ସାଧୁତା ବିଜେପି ମୁହଁରେ ଶୋଭାପାଉନି: ବିଜେଡି

source:http: www.pragativadi.com
ଭୁବନେଶ୍ୱର,୨୪ା୧(ବ୍ୟୁରୋ): ବିଜେପି ହିଁ ଅସାଧୁ ମେଣ୍ଟ କରିଛି । ତେଣୁ ବିଜେପି ମୁହଁରୁ ନୈତିକତା ଓ ସାଧୁତା ବାଣୀ ଶୋଭା ପାଉନି ବୋଲି ବିଜେଡି କହିଛି ।
ନବ ଦାସ ବିଜେଡିରେ ଯୋଗ ଦେବା ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରଖିଥିବା ମନ୍ତବ୍ୟ ଉପରେ ବିଜେଡି କଡ଼ା ପ୍ରତିକ୍ରିୟା ରଖିଛି । ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନା କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ବକ୍ତବ୍ୟ ତାଙ୍କର ହତାଶା, ନିରାଶା ଓ ଭୟକୁ ପ୍ରକାଶ କରୁଛି । ନବ ଦାସ ଜଣେ ଦକ୍ଷ ନେତା । ହେଲେ ବିଜେଡିରେ ଶ୍ରୀ ଦାସଙ୍କ ଯୋଗଦାନକୁ କେନ୍ଦ୍ର ମନ୍ତ୍ରୀ ଅସାଧୁ ମେଣ୍ଟ କହିବା ଠିକ୍ ନୁହେଁ । ଏହା କେନ୍ଦ୍ରମନ୍ତ୍ରୀଙ୍କ ନୈତିକତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।
ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରି ପ୍ରତାପ କହିଛନ୍ତି, ଅତୀତରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଗ୍ୟାଙ୍ଗଷ୍ଟର ଧଳସାମନ୍ତଙ୍କୁ ବାରମ୍ବାର ପ୍ରଶଂସା କରିଥିଲେ । ଗ୍ୟାଙ୍ଗଷ୍ଟର ଟିଟୋକୁ ଦୁଇ ଦୁଇଟି ପେଟ୍ରୋଲ ପମ୍ପ ଆବଣ୍ଟନ କରିବାର ମଧ୍ୟ ନଜିର ରହିଛି । ଏଭଳି ସ୍ଥିତରେ ତାଙ୍କ ମୁହଁରୁ ସାଧୁତାର ବାଣୀ ଶୋଭା ପାଏନାହିଁ ବୋଲି ପ୍ରତାପ କହିଛନ୍ତି ।
ସେହିପରି ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରେସ ବିବୃତି ନେଇ ବିଜେଡି ଜବାବ ରଖିଛି । ବିଜେଡି ମୁଖପାତ୍ର ସୁଲତା ଦେଓ କହିଛନ୍ତି, ଅପରାଜିତାଙ୍କ ଅଭିଯୋଗ ଭିତ୍ତିହୀନ । କେନ୍ଦ୍ର ସରକାରଙ୍କ ପ୍ରଶାସକ ଭାବେ ଅପରାଜିତା ମନରେଗା ଯୋଜନାର ଯୁଗ୍ମ ସଚିବ ଦାୟିତ୍ୱ ତୁଲାଉଥିବାବେଳେ ତାଙ୍କ ବିଭାଗ ରାଜ୍ୟ ସରକାରଙ୍କୁ ଏହି ଯୋଜନାରେ ବାରମ୍ବାର ପୁରସ୍କୃତ କରିଛି । ଏବେ ଅପରାଜିତା ରାଜନୀତିରେ ପଦାର୍ପଣ କରିବା ପରେ ସ୍ୱର ବଦଳାଇଛନ୍ତି । ସୁଲତା କହିଛନ୍ତି, ରାଜ୍ୟରେ ମୁଣ୍ଡ ପିଛା ଆୟ ଦ୍ରୁତଗତିରେ ବୃଦ୍ଧି ପାଇଛି । ଏହାକୁ ଚତୁର୍ଦ୍ଦଶ ଅର୍ଥ କମିଶନ ସ୍ୱୀକାର କରିଛନ୍ତି । ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ବି ରାଜ୍ୟ ଉଲ୍ଲେଖନୀୟ ସଫଳତା ପାଇଥିବା ନୀତି ଆୟୋଗ ସ୍ୱୀକାର କରିଛନ୍ତି । ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ଜରିଆରେ ଲକ୍ଷ ଲକ୍ଷ କୋଟି ଟଙ୍କାର ନିବେଶ ଓ ଲକ୍ଷ ଲକ୍ଷ ନିଯୁକ୍ତି ସୁଯୋଗ ସମ୍ଭାବନା ସୃଷ୍ଟି ହୋଇଛି । ବିଜୁ ଯୁବ ବାହିନୀ ଦ୍ୱାରା ଓଡ଼ିଶାର ପାଖାପାଖି ୩ଲକ୍ଷ ଯୁବକ ଯୁବତୀଙ୍କୁ ସଶକ୍ତ କରାଯାଇଛି । ରାଜ୍ୟରେ ବିକାଶର ଧାରା ଜାରି ରହିଥିବାବେଳେ ବିଜେପିର ଅଭିଯୋଗ ହାତାଶାର ଲକ୍ଷଣ ବୋଲି ସୁଲତା କହିଛନ୍ତି ।