀଷଣ ଗରମ ଓ ଗୁଳୁଗୁଳି; ଆଜି ଆଣ୍ଡାମାନ ଛୁଇଁପାରେ ମୌସୁମୀ ବାୟୁ
  • ||

ବର୍ଷେ ପୂର୍ତ୍ତି ସଫଳତା ପ୍ରଚାର ପାଇଁ ବିଜେପି ସରକାରଙ୍କ ସଜବାଜ, କୁଆଡ଼େ ଗଲା ବିଜେଡିର ଛାୟା କ୍ୟାବିନେଟ୍‌

Published By : Prameya | May 13, 2025 11:50 AM

ଭୁବନେଶ୍ୱର,୧୩/୦୫: ମାସକ ପରେ ବିଜେପି ସରକାରକୁ ଏକ ବର୍ଷ ପୂରିବ । ସଫଳତା ଓ ଉପଲବ୍ଧି ପ୍ରଚାର  ପାଇଁ ସରକାର ସଜବାଜ ଚଳାଇଛନ୍ତି । ସବୁ ବିଭାଗ ଲାଗି ପଡ଼ିଛନ୍ତି ସଫଳତାର ତାଲିକା ଏବଂ ଭିଡିଓ ପ୍ରସ୍ତୁତିରେ । ବର୍ଷ ପୂର୍ତ୍ତି ଉତ୍ସବ ପାଇଁ ମନ୍ତ୍ରୀମାନେ ବି ରିପୋର୍ଟ କାର୍ଡ ପ୍ରସ୍ତୁତିରେ ବ୍ୟସ୍ତ । ଗୋଟିଏ ପଟେ ନୂଆ ସରକାର ପ୍ରଥମ ପୂର୍ତ୍ତି ଅବସରରେ ଲୋକଙ୍କ ପାଖରେ ନିଜ ସଫଳତା  ପହଞ୍ଚାଇବାକୁ ବିଭିନ୍ନ ଆୟୋଜନରେ  ଲାଗିଛନ୍ତି । ଅନ୍ୟପଟେ ହାତ ବାନ୍ଧି ବସିଛି ମୁଖ୍ୟ ବିରୋଧୀ ଦଳ ବିଜେଡି ।  ଦଳ ଯେମିତି ସୋସିଆଲ ମିଡିଆ ପୋଷ୍ଟ  ଓ ପ୍ରେସ ବିବୃତିରେ ଅଟକି ରହିଛି ।  ପଚାରିଲେ ବିଜେଡି ନେତାଏ କହୁଛନ୍ତି,  ଆମ ସାଂଗଠନିକ ଟିମ୍‌ ଗଠନ ଚାଲିଛି ।  ଟିମ୍‌ ପ୍ରସ୍ତୁତି ସରିଲେ ଆଗକୁ ବ୍ୟାପକ  କାର୍ଯ୍ୟକ୍ରମ ହେବ । 

୨୪ ବର୍ଷର ଶାସନ ଗାଦିରୁ  ହଟିଥିଲେ ବି ବିଜେଡିକୁ ଓଡ଼ିଶାର  ଭୋଟରମାନେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ  ଦେଇଛନ୍ତି । ୫୧ ବିଧାୟକ ଆସନ  ସହ ବିଜେଡିକୁ ମୁଖ୍ୟ ବିରୋଧୀ ଦଳ  ଆସନରେ ବସାଇଛନ୍ତି ରାଜ୍ୟବାସୀ ।  ମାତ୍ର ମୁଖ୍ୟ ବିରୋଧୀ ଦଳ ଭାବେ  ସେଭଳି ଦମଦାର ପ୍ରଦର୍ଶନ  ଦେଖାଇପାରୁନି ବିଜେଡି । ବିଧାନସଭା  ଭିତରେ ମାନ୍ଦା, ବାହାରେ ବି ପୂରା  ଶିଥିଳ । ବିଜୁବାବୁଙ୍କ ଜୟନ୍ତୀ ଓ ଶ୍ରାଦ୍ଧ  ଦିବସକୁ ଛାଡ଼ିଦେଲେ ନିକଟ ଅତୀତରେ  ବିଜେଡି ପକ୍ଷରୁ ସେଭଳି କାର୍ଯ୍ୟକ୍ରମ  ଦେଖିବାକୁ ମିଳିନି । ରାଜନୈତିକ  କାର୍ଯ୍ୟକ୍ରମ ଯେମିତି ଶୂନ ହୋଇଗଲାଣି । 

