ଭୁବନେଶ୍ୱର,୨୯ ।୧(ବ୍ୟୁରୋ): ସାଲେପୁର କୁଳିଆରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ସମାଲୋଚନା କରିଥିଲା ବେଳେ ପ୍ରତିଜବାବ ରଖିଛି ବିଜେଡି । ବିଜେଡି ମୁଖପାତ୍ର ଡ.ସସ୍ମିତ ପାତ୍ର କହିଛନ୍ତି, ବିଜେପି କର୍ମକର୍ତ୍ତାଙ୍କ ମନୋବଳ ଦୁର୍ବଳ ଅବସ୍ଥାରେ ଥିବାରୁ ଶାହଙ୍କ ଭାଷଣ କେବଳ ଉତ୍ସାହ ଭରିବାକୁ ଉଦ୍ଦିଷ୍ଟ ଥିଲା । ଆମେ ଆଶା କରୁଥିଲୁ ଶାହ ଓଡ଼ିଶାର ଦାବି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ଧାନର ଏମଏସପି କୁଇଣ୍ଟାଲ ପିଛା ୨୯୩୦ ଟଙ୍କା ସହ ଅନୁସୂଚିତ ଜାତି ପିଲାଙ୍କ ଛାତ୍ରବୃତ୍ତି ନେଇ କିଛି କହିବେ । ମାତ୍ର ଏସବୁ ରାଜ୍ୟ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ ଶାହ କାହିଁକି ଚୁପ୍ ରହିଲେ? ଓଡ଼ିଶାବାସୀ ନବୀନଙ୍କୁ ପୁଣି ୫ମ ପାଳି ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ କରିବେ । ବିଜେପି ଓ ଶାହ ମୁଖ୍ୟମନ୍ତ୍ରୀ ପଦରେ ପୁଣି ନବୀନଙ୍କୁ ଦେଖିବାକୁ ମାନସିକ ପ୍ରସ୍ତୁତି ଆରମ୍ଭ କରନ୍ତୁ ।
ଡ.ପାତ୍ର ଦର୍ଶାଇଛନ୍ତି, କଂଗ୍ରେସ କହୁଛି ବିଜେଡି-ବିଜେପି ବୁଝାମଣା ଅଛି । ବିଜେପି କହୁଛି ବିଜେଡି-କଂଗ୍ରେସ ସଂପର୍କ ରହିଛି । ଏହା ଅତ୍ୟନ୍ତ ହାସ୍ୟାସ୍ପଦ । ଆମର ଏ ଦୁଇ ଦଳ ସହ କିଛି ବୁଝାମଣା ନାହିଁ । ଓଡ଼ିଶାବାସୀଙ୍କ ସହ କେବଳ ବିଜେଡିର ମେଣ୍ଟ ରହିଛି । ମୁଖ୍ୟମନ୍ତ୍ରୀ ସଭାକୁ ଲକ୍ଷାଧିକ ଲୋକ ଆସୁଥିବାରୁ ବିଜେପି ଭୟରେ ଛାନିଆ ହୋଇପଡ଼ିଛି । ଓଡ଼ିଶା ବିକାଶ ରାସ୍ତାରେ ଚାଲୁଛି । କେନ୍ଦ୍ର ସରକାର ତେଣୁ ରାଜ୍ୟକୁ ଗୋଟିଏ ପରେ ଗୋଟିଏ ପୁରସ୍କାର ଦେଉଛି । ଓଡ଼ିଶା ୨୦ ଲକ୍ଷ ଗୃହ ନିର୍ମାଣ କରିଥିଲା ବେଳେ ୪୧ ହଜାର କିମି ଗ୍ରାମ୍ୟ ରାସ୍ତା ନିର୍ମାଣ କରିପାରିଛି । ୯ ଲକ୍ଷ ଯୁବକଯୁବତୀଙ୍କୁ ଦକ୍ଷତା ବିକାଶ ତାଲିମ ପ୍ରଦାନ ସହ ୨୫% ଗରିବୀ ହଟାଇବାରେ ରାଜ୍ୟ ସରକାର ସଳ ହୋଇଛନ୍ତି । ସେହିଭଳି ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଠାରେ ସମୀକ୍ଷା କରି କେନ୍ଦ୍ର ବାକି ରଖିଥିବା ୬୪୦୦ କୋଟି ଟଙ୍କା ମାଗିଛନ୍ତି । ଓଡ଼ିଶାରେ ପାନୀୟ ଜଳ ବାବଦକୁ ରାଜ୍ୟ ସରକାର ନିଜର ବଜେଟରୁ ୩୦୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । କେନ୍ଦ୍ର ସରକାର ମାତ୍ର ୧୮୦ କୋଟି ଟଙ୍କା ଏ ବାବଦରେ ମଞ୍ଜୁରୀ କରିଛନ୍ତି ଓ ସେଥିରୁ କେବଳ ୮୦ କୋଟି ଟଙ୍କା ଆଜି ପର୍ଯ୍ୟନ୍ତ ଓଡ଼ିଶା ପାଇଛି । ସ୍ମାର୍ଟସିଟି ଦାରଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାର ରାଜ୍ୟକୁ ୨୦୦ କୋଟି ଟଙ୍କା ଦେବା କଥା, କିନ୍ତୁ ଆଜି ପର୍ଯ୍ୟନ୍ତ ଓଡ଼ିଶାକୁ କେବଳ ୬ କୋଟି ଟଙ୍କା ଦେଇଛନ୍ତି । ମହାନଦୀ, ପୋଲାଭରମ୍, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ଗୁଣ ବୃଦ୍ଧି, ୩୩ଟି ଯୋଜନାର ଅର୍ଥକାଟ୍ ଏବଂ ଆଇଏପି, ବିଆରଜିଏ୍ ଓ କେବିକେ ଯୋଜନା ଭଳି ୮ଟି ଯୋଜନାକୁ ବନ୍ଦ କରିବା ଆଦି ପ୍ରସଂଗ ଗୁଡିକ ପ୍ରାଞ୍ଜଳ ଭାବରେ ବିଜେପିର ଓଡ଼ିଶା ବିରୋଧୀ ନୀତିକୁ ପ୍ରକାଶିତ କରୁଛି ବୋଲି ମୁଖପାତ୍ର ଡ. ପାତ୍ର କହିଛନ୍ତି ।

ଅଚଳାଚଳ ସମ୍ପତ୍ତିର ମାଲିକ ତେଲେଙ୍ଗାନାର ନୂଆ ମୁଖ୍ୟମନ...