ବରଗଡ,୧୮/୦୮: ବରଗଡ଼ରେ ବିଜୁ ଜନତା ଦଳ ତରଫରୁ ଏକ ବିରାଟ ଚାଷୀ ସମାବେଶ ଅନୁଷ୍ଠିତ । ବରଗଡ଼ ଜିଲ୍ଲାରେ ହୋଇଥିବା ବିକ୍ଷୋଭ ସମାବେଶରେ କଳାହାଣ୍ଡି, ସମ୍ବଲପୁର, ବରଗଡ, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ଼ ନୂଆପଡା ଜିଲ୍ଲାରୁ ଚାଷୀ ପ୍ରତିନିଧିମାନେ ସାମିଲ ହୋଇଛନ୍ତି l ବରଗଡ଼ ଗଣେଷ ରାମ ଭବନରୁ ଏକ ବିଶାଳ ରାଲିରେ ବାହାରି ଗାନ୍ଧି ଛକରେ ପହଂଚି ଥିଲା l ଜିଲ୍ଲା ସଭାପତି ସୁଶାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିବାଦ ସଭା ହୋଇଥିଲା l ପଶ୍ଚିମ ଓଡ଼ିଶା ସମେତ ରାଜ୍ୟସ୍ତରରୁ ଆସିଥିବା ନେତାମାନେ ଉଦବୋଧନ ଦେଇ ବିଜେପି ସରକାରଙ୍କ ଚାଷୀ ମାରଣ ନୀତିକୁ ଘୋର ନିନ୍ଦା କରିଥିଲେ l
ଏହାପରେ ବିଜେଡି ନେତୃତ୍ବ ବୃନ୍ଦ ଜିଲ୍ଲାପାଳ ଅଫିସକୁ ଯାଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ l ଜିଲ୍ଲାପାଳ ଆଦିତ୍ୟ ଗୋୟଲ ତାକୁ ଗ୍ରହଣ କରି ରାଷ୍ଟ୍ରପତିଙ୍କ ନିକଟରୁ ପଠାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ଆନ୍ଦୋଳନରେ ବିଧାନସଭା ବିରୋଧି ଦଳ ଉପନେତା ପ୍ରଶନ୍ନ ଅଚାର୍ଯ୍ୟଙ୍କ ସମେତ ପ୍ରତାପ ଜେନା, ଦିବ୍ୟ ମିଶ୍ର, ନଳିନୀ ପ୍ରଧାନ, ରୋହିତ ପୂଜାରୀ, ନିରଞ୍ଜନ ପୂଜାରୀ, ଟୁକୁନି ସାହୁ, ଯୋଗେଶ ସିଂ, ସାଗର ଦାସ, ସରୋଜ ମେହେର, ବର୍ଷା ବରିହା, ରିତା ସାହୁ, ସ୍ନେହାଙ୍ଗିନୀ ଛୁରିଆ, ଦେବେଶ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ l ଏହି ଅବସରରେ ଆଜି ବିଭିନ୍ନ ଜିଲ୍ଲାର ସଭାପତି, ଛାତ୍ର ଓ ଯୁବ ସଭାପତି, ମହିଳା ମୋର୍ଚ୍ଚା ସଭାପତି, ବିଭିନ୍ନ ଛାମୁଆ ସଂଗଠନର ସଭାପତିମାନଙ୍କ ସମେତ ସମଗ୍ର ପଶ୍ଚିମ ଓଡିଶାରୁ ୧୦ହଜାରରୁ ଅଧିକ ଚାଷୀ ଓ କର୍ମୀମାନେ ଉପସ୍ଥିତ ହୋଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତିରେ ଘୋର୍ ସମାଲୋଚନା କରିଥିଲେ l
ସେପଟେ ବିଶାଳ ସମାବେଶକୁ ଦୃଷ୍ଟିରେ ରଖି ପୁଲିସ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ମୋଟ୍ ୧୬ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ବେଳେ ବିଭିନ୍ନ ଛକ ଓ ଅଫିସରେ ଓଏଏସଙ୍କୁ ମାଜିଷ୍ଟ୍ରେଟ ଭାବେ ନିଯୁକ୍ତି ଦିଆଯାଇଥିଲା l ଏସପି ପ୍ରହଲ୍ଲାଦ ସାହାଇ ମିନା ଆଇନ ଶୃଙ୍ଖଳା ପରିସ୍ଥିତିକୁ ସଜାଗ ଥିବା ବେଳେ ଆଇଜି ହିମାଂଶୁ ଲାଲ୍ ସମାବେଶ ସ୍ଥଳରେ ଉପସ୍ଥିତ ରହି ସ୍ଥିତି ସମୀକ୍ଷା କରିଥିଲେ l ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ସମାପ୍ତ ହୋଇଥିଲେବି ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଇ ବିଜେଡି ନେତା କର୍ମୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।