 ସବୁଠାରୁ ବଡ଼ କଥା ହେଲା, ୨୪ ବର୍ଷ  ସରକାର ଚଳାଇଥିବାର ଅଭିଜ୍ଞତା ଧରି  ନୂଆ ସରକାର ଉପରେ ନଜର ରଖିବାକୁ  ନବୀନ ଗଢ଼ିଥିଲେ ଛାୟା କ୍ୟାବିନେଟ୍‌ ।  ୫୦ ବିଧାୟକଙ୍କୁ ଅଭିଜ୍ଞତା ଆଧାରରେ  ସରକାରୀ ବିଭାଗ ଜଗିବାକୁ ନବୀନ  ଦେଇଥିଲେ ଗୁରୁ ଦାୟିତ୍ୱ । ବରିଷ୍ଠ  ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଅର୍ଥ, ପ୍ରତାପ  ଦେବଙ୍କୁ ସାଧାରଣ ପ୍ରଶାସନ, ନିରଞ୍ଜନ  ପୂଜାରୀଙ୍କୁ ଗୃହ ଓ ଖାଦ୍ୟ ଯୋଗାଣ,  ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ରାଜସ୍ୱ,  ଅରୁଣ ସାହୁଙ୍କୁ ଜଳ ସମ୍ପଦ, ରାଜେନ୍ଦ୍ର  ଢୋଲକିଆଙ୍କୁ ସ୍କୁଲ ଓ ଗଣଶିକ୍ଷା ଭଳି  ବିଭାଗର ଦାୟିତ୍ୱ ଦେଇଥିଲେ ।  

ଏ ଛାୟା କ୍ୟାବିନେଟ୍‌କୁ ଦି’ ମାସ  ପରେ ବର୍ଷ ପୂରିବ । ହେଲେ ଗଠନ  ଦିନରୁ କ୍ୟାବିନେଟ୍‌ ହାତବାନ୍ଧି ବସିଛି ।  ବାହାର କଥା ଛାଡ଼ନ୍ତୁ, ବିଧାନସଭାରେ  ବି ଅନେକଙ୍କ ସ୍ୱର ଶୁଣିବାକୁ ମିଳିନି । ଏ  ସଂପର୍କରେ ଦଳର ଜଣେ ବରିଷ୍ଠ ବିଧାୟକ  ସ୍ୱୀକାର କରିଛନ୍ତି, ଛାୟା କ୍ୟାବିନେଟ୍‌ ଯେଉଁ  ଉଦ୍ଦେଶ୍ୟରେ ଗଢ଼ା ହୋଇଥିଲା ତାହାର  ଫଳ ମିଳିନି । ମାତ୍ର ଦଳର ସାଂଗଠନିକ  ଟିମ୍‌ ପ୍ରସ୍ତୁତ ହେଲାଣି । ଆଗକୁ ଆମେ  ରାଜ୍ୟବ୍ୟାପୀ ଜୋରଦାର କାର୍ଯ୍ୟକ୍ରମ  ହାତକୁ ନେବୁ । ସରକାରଙ୍କ ବିଫଳତା  ଲୋକଙ୍କୁ ଜଣାଇବୁ । 

