ନୂଆଦିଲ୍ଲୀ: ବିହାର ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ଜିତିବା ପାଇଁ ଯେକୌଣସି ସୀମାକୁ ଚାଲିଯାଇପାରନ୍ତି । ଦରକାର ପଡିଲେ ମଞ୍ଚରେ ଭାରତନାଟ୍ୟମ୍ ମଧ୍ୟ ପରିବେଷଣ କରିବେ ବୋଲି ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ଉପରେ ଏବେ ବିଜେପି ଖପ୍ପା ।ଏହାକୁ ନେଇ ବିଜେପି ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଛି ।
କଂଗ୍ରେସ ସାଂସଦଙ୍କ ଉପରେ ଆଦର୍ଶ ସଂହିତା ଉଲ୍ଲଂଘନ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ମର୍ଯ୍ୟାଦା ହ୍ରାସ କରିବାର ଅଭିଯୋଗ ଆଣିଛି ବିଜେପି । ଘଟଣାରେ ନିର୍ବାଚନ ଆୟୋଗଙ୍କୁ ତୁରନ୍ତ ଏବଂ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛି ବିଜେପି।
"ଆୟୋଗକୁ ଏହା ମଧ୍ୟ ଅନୁରୋଧ କରାଯାଇଛି ଯେ, ରାହୁଲ ଗାନ୍ଧୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରନ୍ତୁ ଏବଂ ତାଙ୍କୁ ନିଃସର୍ତ୍ତ ସାର୍ବଜନୀନ କ୍ଷମା ପ୍ରାର୍ଥନା କରିବାକୁ ନିର୍ଦ୍ଦେଶ ଦିଅନ୍ତୁ, ଏବଂ ତାଙ୍କୁ ପ୍ରଚାର କରିବାରୁ ବାରଣ କରନ୍ତୁ,।
ଏବେ ଆସନ୍ତୁ ଜାଣିବା ରାହୁଲ୍ କ’ଣ କହିଥିଲେ…
ବୁଧବାର ମୁଜାଫରପୁରରେ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ସହ ଏକ ମିଳିତ ରାଲିକୁ ସମ୍ବୋଧିତ କରି ରାହୁଲ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କୁ ଆବଶ୍ୟକ ହେଲେ "ଭୋଟ୍ ପାଇଁ ଖୁସିରେ ନାଚିବେ"। "ସେ କେବଳ ତୁମର ଭୋଟ ଚାହାଁନ୍ତି। ଯଦି ଭିଡ଼ରୁ ୨ଶହ ଜଣ ଲୋକ ଭୋଟ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଞ୍ଚ ଉପରେ ନାଚିବାକୁ କୁହନ୍ତି, ତେବେ ସେ ମଞ୍ଚ ଉପରେ ଭାରତନାଟ୍ୟମ୍ ପ୍ରଦର୍ଶନ କରିବା ଆରମ୍ଭ କରିବେ," ଲୋକସଭାରେ ବିରୋଧୀ ଦଳ ନେତା କହିଛନ୍ତି।
ତେବେ ବିଜେପି ଏହାର ଅଭିଯୋଗରେ କହିଛି ଯେ, ଏପରି ମନ୍ତବ୍ୟ କେବଳ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରତି ଅସମ୍ମାନଜନକ ନୁହେଁ, ବରଂ ଏହା "ଶାଳୀନତା ଏବଂ ଗଣତାନ୍ତ୍ରିକ ଆଲୋଚନା"ର ସମସ୍ତ ସୀମା ଅତିକ୍ରମ କରିଛି। ବିଜେପି କହିଛି ଯେ "ନିର୍ବାଚନୀ ଲାଭ" ପାଇଁ ଏପରି ଅପମାନଜନକ ମନ୍ତବ୍ୟ ନିର୍ବାଚନୀ ଆଚରଣ ସଂହିତାକୁ ଉଲ୍ଲଂଘନ କରୁଛି ।