ପ୍ରମୂଖ ଖବର
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଓଡ଼ିଶା ଦିବସରେ ବିଜେଡିର ନୂଆ ଟିମ୍‌, ବଡ଼ ପଦ ହାତେଇବାକୁ ଓଜନିଆ ନେତାଙ୍କ ଲବି

Published By : Prameya | February 28, 2025 11:27 AM

ଭୁବନେଶ୍ୱର,୨୮/୦୨: ବଳୁଆ  ହେବ ସଂଗଠନ । ତୃଣମୂଳସ୍ତରରୁ ଦଳକୁ  ଅଧିକ ସଂଗଠିତ ଓ ସଶକ୍ତ କରିବାକୁ  ତେଜିଛି ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ।  ସପ୍ତାହକ ଭିତରେ ଘୋଷଣା ହେବ  ବିଜେଡି ବ୍ଳକ ସଭାପତିଙ୍କ ନାମ । ୧୫  ସୁଦ୍ଧା ଜିଲ୍ଲା ସଭାପତି । ତା’ପଛକୁ ଆସିବ ରାଜ୍ୟ ପରିଷଦ ତାଲିକା । ସମ୍ଭବତଃ ମାର୍ଚ୍ଚ  ଶେଷ ସୁଦ୍ଧା ସମସ୍ତ ନିର୍ବାଚନ ପ୍ରକ୍ରିୟା  ସରିବ । ଆସନ୍ତା ଏପ୍ରିଲ ପହିଲା ଓଡ଼ିଶା  ଦିବସରେ ବିଜେଡିର ନବକଳେବର  ସହ ନବୀନଙ୍କ ନୂଆ ଟିମ୍‌ ଘୋଷଣା  ହୋଇପାରେ । 

୨୦୨୪ର ବଡ଼ ବିପର୍ଯ୍ୟୟ ପରେ ଦଳକୁ ଆଉ ଥରେ ନୂଆ ରୂପରେ  ଛିଡ଼ା କରିବାକୁ ବିଜେଡି ସଭାପତି  ନବୀନ ପଟ୍ଟନାୟକ ପୂରା ଦମ୍‌ରେ ଲାଗି  ପଡ଼ିଛନ୍ତି । ନବୀନଙ୍କ ଆଗରେ ବଡ଼  ଆହ୍ୱାନ- ସାଂଗଠନିକ ଟିମ୍‌କୁ କିଭଳି  ନୂଆ ରୂପରେଖ ଦେବେ? କେଉଁ  ନେତାଙ୍କୁ କି ଭୂମିକା ମିଳିବ, ତାହା  ଉପରେ ଏବେ ସଭିଙ୍କ ନଜର । ବଡ଼ କଥା  ହେଲା, ଏଥର ବିଜେଡିରେ ସାଂଗଠନିକ  ସମ୍ପାଦକ ପଦବି ରହିବ କି ନାହିଁ? ସୂତ୍ର ଅନୁସାରେ ଏଭଳି କୌଣସି ପଦବି  ଆଉ ରଖିବେନି ନବୀନ । ସଂଗଠନରେ  ନବୀନ ହିଁ ୧ ନମ୍ବର ପଦରେ ରହିବେ ।  ସଂଗଠନରେ କୌଣସି ୨ ନମ୍ବର  ପଦ ରହିବନି । ପୂର୍ବତନ ସାଂଗଠନିକ  ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି)  ନିର୍ବାଚନ ପରଠାରୁ ପ୍ରାୟତଃ ନିରବତା ଅବଲମ୍ବନ କରୁଛନ୍ତି । ଦଳରେ ତାଙ୍କ  ପୂର୍ବ ପତିଆରା କଟିଛି । ଏବେ ବବିଙ୍କୁ  ସଂଗଠନରେ ନବୀନ କି ଦାୟିତ୍ୱ ଓ ପଦ  ଦେବେ, ତାହା ଦଳ ଭିତରେ ଓ ବାହାରେ  ଆଲୋଚନର ବିଷୟ। 