ମୋହନ ସରକାର ନିଜର ପ୍ରଥମ  ବର୍ଷ ଭିତରେ ସୁଭଦ୍ରା, ଧାନ ଏମ୍‌ଏସ୍‌ପି  ଭଳି ପ୍ରତିଶ୍ରୁତି ପୂରଣ ସହ ମୁଖ୍ୟମନ୍ତ୍ରୀ  ଅଭିଯୋଗ ପ୍ରକୋଷ୍ଠକୁ ପୁନଃ କାର୍ଯ୍ୟକ୍ଷମ  କରିବାର ଉପଲବ୍ଧି ଘୂରିଘୂରି ପ୍ରଚାର  କରୁଛନ୍ତି । ହେଲେ ସରକାରଙ୍କ ତ୍ରୁଟି  ବିଚ୍ୟୁତି, ବିଫଳତା ଗଣାଇବାରେ  ବିରୋଧୀ ଦଳ ଫେଲ୍‌ ମାରିଛି । ନୂଆ  ସରକାର ବିଭିନ୍ନ ସଭାସମିତିରେ ପୂର୍ବ  ସରକାରଙ୍କ ବିଫଳତାକୁ ଅନେକ  ଥର ଲୋକଙ୍କ ସାମ୍ନାରେ ଉପସ୍ଥାପନ କରିଛନ୍ତି । ମାତ୍ର ଜବାବ ଦେବାକୁ ବି  ବିଜେଡି ନେତା ଥତମତ । କିଛି ମାସ  ତଳର ଦମଦାର ଦରବୃଦ୍ଧି ସମାବେଶକୁ  ଛାଡ଼ିଦେଲେ ଏଯାଏଁ ବିଜେଡି ମୁଖ୍ୟ  ବିରୋଧୀ ଦଳ ଭାବେ ସେଭଳି କିଛି  ବଡ଼ ପ୍ରଦର୍ଶନ ଦେଖାଇ ପାରିନି । ଆଇନ  ଶୃଙ୍ଖଳା ନେଇ ବିଜେଡି ମଝିରେ ମଝିରେ ସାମ୍ବାଦିକ ସମ୍ମିଳନୀ କରିବା ସହ ବିଭିନ୍ନ  କର୍ତ୍ତୃପକ୍ଷଙ୍କୁ ସ୍ମାରକପତ୍ର ଦେଇଛି । ମାତ୍ର  କୌଣସି ଗୋଟିଏ ପ୍ରସଙ୍ଗକୁ ଲୋକଙ୍କ  ପାଖକୁ ଟାଣି ନେଇପାରିନି ବିଜେଡି ।  କାଳେ ସରକାରୀ ଦଳର ପାଲଟା  ଆକ୍ରମଣ କରିବ, ସେଇ ଭୟରେ  ଅନେକ ପ୍ରସଙ୍ଗରେ ବିଜେଡି ନେତାଏ  ମୁହଁ ଖୋଲୁନାହାନ୍ତି ।  

ଛାମୁଆ ନେତା ଚୟନ ସରିନଥିବାରୁ  ଛାତ୍ର, ଯୁବ ଓ ମହିଳା କର୍ମକର୍ତ୍ତା ବି ହାତ  ବାନ୍ଧି ବସିଛନ୍ତି । ରାଜ୍ୟ କମିଟିରେ ବରିଷ୍ଠ  ଉପସଭାପତି, ଉପସଭାପତି, ବରିଷ୍ଠ  ସାଧାରଣ ସମ୍ପାଦକ, ସାଧାରଣ ସମ୍ପାଦକ  ନିଯୁକ୍ତ ସରିଛି । ହେଲେ ସମ୍ପାଦକ, ଯୁଗ୍ମ  ସମ୍ପାଦକ ନିଯୁକ୍ତି ସରିନି ।ସେଥିପାଇଁ ରାଜ୍ୟ  କମିଟି ପଦାଧିକାରୀ ବି ଚୁପ୍‌ । ଯେତିକି  ସାମ୍ମୁଖ୍ୟ ଓ ସେଲ୍‌ ଗଠନ ହୋଇଛି,  ସେମାନେ ବି ଚୁପ୍‌ ହୋଇ ବସିଛନ୍ତି । ଅନ୍ୟତମ ବିରୋଧୀ ଦଳ  କଂଗ୍ରେସ ଏଯାଏଁ ରାଜ୍ୟ କମିଟି ଗଠନ  କରିନଥିଲେ ମଧ୍ୟ ପିସିସି ସଭାପତି  ଭକ୍ତ ଦାସ ବିଭିନ୍ନ ଜିଲ୍ଲା ଗସ୍ତ କରି କାର୍ଯ୍ୟକ୍ରମ ଚଳାଇଛନ୍ତି । ହେଲେ  ବିଜେଡି ସଭାପତି ନବୀନ ପଟ୍ଟନାୟକ  କିମ୍ବା ଦଳର ଅନ୍ୟ କୌଣସି ନେତା  କର୍ମୀଙ୍କ ମନୋବଳ ବଢ଼ାଇବାକୁ ପଦାକୁ  ବାହାରୁ ନାହାନ୍ତି । ନୂଆ ସରକାରଙ୍କ ବର୍ଷ  ପୂର୍ତ୍ତି ନେଇ ମୁଖ୍ୟ ବିରୋଧୀ ଦଳ କି  ଆଭିମୁଖ୍ୟ ଓ ରଣନୀତି ଗ୍ରହଣକରିବ, ତାହା ଉପରେ ସଭିଙ୍କ ନଜର ଅଟକିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.