ଭୁବନେଶ୍ୱର, ୨୪/୧୧: ଆସନ୍ତା ୨୬ରୁ ବିଧାନସଭା ଅଧିବେଶନ  ଆରମ୍ଭ ହେବ । ତା’ ପୂର୍ବରୁ ୨୫ ତାରିଖ  ଅପରାହ୍ନ ୫ଟାରେ ଶଙ୍ଖ ଭବନରେ  ବିଜେଡିର ବିଧାୟକ ଦଳ ବୈଠକ  ଅନୁଷ୍ଠିତ ହେବ । ବିଧାନସଭାରେ ଦଳର  ଭୂମିକା କ'ଣ ରହିବ, ସେ ସମ୍ପର୍କରେ  ବରିଷ୍ଠ ବିଧାୟକମାନେ ଦଳର ରଣନୀତି  ନେଇ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ କରିଛନ୍ତି । ଏ  ବାବଦରେ ପ୍ରାକ୍‌ ଆଲୋଚନା ହୋଇଛି ।  

ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ  ଘେରିବାକୁ ଦଳ ସଜବାଜ ହେଉଛି ।  ବିଶେଷ କରି ଆମ୍ୱଟାକୁଆ ଜାଉ ଖାଇ  ମୃତ୍ୟୁ, ରାୟଗଡ଼ା ଓ ଖପ୍ରାଖାଲରେ ଶିଶୁ  ବିକ୍ରି, ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ  ଦରଦାମ ବୃଦ୍ଧି, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା,  ବାତ୍ୟା ସମୟରେ ପରିଚାଳନାରେ ତ୍ରୁଟି  ପ୍ରମୁଖ ପ୍ରସଙ୍ଗ ଗୃହରେ ଉଠାଇବାକୁ  ବିଜେଡି ରଣନୀତି ପ୍ରସ୍ତୁତ କରିଛି ।  ଆଲୋଚନାର ନିର୍ଯ୍ୟାସକୁ ବିଜେଡି  ସଭାପତି ତଥା ବିରାଧୀ ଦଳ ନେତା  ନବୀନ ପଟ୍ଟନାୟକଙ୍କୁ ଅବଗତ କରାଯିବ ।  ଏହା ପରେ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ହେବ  ବୋଲି ବରିଷ୍ଠ ବିଜେଡି ବିଧାୟକ ଡ.  ଅରୁଣ କୁମାର ସାହୁ ସୂଚନା ଦେଇଛନ୍ତି ।  ଆଗକୁ ଜୋରଦାର ଲଢ଼େଇ ହେବ  ବୋଲି ସେ ରଣହୁଙ୍କାର ଦେଇଛନ୍ତି।