ଜିତିଥିବା ଓ ହାରିଥିବା ଦଳର ବରିଷ୍ଠ  ଏବଂ ଅନୁଭବୀ ନେତାଙ୍କ ଭିତରେ ନବୀନ  କାହାକୁ ଓଜନିଆ ପଦପଦବି ଦେବେ,  ସେଥିପାଇଁ ସେ ଢେର କସରତ କରୁଛନ୍ତି ।  ଦଳୀୟ ସଂଗଠନରେ ତାଳମେଳ  ରଖିବା ଓ ପଦ ପଦବିରେ ଠିକଣା  ନେତାଙ୍କୁ ଦାୟିତ୍ୱ ଦେବା ନବୀନଙ୍କ ପାଇଁ ବଡ଼ ଚାଲେଞ୍ଜ । ଗୋଟିଏ ପଟେ ଦେବୀ  ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ରଣେନ୍ଦ୍ର ପ୍ରତାପ  ସ୍ୱାଇଁ, ବିକ୍ରମ ଆରୁଖ, ଚନ୍ଦ୍ରଶେଖର ସାହୁ,  ଅଶୋକ ପଣ୍ଡାଙ୍କ ଭଳି ବରିଷ୍ଠ ନେତାଙ୍କୁ  ସଂଗଠନରେ ବଡ଼ ଭୂମିକା ଦେବାର  ଆହ୍ୱାନ ନବୀନଙ୍କ ସାମ୍ନାରେ ରହିଛି ।  ଅନ୍ୟପଟେ ସଞ୍ଜୟ ଦାସବର୍ମା, ଅରୁଣ  ସାହୁ, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ  ଜେନା, ଦେବାଶିଷ ସାମନ୍ତରାୟଙ୍କ ଭଳି  ଟାଣୁଆ ନେତାଙ୍କ ଭିତରେ ସମନ୍ୱୟ ରକ୍ଷା କରି ଶୃଙ୍ଖଳିତ ସାଂଗଠନିକ ଟିମ୍‌ ଗଢ଼ିବା  ମଧ୍ୟ ନବୀନଙ୍କ ମୁଣ୍ଡବ୍ୟଥା ବଢ଼ାଇଛି ।  ନବୀନ ପାଦେ ଆଗକୁ ଗଲେ, ପାଦେ  ପଛକୁ ଫେରୁଛନ୍ତି । 

ସୂତ୍ର ଅନୁସାରେ  ଏଥର ନବୀନ ଏକ ରାଜନୈତିକ  ବ୍ୟାପାର କମିଟି ଗଢ଼ିପାରନ୍ତି । ଏହି  କମିଟିରେ ଦଳର ବରିଷ୍ଠ ଓ ସାଂଗଠନିକ  ଦକ୍ଷତା ଥିବା ନେତାମାନଙ୍କ ଭିତରେ  ଦାୟିତ୍ୱ ବଣ୍ଟାଯିବ । ସଂଗଠନରେ ବଡ଼ ପଦ  ହାତେଇବାକୁ ବଡ଼ ନେତାମାନେ ବାରମ୍ବାର  ନବୀନ ନିବାସ ଧାଉଁଛନ୍ତି । ନିଜ ଲବିକୁ  ଜୋରଦାର କରୁଛନ୍ତି । କିଏ ବିଧାନସଭାର  ନିଜ ପ୍ରଦର୍ଶନ କଥା କହୁଛି, ଆଉ କିଏ  ନିଜ ପୁରୁଣା ରିପୋର୍ଟ କାର୍ଡକୁ ଦେଖାଉଛି । 

ବିଭିନ୍ନ ନିର୍ବାଚନମଣ୍ଡଳୀ ଓ  ଜିଲ୍ଲାସ୍ତରରେ ବି ନବୀନଙ୍କ ପାଇଁ ଅନେକ  ଅଡ଼ୁଆ ସ୍ଥିତି ଲାଗି ରହିଛି । ଜିଲ୍ଲା ଓ  ନିର୍ବାଚନମଣ୍ଡଳୀ ସ୍ତରରେ ସଂଗଠନର  ମଙ୍ଗ ଧରିବାକୁ ବହୁ ନେତା ଆଶାୟୀ  ଅଛନ୍ତି । ଦଳୀୟ ନେତାଙ୍କ ମଧ୍ୟରେ  ଛକାପଞ୍ଝା, ବାଦବିବାଦ ଏତେ ଯେ  ଅସନ୍ତୋଷ ଖୋଲାଖୋଲି ଦାଣ୍ଡରେ  ପଡ଼ି ହାଟରେ ଗଡ଼ୁଛି । ଏମିତିରେ  ଜିଲ୍ଲା ସଭାପତିଙ୍କ ନାମ ଘୋଷଣା ପରେ  ଅସନ୍ତୋଷ ଉଗ୍ର ରୂପ ନେଇପାରେ । ଏ ଭୟ ମଧ୍ୟ ବିଜେଡି ସୁପ୍ରିମୋଙ୍କୁ  ଗୋଡ଼ାଉଛି । ବିଭିନ୍ନ ଜିଲ୍ଲାରେ ବହୁ ନେତା  ସଂଗଠନରେ ବଡ଼ ପଦ ନେବାକୁ ଗୋଡ଼  ଟେକି ବସିଛନ୍ତି । କଟକ, ଜଗତସିଂହପୁର,  ବାଲେଶ୍ୱର, ନବରଙ୍ଗପୁର, ଗଞ୍ଜାମ,  ପୁରୀ, ମୟୂରଭଞ୍ଜ, ଭୁବନେଶ୍ୱର ସମେତ  ବିଭିନ୍ନ ଜିଲ୍ଲାରେ ଏଭଳି ବିବାଦ ରହିଛି ।  ତାକୁ ତୁଟାଇବାକୁ ନବୀନ ନିବାସରୁ କିଛି ନେତାଙ୍କୁ ଡକରା ମଧ୍ୟ ଯାଉଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.